ନୂଆଦିଲ୍ଲୀ: ଅରୁଣାଚଳ ପୂର୍ବ ଲୋକସଭା ଆସନରୁ ବିଜେପିର ବରିଷ୍ଠ ସାଂସଦ ତାପିର ଗାଓ ଉପର ସିୟାଙ୍ଗ ବହୁମୁଖୀ ପ୍ରକଳ୍ପ (SUMP)କୁ ନେଇ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି । ସ୍ଥାନୀୟ ବିରୋଧ ଏବଂ ପ୍ରଦର୍ଶନ ସତ୍ତ୍ୱେ ସାଂସଦ ସ୍ପଷ୍ଟ କରିଛନ୍ତି ଯେ ଅରୁଣାଚଳ ପ୍ରଦେଶର ବିକାଶ ଏବଂ ଭାରତର ସାମରିକ ହିତ ପାଇଁ ସିୟାଙ୍ଗ ନଦୀରେ ଯେକୌଣସି ସ୍ଥିତିରେ ଡ୍ୟାମ୍ ନିର୍ମାଣ ହେବ ।

ସାଂସଦ ତାପିର ଗାଓଙ୍କ ଏହି ବୟାନ ରାଜ୍ୟର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏବଂ ଉପମୁଖ୍ୟମନ୍ତ୍ରୀ ଚୌନା ମେନଙ୍କ ସରକାରୀ ଦୃଷ୍ଟିକୋଣରୁ ସମ୍ପୂର୍ଣ୍ଣ ଭିନ୍ନ । ରାଜ୍ୟ ସରକାର ଲଗାତାର କହି ଆସୁଛନ୍ତି ଯେ ବନ୍ଧ ନିର୍ମାଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ବର୍ତ୍ତମାନ କେବଳ ପ୍ରାଥମିକ ସର୍ଭେ ରିପୋର୍ଟ ଉପରେ କାମ କରାଯାଉଛି । ଅକ୍ଟୋବର ୨୩ରେ ପାସିଘାଟରେ ଡ୍ୟାମ୍ ବିରୋଧୀ ସଂଗଠନଗୁଡ଼ିକ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । ୧୨ ଘଣ୍ଟିଆ ବନ୍ଦ ସମୟରେ ଘଟିଥିବା ବ୍ୟାପକ ହିଂସା, ପୋଡ଼ାଜଳା ଏବଂ ଭଙ୍ଗାରୁଜା ପରେ ତାପିର ଗାଓ ଏହାକୁ 'ରାଜନୈତିକ ଭାବରେ ପ୍ରେରିତ' ବୋଲି କହିଛନ୍ତି ।

ଗାଓ କହିଛନ୍ତି ଯେ ଏନଏଚପିସି କାର୍ଯ୍ୟାଳୟ, ପୋଲିସ ଷ୍ଟେସନ, ସରକାରୀ ଗାଡ଼ି ଏବଂ ରାଜନେତାଙ୍କ ସମ୍ପତ୍ତି ଭଙ୍ଗାରୁଜା କରିବା ପାଇଁ ୯୨ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଅପରାଧୀଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ । ସେ କହିଛନ୍ତି ଯେ କିଛି ଲୋକ "ଜେନ୍ ଜି" ଯୁବପିଢ଼ିଙ୍କୁ ଉତ୍ତେଜିତ କରି ଜାତୀୟ ଗୁରୁତ୍ୱର ପ୍ରକଳ୍ପଗୁଡ଼ିକରେ ବାଧା ସୃଷ୍ଟି କରୁଛନ୍ତି, ଯାହାକୁ ବରଦାସ୍ତ କରାଯିବ ନାହିଁ ।

ସାଂସଦ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ୟୁପିଏ ସରକାର ୨୦୦୮ ମସିହାରେ ଏହି ବିଶାଳ ୧୧,୨୦୦ ମେଗାୱାଟ ଜଳବିଦ୍ୟୁତ ପ୍ରକଳ୍ପକୁ 'ଜାତୀୟ ପ୍ରକଳ୍ପ' ଭାବରେ ଘୋଷଣା କରାଯାଇଥିଲା । ତେବେ ଟାପିର ଗାଓଙ୍କ ଏହି ବୟାନ ରାଜ୍ୟର ଶୀର୍ଷ ରାଜନୈତିକ ନେତୃତ୍ୱଙ୍କ ମନ୍ତବ୍ୟର ବୀପରିତ । ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଅନେକ ଥର ସ୍ପଷ୍ଟ କରିଛନ୍ତି ଯେ ପିଏଫଆ୍ ସୃଷ୍ଟି ହେବା ଅର୍ଥ ନୁହେଁ ଯେ ବନ୍ଧ ନିର୍ମାଣ ହେବ । ଯଦି ବିଶେଷଜ୍ଞମାନେ ବୈଜ୍ଞାନିକ ତଦନ୍ତ, ଭୂକମ୍ପ ସମ୍ବେଦନଶୀଳତା ଏବଂ ଜଳବିଜ୍ଞାନ ଆଧାରରେ ପ୍ରକଳ୍ପ ଅନୁପଯୁକ୍ତ କୁହନ୍ତି, ତେବେ କାର୍ଯ୍ୟ ଆଗକୁ ବଢ଼ିବ ନାହିଁ ।