ନୂଆଦିଲ୍ଲୀ: ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଶାନ୍ତି ଆଲୋଚନା ବାତିଲ ହୋଇଯାଇଛି । ଆମେରିକା ରାଷ୍ଟ୍ରପତି ମଧ୍ୟପ୍ରାଚ୍ୟ ରାଷ୍ଟ୍ରଦୂତ ଷ୍ଟିଭ ୱିଟକଫ ଏବଂ ନିଜ ଜ୍ବାଇଁ ଜାରେଦ କୁଶନରଙ୍କ ପାକିସ୍ତାନ ଗସ୍ତକୁ ବାତିଲ କରି ଦେଇଛନ୍ତି। ସେ କହିଛନ୍ତି ଯେ, ୧୮ ଘଣ୍ଟାର ଏହି ଯାତ୍ରା ଅର୍ଥହୀନ। ଇରାନ ଯେତେବେଳେ ଚାହିଁବ ଆମ ସହିତ ଫୋନରେ କଥା ହେବା ଉଚିତ। ଫକ୍ସ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ କହିଛନ୍ତି ଯେ, ଆମେରିକୀୟ ପ୍ରତନିଧି ଷ୍ଟିଭ୍ ୱିଟକଫ ଏବଂ କୁଶନର ଆଉ ଇରାନ ସହିତ ଆଲୋଚନା ପାଇଁ ପାକିସ୍ତାନ ଯାତ୍ରା କରିବେ ନାହିଁ।

ଟ୍ରମ୍ପ କହିଛନ୍ତି ଯେ, ଆମେରିକାର ପ୍ରତିନିଧି ଦଳ ପାକିସ୍ତାନକୁ ୧୮ ଘଣ୍ଟା ଉଡ଼ାଣ କରିବାର କୌଣସି କାରଣ ନାହିଁ । ଇରାନ ସହିତ ଯୁଦ୍ଧରେ ଆମେରିକାର ସମସ୍ତ ନିର୍ଣ୍ଣାୟକ ଶକ୍ତି ଅଛି। ଇରାନ ଯେତେବେଳେ ଚାହିଁବ ଆମେରିକାକୁ ଫୋନ କରିପାରିବ । ଟ୍ରମ୍ପ କହିଛନ୍ତି, ପାକିସ୍ତାନ ଯିବାକୁ ପ୍ରସ୍ତୁତ ହେଉଥିବା ପ୍ରତିନିଧିମାନଙ୍କୁ ମୁଁ କହିଥିଲି, ଆପଣମାନେ ୧୮ ଘଣ୍ଟା ଉଡ଼ାଣ କରିପାରିବେ ନାହିଁ।

ଫେରିଗଲେ ଆରାଘଚି

ଟ୍ରମ୍ପ କହିଛନ୍ତି, ‘ଆମ ପାଖରେ ସମସ୍ତ ବିକଳ୍ପ ଅଛି। ଇରାନ ଯେତେବେଳେ ଚାହିଁବ ଆମକୁ କଲ କରିପାରିବ । ଆପଣମାନେ ୧୮ ଘଣ୍ଟା ଉଡ଼ାଣ କରି ସେଠାକୁ ଗଲେ କିଛି ଲାଭ ମିଳିବ ପାହିଁ । ଏହି ଯାତ୍ରା ବହୁତ ସମୟ ନଷ୍ଟ କରିଥାନ୍ତା ଏବଂ ବହୁତ କାମ ଥିଲା। ଏହା ବ୍ୟତୀତ, ସେମାନଙ୍କ (ଇରାନର) ନେତୃତ୍ୱ ଭିତରେ ପ୍ରବଳ ଦ୍ୱନ୍ଦ୍ୱ ରହିଛି। କେହି ଜାଣନ୍ତି ନାହିଁ ଯେ, କାହା ପାଖରେ ପ୍ରକୃତରେ କ୍ଷମତା ରହିଛି। ଆମେ ସମସ୍ତ କାର୍ଡ ଧରିଛୁ, ସେମାନଙ୍କ ପାଖରେ କୌଣସି କାର୍ଡ ନାହିଁ ।’ ସେପଟେ କେତେକ ମିଡିଆ ରିପୋର୍ଟ ଅନୁସାରେ, ଇରାନର ବୈଦେଶିକ ମନ୍ତ୍ରୀର ଅବାସ ଆରାଘଚି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ସ୍ବଦେଶ ଫେରି ଯାଇଛନ୍ତି ।

ଆରାଘଚିଙ୍କ ୧୦ ସର୍ତ୍ତ

ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଓମାନ ଫେରିଯାଇଥିବା ଚର୍ଚ୍ଚା ହେଉଛି । ପାକିସ୍ତାନ ଛାଡିବା ପୂର୍ବରୁ ଆରାଘଚି ଆଲୋଚନା ପାଇଁ ଆମେରିକା ଆଗରେ ୧୦ ଟି ସର୍ତ୍ତ ରଖିଛନ୍ତି। ଇରାନ ପୂର୍ବରୁ ସ୍ପଷ୍ଟ କରିଦେଇଥିଲା ଯେ, ଆମେରିକା ସହିତ ସମ୍ମୁଖ ଆଲୋଚନା କରିବ ନାହିଁ। ଯଦି ଇରାନ ପ୍ରତିନିଧିମଣ୍ଡଳୀ ଆମେରିକା ସହିତ ଆଲୋଚନା କରିବାର ନଥିଲା, ତେବେ ଆରାଘଚି କାହିଁକି ଇସଲାମାବାଦ ଯାତ୍ରା କରିଥିଲେ ? ଏହି ପ୍ରସଙ୍ଗରେ ଇରାନ ଏବଂ ଆମେରିକା ଭିନ୍ନ ଭିନ୍ନ ବିବୃତ୍ତି ଜାରି କରିଛନ୍ତି।