ନୂଆଦିଲ୍ଲୀ,|୦୨ : ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା କମିବାର ନାଁ ନେଉନାହିଁ । ତେହରାନ ଉପରେ ଆକ୍ରମଣ ପାଇଁ ଆମେରିକା ପାଗ ଭିଡିଲାଣି । ଅନ୍ୟ ଦିଗରେ ଦୁଇ ଦେଶ ପରମାଣୁ ସମ୍ବନ୍ଧୀୟ କଥାବାର୍ତ୍ତା କରିବେ ବୋଲି ଖବର ଆସୁଛି । ଏହାରି ଭିତରେ ସାମ୍ନାକୁ ଆସିଛି ବଡ ଖବର । ନିଜର ସବୁ ନାଗରିକଙ୍କୁ ଇରାନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ କିଛି ଘଟିଲେ ସାହାଯ୍ୟ ମିଳିବନି ବୋଲି ମଧ୍ୟ ନାଗରିକଙ୍କୁ ସତର୍କ କରାଇ ଦିଆଯାଇଛି ।

ଏହି ଖବରଟି ପଢନ୍ତୁ...  ପାକିସ୍ତାନକୁ ଇମୋସନାଲ ବ୍ଲାକମେଲ୍ କଲା ଶ୍ରୀଲଙ୍କା : 'ଆମେ ଗୁଳି ଖାଇ ଇସଲାମାବାଦରେ ଖେଳିଛୁ, ତୁମେ ବି କଲମ୍ବୋ ଆସ'

ତେହରାନରେ ଥିବା ଆମେରିକା ଦୁତାବାସ ପକ୍ଷରୁ କୁହାଯାଇଛି ଯେ, ଆମେରିକୀୟମାନେ ଇରାନ ଛାଡି ଦିଅନ୍ତୁ । ସେମାନେ ତୁର୍କୀ ସୀମା କିମ୍ବା ଅର୍ମେନିଆ ଦେଇ ଆମେରିକା ଚାଲି ଆସନ୍ତୁ । କାରଣ ଆଗକୁ କିଛି ବି ଘଟିପାରେ । କିଛି ଘଟିଲେ ଆମେରିକାଠୁ ସାହାଯ୍ୟ ଆଶା କରିବା ଅନୁଚିତ । ଯଦି ହଠାତ କେହି ଇରାନ ଛାଡିପାରିବେନି ତେବେ ସୁରକ୍ଷିତ ସ୍ଥାନକୁ ଚାଲି ଯାଆନ୍ତୁ । ନିଜ ସହ ପ୍ରଚୁର ଖାଦ୍ୟ ଏବଂ ପାନୀୟ ମହଜୁଦ ରଖନ୍ତୁ । ଜରୁରୀ ମେଡିସିନ୍ ମଧ୍ୟ ସାଙ୍ଗରେ ରଖନ୍ତୁ ବୋଲି ଦୁତାବାସ କହିଛି ।

ଟ୍ରମ୍ପଙ୍କ ଫାଇନାଲ ଧମକ

ଦୁଇ ଦେଶ ଯୁଦ୍ଧମୁହାଁ ହେଉଥିବା ବେଳେ ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲହା ଖାମେନିଙ୍କୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ସେ କହିଛନ୍ତି ଯେ, ଖାମେନି ପରମାଣୁ ଚୁକ୍ତିକୁ ନେଇ ବିବ୍ରତ ହେବା ଦରକାର । ଏଥିରେ ଇରାନ ବିରୋଧରେ ଆମେରିକା ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଅନୁମାନ କରାଯାଉଛି ।

ଏକ ସାକ୍ଷାତକାରରେ ତାଙ୍କୁ ଆଣବିକ ତଥା ପରମାଣୁ ଡିଲ୍ ସମ୍ବନ୍ଧୀୟ ପ୍ରଶ୍ନ କରାଯାଇଥିଲା । ଏଥିରେ ସେ କହିଥିଲେ ଯେ, ଖାମେନିଙ୍କ ଉପରେ ପ୍ରବଳ ଚାପ ରହିଛି । ଆମେରିକା ସମେତ ଅନେକ ଆଞ୍ଚଳିକ ସଙ୍ଗଠନ ତେହରାନ ଉପରେ ଚାପ ପକାଉଛନ୍ତି । ଏସବୁ ଦେଖି ଖାମେନିଙ୍କୁ ବ୍ୟସ୍ତ ଲାଗିବା ଉଚିତ ।

ସୂଚନାଯୋଗ୍ୟ, ଇରାନ ଆମେରିକାର ଡିଲକୁ କିଛି ସର୍ତ୍ତ ଆଧାରରେ ରାଜି ହେବା ନେଇ କହିଛି । ଯଦି ଆମେରିକାର ପରମାଣୁ ଡିଲରେ ଇରାନ ରାଜି ନହୁଏ ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ଟ୍ରମ୍ପ୍ ଧମକ ଦେଇଥିଲେ । ଧମକ ପରେ ଆମେରିକାର କିଛି ସବୁଠୁ ଶକ୍ତିଶାଳୀ ଯୁଦ୍ଧ ଜାହାଜ ଇରାନ ମୁହାଁଇଥିଲା । ଯାହାପରେ ଇରାନ କଥାବାର୍ତ୍ତା ପାଇଁ ରାଜି ଥିବା ପ୍ରକାଶ କରିଥିଲା । ତେବେ ଓମାନରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇପାରେ ବୋଲି ବୈଦେଶିକ ବିଶେଷଜ୍ଞ ଅନୁମାନ କରୁଛନ୍ତି ।