ୱାଶିଂଟନ ଡିସି: ଇରାନର ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନ ପକ୍ଷରୁ ଯୁଦ୍ଧ ବନ୍ଦ କରିବା ସହ ୭ ଦିନ ମଧ୍ୟରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍କୁ ପୁଣି ଖୋଲିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଟ୍ରମ୍ପ ଗ୍ରହଣ କରିନଥିବା ନେଇ ଦ ୱାଲ୍ ଷ୍ଟ୍ରିଟ୍ ଜର୍ନାଲ୍ ରିପୋର୍ଟ କରିଛି। ଆମେରିକାର କିଛି ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ ଆମେରିକୀୟ ଗଣମାଧ୍ୟମ ଏହି ରିପୋର୍ଟ ପ୍ରକାଶ କରିବା ପରେ ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ରିପୋର୍ଟ ଅନୁସାରେ, ନଭେମ୍ବରରେ ହେବାକୁ ଥିବା କଂଗ୍ରେସ ନିର୍ବାଚନ ପରେ ଆମେରିକା ପୁଣି ଇରାନ ଉପରେ ବୋମା ବର୍ଷଣ ଆରମ୍ଭ କରିପାରେ ବୋଲି ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ କହିଛନ୍ତି। ତେବେ ଏହି ସମୟରେ ଆମେରିକା ଓ ଇରାନ ମଧ୍ୟରେ ମଧ୍ୟସ୍ଥିଙ୍କ ଜରିଆରେ ଆଲୋଚନା ଜାରି ରହିବ ବୋଲି ଜଣେ ଆମେରିକୀୟ ଅଧିକାରୀ ରଏଟର୍ସକୁ ସୂଚନା ଦେଇଛନ୍ତି।

ଇରାନର ବିଦେଶମନ୍ତ୍ରୀ ଅବ୍ବାସ ଆରାଘଚି କହିଥିଲେ ଯେ, କତାରର ମଧ୍ୟସ୍ଥତା ମାଧ୍ୟମରେ ତେହରାନ୍ ଆମେରିକାକୁ ଶାନ୍ତି ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବ ଅନୁସାରେ, ଆବଶ୍ୟକ ସର୍ତ୍ତ ପୂରଣ ହେଲେ ୭ ଦିନ ମଧ୍ୟରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଖୋଲାଯାଇ ସାଧାରଣ ନୌପରିବହନ ପୁଣି ଆରମ୍ଭ କରାଯାଇପାରିବ।

Also Read- Plane Crash: କଙ୍ଗୋରେ ବଡ ଅଘଟଣ, ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, ୩ ସେନା ଅଧିକାରୀଙ୍କ ସମେତ ୧୪ ମୃତ

କ’ଣ ପ୍ରସ୍ତାବ ଦେଇଥିଲା ଇରାନ?

ଇରାନର ଯୋଜନା ଅନୁସାରେ, ଉଭୟ ପକ୍ଷ ପରସ୍ପର ସହମତିରେ ନିର୍ଦ୍ଧାରିତ ବିଷୟ ଉପରେ ବ୍ୟାପକ ଆଲୋଚନା ଆରମ୍ଭ କରିବେ। ଇରାନର ପରମାଣୁ କାର୍ଯ୍ୟକ୍ରମ ନେଇ ଆଲୋଚନା ତୁରନ୍ତ ଆରମ୍ଭ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି।

ପ୍ରସ୍ତାବିତ ୭ ଦିନର ଶେଷ ଦିନରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍କୁ ଖୋଲିବା ଏବଂ ଲେବାନନ୍ ସମେତ ସମସ୍ତ ମୋର୍ଚ୍ଚାରେ ଯୁଦ୍ଧ ବନ୍ଦ କରିବା ନେଇ ଇରାନ ପକ୍ଷରୁ କୁହାଯାଇଛି।

ଏହା ବଦଳରେ ଆମେରିକା ଇରାନର ଜମା ଥିବା ସମ୍ପତ୍ତିରୁ ଅତି କମରେ ୧୨ ବିଲିୟନ୍ ଡଲାର ମୁକ୍ତ କରିବା, ଇରାନୀ ତୈଳ ଉପରେ ଥିବା କଟକଣା ହଟାଇବା ଏବଂ ଇରାନୀ ବନ୍ଦରଗୁଡ଼ିକ ଉପରେ ଥିବା ନୌସେନା ନାକାବନ୍ଦୀ ହଟାଇବାକୁ ତେହରାନ୍ ଦାବି କରିଛି।

ଆରାଘଚି ସ୍ପଷ୍ଟ କରିଛନ୍ତି ଯେ, କୌଣସି ଚାପ, ଧମକ କିମ୍ବା ଭୟ ଦେଖାଇ ଇରାନକୁ ଚୁକ୍ତି ପାଇଁ ବାଧ୍ୟ କରାଯାଇପାରିବ ନାହିଁ। ଚାପରେ ଇରାନ ନିଜ ସାର୍ବଭୌମ ଅଧିକାର ଛାଡ଼ିବ ନାହିଁ ବୋଲି ସେ କହିଛନ୍ତି।

ବଢ଼ୁଛି କୂଟନୈତିକ ତତ୍ପରତା

ଜାତିସଂଘ ସାଧାରଣ ସଭାକୁ କେନ୍ଦ୍ର କରି ନ୍ୟୁୟର୍କରେ କୂଟନୈତିକ ତତ୍ପରତା ବଢ଼ିଥିବା ବେଳେ ଇରାନ ଏହି ପ୍ରସ୍ତାବ ଦେଇଛି। ଆମେରିକା ଓ ଇସ୍ରାଏଲର ତେହରାନ୍ ଉପରେ ଆକ୍ରମଣ ପରେ ଆରମ୍ଭ ହୋଇଥିବା ସଂଘର୍ଷ ପ୍ରାୟ ସାତ ମାସରେ ପହଞ୍ଚିଛି।

ଏହି ସଂଘର୍ଷ ଯୋଗୁଁ ବିଶ୍ୱର ଅନ୍ୟତମ ପ୍ରମୁଖ ସମୁଦ୍ର ବାଣିଜ୍ୟ ପଥ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ତୈଳ ପରିବହନ ପ୍ରଭାବିତ ହୋଇଛି। ଏଥିପାଇଁ ସାରା ବିଶ୍ୱରେ ବର୍ତ୍ତମାନ ତୈଳ ସଂକଟ ଜାରି ରହିଛି।

ତେବେ ଇରାନର ଏହି ନୂଆ ପ୍ରସ୍ତାବ ସଂଘର୍ଷ ଶେଷ କରିବା ପାଇଁ କୂଟନୈତିକ ପ୍ରୟାସକୁ ପୁଣି ଆରମ୍ଭ କରିବାର ଆଉ ଏକ ପ୍ରୟାସ ହୋଇଥିବା ବେଳେ, ଏହା ଉପରେ ଆମେରିକାର ଅନ୍ତିମ ଆଭିମୁଖ୍ୟକୁ ନେଇ ଅନିଶ୍ଚିତତା ଜାରି ରହିଛି।