ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ବିଶ୍ବ ଦେଖିପାରେ ମହାବିନାଶ । ଇରାନକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦେଇଥିବା ଡେଡ୍ଲାଇନ ଆଜି ସରୁଛି । ସୋମବାର ଟ୍ରମ୍ପ କହିଥିଲେ, ଗୋଟିଏ ରାତିରେ ଆମେ ଇରାନ୍କୁ ଶେଷ କରିପାରିବୁ । ଆଉ ଏହି ରାତି ମଙ୍ଗଳବାର ରାତି ହୋଇପାରେ ବୋଲି ସେ କହିଥିଲେ । ଆଜି ରାତି ଯେତିକି ବଢ଼ୁଛି, ଭୟ ସେତିକି ବଢ଼ୁଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକକୁ ନେଇ ସମଗ୍ର ବିଶ୍ବରେ ହଇଚଇ ।

ଇରାନର ସବୁ ବ୍ରିଜ୍ ଏବଂ ପାଓ୍ବାର ପ୍ଲାଣ୍ଟ ଉଡ଼ାଇ ଦେବେ ବୋଲି ଟ୍ରମ୍ପ ଧମକ ଦେଇଥିଲେ । ଏହାରି ମଧ୍ୟରେ ମଙ୍ଗଳବାର ଇରାନ ଉପରେ ଜୋରଦାର ଆକ୍ରମଣ ଜାରି ରହିଛି। ସେପଟେ ତୁର୍କୀଏରେ ଇସ୍ରାଏଲର ଦୂତାବାସ ବାହାରେ ଭୟଙ୍କର ଗୁଳିକାଣ୍ଡର ଖବର ମଧ୍ୟ ଆସିଛି ।

ଯୁଦ୍ଧ ମଧ୍ୟରେ ଟ୍ରମ୍ପ ପୁଣି ଥରେ ଧମକ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ଯଦି ସ୍ଥିତି ପରିବର୍ତ୍ତନ ନହୁଏ ତେବେ, ଆଜି ରାତିରେ ଏକ ପୁରୁଣା ସଭ୍ୟତାର ଅନ୍ତ ହୋଇପାରେ । ଯାହା ଆଉ କେବେ ଫେରିପାରିବ ନାହିଁ । ସେ କହିଛନ୍ତି ଯେ, ଏଭଳି ଘଟୁ ବୋଲି ମୁଁ ଚାହୁଁନାହିଁ । କିନ୍ତୁ ଏଭଳି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ହୁଏତ କିଛି କ୍ରାନ୍ତିକାରୀ ଘଟଣା ଘଟିପାରେ, କିଛି ଅଦ୍ଭୁତ ହୋଇାପାରେ ।

ଇରାନ୍ ଯୁଦ୍ଧକୁ ୩୯ ଦିନ

୧. ଇରାନର ରାଜଧାନୀ ତେହେରାନ୍ରେ ଲଗାତାର ଆକ୍ରମଣର ଖବର ମିଳିଛି । ଏହି ଆକ୍ରମଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ।

୨. ଇସ୍ରାଏଲ ସେନା କହିଛି, ଇରାନର ଏକ ପେଟ୍ରୋକେମିକାଲ୍ କଂପ୍ଲେକ୍ସରେ ଆକ୍ରମଣ କରିଛି। ଏହାର ଜବାବରେ ଇରାନ ସେନା, ସାଉଦି ଆରବରେ କାର୍ଯ୍ୟ କରୁଥିବା ଆମେରିକାର କମ୍ପାନୀ ଉପରେ ଆକ୍ରମଣ କରିଥିବା ଜଣାପଡ଼ିଛି ।

୩. ଇସ୍ରାଏଲ ସେନା ଇରାନର ଲୋକମାନଙ୍କୁ ଚେତାବନୀ ଦେଇଛି । ସ୍ଥାନୀୟ ସମୟ ଅନୁସାରେ ରାତି ୯ଟାରେ ଟ୍ରେନରେ ନଯିବାକୁ ଇରାନର ଲୋକଙ୍କୁ ଚେତାବନୀ ଦେଇଛି ଇସ୍ରାଏଲ ସେନା । 

୪. ଇରାନ ପକ୍ଷରୁ ମିସାଇଲ ମାଡ଼ରେ ଇସ୍ରାଏଲରେ ବହୁ କ୍ଷତି ହୋଇଛି । ଏହି ସବୁ ମିସାଇଲ୍ କେନ୍ଦ୍ରୀୟ ଇସ୍ରାଏଲର ବିଭିନ୍ନ ସହରରେ ପଡ଼ିଛି ବୋଲି ଇସ୍ରାଏଲ ଗଣମାଧ୍ୟମ ସ୍ପଷ୍ଟ କରିଛି ।