ନୂଆଦିଲ୍ଲୀ: ଆମେରିକା ଟ୍ରମ୍ପ ପ୍ରଶାସନ ଗ୍ରୀନକାର୍ଡ ପ୍ରସଙ୍ଗରେ ସପ୍ତାହକ ମଧ୍ୟରେ ୟୁ-ଟର୍ଣ୍ଣ ନେଇଛି। ପ୍ରଶାସନ କହିଛି ଯେ ଗ୍ରୀନକାର୍ଡ ଲାଗି ଅଧିକାଂଶ ଆବେଦନକାରୀଙ୍କୁ ଆମେରିକା ଛାଡିବାର ଆବଶ୍ୟକତା ନାହିଁ। ତେବେ କିଛି ସମୟ ପୂର୍ବରୁ କୁହାଯାଇଥିଲା ଯେ ଯେଉଁ ବିଦେଶୀ ଅସ୍ଥାୟୀ ଭାବେ ଆମେରିକାରେ ଅଛନ୍ତି ସେମାନଙ୍କୁ ଗ୍ରୀନକାର୍ଡ ଆବେଦନ ପାଇଁ ସ୍ୱଦେଶ ଫେରିବାକୁ ପଡିବ। ହେଲେ ଏବେ ଆସିଥିବା ତାଜା ବୟାନରେ ଆମେରିକାରେ ରହି ସ୍ଥାୟୀ ବାସିନ୍ଦା ହେବାକୁ ସ୍ୱପ୍ନ ଦେଖୁଥିବା ଲକ୍ଷଲକ୍ଷ ଭାରତୀୟଙ୍କ ସମେତ ବିଦେଶୀ ନାଗରିକଙ୍କୁ ଆଶ୍ୱସ୍ତି ମିଳିବ।

ଆମେରିକା ଗୃହ ବିଭାଗ ଗତ ସପ୍ତାହରେ ଜାରି ବୟାନକୁ ସ୍ପଷ୍ଟ କରିବାକୁ ଚେଷ୍ଟା କରିଛି। ସେଥିରେ ମନ୍ତ୍ରାଳୟ ଏହା ସ୍ପଷ୍ଟ କରିଥିଲା ଯେ ଆମେରିକାରେ ସ୍ଥାୟୀ ନିବାସ ଚାହୁଁଥିବା ବିଦେଶୀ ନାଗରିକ ସେମାନଙ୍କ ଗୃହଦେଶକୁ ଫେରିଯାଇ ଗ୍ରୀନ କାର୍ଡକୁ ଅପେକ୍ଷା କରନ୍ତୁ। ବିଭାଗ ଦାବି କରିଛି ଯେ ନୀତିରେ ସେପରି କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇ ନାହିଁ। କେବଳ କିଛି ଲୋକଙ୍କୁ ଫେରସ୍ତ ଯିବାକୁ ପଡିବ। ଗୃହ ସୁରକ୍ଷା ବିଭାଗର ଜନୈକ ମୁଖପାତ୍ର ଏକ ବୟାନରେ ଏହି ସୂଚନା ଦେଇଛନ୍ତି।

ଗ୍ରୀନକାର୍ଡକୁ ନେଇ ଗତ ସପ୍ତାହରେ କରାଯାଇଥିବା ଘୋଷଣା ଯୋଗୁ ଆମେରିକାରେ ରହୁଥିବା ଲକ୍ଷଲକ୍ଷ ଭାରତୀୟ ପରିବାରଙ୍କ ଚିନ୍ତା ବଢିଯାଇଥିଲା। ବିଶେଷ କରି ସେହି ଲୋକେ ନିଜକୁ ସମସ୍ୟା ମଧ୍ୟରେ ଦେଖୁଥିଲେ ଯେଉଁମାନେ ରୋଜଗାର ଆଧାରିତ ଗ୍ରୀନକାର୍ଡ କୁ ଅପେକ୍ଷା କରିଛନ୍ତି। ହ୍ୱାଇଟ୍ ହାଉସ୍ ର ପୂର୍ବତନ ପରାମର୍ଶଦାତା ଅଜୟ ଜୈନ ଭୁଟୋରିୟା କହିଥିଲେ ଯେ ସରକାରଙ୍କ ଏପରି ନିଷ୍ପତ୍ତି ଯୋଗୁ ୧୨ଲକ୍ଷ ଭାରତୀୟ ପରିବାରଙ୍କ ଭବିଷ୍ୟତ ଅଧାରେ ଲଟକି ଯାଇଛି।