ନୂଆଦିଲ୍ଲୀ: ନିର୍ବାଚନ କାଳରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଲାଗୁ ହେଉଥିବା ଆଦର୍ଶ ଆଚରଣ ବିଧି ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସେହି ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଲାଗୁ ହେବ ଯେଉଁମାନଙ୍କୁ ରିଟାୟାରମେଣ୍ଟ ପରେ ପୁନଃ ନିଯୁକ୍ତି ମିଳିଛି। ଏଣୁ ନିୟମିତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଭଳି ଏବେ ସେମାନଙ୍କ ଉପରେ ମଧ୍ୟ ରାଜନୈତିକ ଦଳଙ୍କ ନିର୍ବାଚନ ଅଭିଯାନ ଅଥବା ପ୍ରଚାରରେ ସାମିଲ ହେବାରେ କଟକଣା ରହିବ।

ନିର୍ବାଚନ କମିଶନ ଏହି କଟକଣା ସମ୍ପର୍କରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ସମେତ ଅନ୍ୟ ୫ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ପତ୍ର ଲେଖି ଏପରି ଅଧିକାରୀ ଓ କର୍ମଚାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଚାକିରିରୁ ଅବସରପ୍ରାପ୍ତ କର୍ମଚାରୀଙ୍କ ଲାଗି ଏପରି କୌଣସି କଟକଣା ନଥିଲା। ଏଣୁ ବିଭିନ୍ନ ରାଜ୍ୟରେ ନିର୍ବାଚନ କାଳରେ ଏ ନେଇ ଅଭିଯୋଗ ମିଳୁଥିଲା। ମଙ୍ଗଳବାର ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କମିଶନ ସ୍ପଷ୍ଟ କରିଛନ୍ତି ଯେ ଆଦର୍ଶ ଆଚରଣ ସଂହିତା ସହ ଜଡିତ କଟକଣା ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ପାଣ୍ଠି ପ୍ରଦାନ କରାଯାଉଥିବା ସମସ୍ତ ସଙ୍ଗଠନ, କମିଟି, କର୍ପୋରେସନ ଓ ଆୟଗଙ୍କ ଲାଗି ମଧ୍ୟ ପ୍ରଜୁଯ୍ୟ ହେବ।

କମିଶନ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି ଯେ ଅଧିକାରୀ ଓ କର୍ମଚାରୀମାନେ ଏପରି କୌଣସି ରାଜନୈତିକ କାର୍ଯ୍ୟକଳାପରୁ ନିବୃତ୍ତ ରହିବା ଉଚିତ ଯାହା କୌଣସି ଗୋଷ୍ଠୀଙ୍କ ପ୍ରତି ପକ୍ଷପାତିତା ଅଥବା ସମର୍ଥନର ଅଭିଯୋଗ ଆଣିପାରେ। ଏହା ସହିତ ସେମାନଙ୍କୁ ଯେ କୌଣସି ସମ୍ବଦ୍ଧିତ ମାମଲାରେ ନିରପେକ୍ଷ ମନୋଭାବ ପୋଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ନିର୍ବାଚନ ହେବାକୁ ଥିବା ପାଞ୍ଚଟି ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ରହିଛି।