ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ଏୟାରଲାଇନ୍ସ ଙ୍କ ନୂଆ ରାଙ୍କିଙ୍ଗ ସାମ୍ନାକୁ ଆସିଛି। ସ୍କାଇଟ୍ରାକ୍ସ ର ବାର୍ଷିକ ‘ୱାର୍ଲଡ ଏୟାରଲାଇନ ଆୱାର୍ଡ ୨୦୨୬’ ସିଙ୍ଗାପୁର ଏୟାରଲାଇନ୍ସ ହାତେଇ ନେଇଛି। ପୂର୍ବରୁ କତାର ଏୟାରୱେଜ୍ ବିଶ୍ୱର ସର୍ବଶ୍ରେଷ୍ଠ ଏୟାରଲାଇନ୍ସ ଥିବା ବେଳେ ସିଙ୍ଗାପୁର ପଛକୁ ଦ୍ୱିତୀୟ ସ୍ଥାନରେ ଥିଲା। ତେବେ ଭାରତୀୟ ଏୟାରଲାଇନ୍ସ ଙ୍କ ପ୍ରଦର୍ଶନ ଏହି ବୈଶ୍ୱିକ ରାଙ୍କିଙ୍ଗରେ ସ୍ୱଭାବିକ ରହିଛି। ଏୟାର ଇଣ୍ଡିଆ ରାଙ୍କିଙ୍ଗର ୫୭ ତମ ସ୍ଥାନକୁ ପହଞ୍ଚିଥିବା ବେଳେ ଇଣ୍ଡିଗୋ ୬୧ ତମ ସ୍ଥାନ ହାସଲ କରିଛି।

ବୈଶ୍ୱିକ ସ୍ତରରେ ହ୍ରାସ ସତ୍ତ୍ୱେ ଇଣ୍ଡିଗୋ ଭାରତର ଦ୍ୱିତୀୟ ଉଚ୍ଚ ରାଙ୍କିଙ୍ଗ ଏୟାରଲାଇନ ହୋଇ ରହିଛି। ଏହି ରାଙ୍କିଙ୍ଗ ସେପ୍ଟେମ୍ବର ୨୦୨୫ରୁ ଅଗଷ୍ଟ ୨୦୨୬ ମଧ୍ୟରେ ୩୦୦ରୁ ଅଧିକ ଏୟାରଲାଇନ୍ସରୁ ପ୍ରାପ୍ତ ଯାତ୍ରୀଙ୍କ ପ୍ରତିକ୍ରିୟା ଉପରେ ଆଧାରିତ। ସ୍କାଇ ଟ୍ରାକ୍ସର ବାର୍ଷିକ ୱାର୍ଲଡ ଏୟାରଲାଇନ ଆୱାର୍ଡ ଅନୁସାରେ ସିଙ୍ଗାପୁର ଏୟାରଲାଇନ୍ସକୁ ୨୦୨୬ଲାଗି ବିଶ୍ୱର ସର୍ବ ଶ୍ରେଷ୍ଠ ଏୟାରଲାଇନ ଘୋଷଣା କରାଯାଇଛି। ସେହିପରି କତାର ଏୟାରଲାଇନ୍ସ ଯିଏ ଗତବର୍ଷ ଶ୍ରେଷ୍ଠ ଥିଲା ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ତେବେ କ୍ୟାଥେ ପେସିଫିକ୍ ତୃତୀୟ ସ୍ଥାନରେ କାୟମ ରହିଛି।

ସେହିପରି ଏଏନଏ ପଞ୍ଚମରୁ ଚତୁର୍ଥ ସ୍ଥାନକୁ ପହଞ୍ଚିଛି। ଟର୍କିସ୍ ଏୟାର ଲାଇନ୍ସ ଗୋଟିଏ ପାହାଚ ଉପରକୁ ଉଠି ପଞ୍ଚମ ସ୍ଥାନକୁ ପହଞ୍ଚିଛି। ତେବେ ଏମିରେଟସ ଚତୁର୍ଥ ସ୍ଥାନରୁ ସିଧା ଷଷ୍ଠ ସ୍ଥାନକୁ ପହଞ୍ଚି ଯାଇଛି। ଏୟାରଫ୍ରାନ୍ସ, ହେନନ ଏୟାରଲାଇନ୍ସ ଜାପାନ ଏୟାରଲାଇନ୍ସ ଓ କୋରିୟାନ ଏୟାର ଟପ ୧୦ ଏୟାରଲାଇନ ସୂଚୀରେ ଅଛନ୍ତି। ଗୋଟିଏ ପଟେ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ବୈଶ୍ୱିକ ଶୀର୍ଷ ୧୦୦ ଏୟାରଲାଇନଙ୍କ ସୂଚୀରେ ସ୍ଥାନ ପାଇଥିବା ବେଳେ ଅକାସା ଏୟାର, ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଓ ସ୍ପାଇସ୍ ଜେଟ୍ ଭଳି ଅନ୍ୟ ଭାରତୀୟ ଏୟାର ଲାଇନଙ୍କୁ ସୂଚୀରେ ପୃଥକ ସ୍ଥାନ ମିଳି ନାହିଁ।