ନୂଆଦିଲ୍ଲୀ: ସାମସଙ୍ଗ ଭାରତୀୟ ବଜାରରେ ନିଜର ନୂତନ 'Bespoke AI' ହୋମ୍ ଏପ୍ଲାଏନ୍ସ ଲଞ୍ଚ୍ କରିଛି। ଗୃହପୋଯୋଗୀ ଉପକରଣ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (AI) ର ସର୍ବୋତ୍ତମ ବ୍ୟବହାର କରି ଗ୍ରାହକଙ୍କ ଦୈନନ୍ଦିନ ଜୀବନଶୈଳୀକୁ ଅଧିକ ସହଜ, ସ୍ମାର୍ଟ ଏବଂ ଶକ୍ତିଶାଳୀ କରିବା ଏହି ନୂତନ ସିରିଜ୍‌ର ମୁଖ୍ୟ ଉଦ୍ଦେଶ୍ୟ।

ନୂତନ ରେଫ୍ରିଜରେଟରରେ 'AI Vision Inside' ପ୍ରଯୁକ୍ତିବିଦ୍ୟା ରହିଛି, ଯାହା ଫ୍ରିଜ୍ ଭିତରେ ଥିବା ଖାଦ୍ୟ ସାମଗ୍ରୀକୁ ଚିହ୍ନଟ କରିପାରିବ। ଫ୍ରିଜରେ ଥିବା ସାମଗ୍ରୀର ସ୍ଥିତି ଏବଂ ଏକ୍ସପାୟରୀ ଡେଟ୍ ଆଧାରରେ ଏହା ଆପେ ଆପେ ରେସିପି ପରାମର୍ଶ ଦେବ।
ଏହା ଶକ୍ତି ବ୍ୟବହାରକୁ ନିୟନ୍ତ୍ରଣ କରି ବିଜୁଳି ବିଲ୍‌ରେ ପ୍ରାୟ ୧୦% ରୁ ୧୫% ପର୍ଯ୍ୟନ୍ତ ସଞ୍ଚୟ କରିବାରେ ସାହାଯ୍ୟ କରେ।

ୱାସିଂ ମେସିନ୍‌ରେ 'AI Wash' ଫିଚର୍ ଦିଆଯାଇଛି, ଯାହା କପଡ଼ାର ଓଜନ, କପଡ଼ାର କିସମ୍ ଏବଂ ମଇଳାର ପରିମାଣକୁ ସ୍ୱୟଂଚାଳିତ ଭାବରେ ଚିହ୍ନଟ କରେ। ଏହା ଅନୁଯାୟୀ ମେସିନ୍ ନିଜେ ଆବଶ୍ୟକୀୟ ପାଣି, ଡିଟରଜେଣ୍ଟ  ଏବଂ ସମୟ ନିର୍ଦ୍ଧାରଣ କରିବ।
ନୂତନ ଏସି (AC) ଗୁଡ଼ିକରେ 'AI Auto Cooling' ସୁବିଧା ରହିଛି, ଯାହା ଘରର ବାହ୍ୟ ଓ ଆଭ୍ୟନ୍ତରୀଣ ତାପମାତ୍ରା ଏବଂ ବ୍ୟବହାରକାରୀଙ୍କ ପସନ୍ଦକୁ ଆଧାର କରି କୁଲିଂ ମୋଡକୁ ବଦଳାଇ ପାରିବ । ଜିପିଏସ୍ (GPS) ମାଧ୍ୟମରେ ଆପଣ ଘରକୁ ଆସିବା ପୂର୍ବରୁ ଏସିକୁ ସ୍ୱୟଂଚାଳିତ ଭାବେ ଅନ୍ କରିଦିଏ।

ସାମସଙ୍ଗର 'SmartThings' ଆପ୍ ମାଧ୍ୟମରେ ବ୍ୟବହାରକାରୀ ନିଜ ସ୍ମାର୍ଟଫୋନ୍ କିମ୍ବା ଟିଭିରୁ ହିଁ ଘରର ସମସ୍ତ Bespoke AI ଉପକରଣଗୁଡ଼ିକୁ ନିୟନ୍ତ୍ରଣ କରିପାରିବେ। ଏଥିରେ 'AI Energy Mode' ରହିଛି, ଯାହା ସମଗ୍ର ଘରର ବିଜୁଳି ଖର୍ଚ୍ଚ ଉପରେ ନଜର ରଖେ। ସାମସଙ୍ଗ ଏହି ଆପ୍ଲାଏନ୍ସଗୁଡ଼ିକରେ ନିଜର ପ୍ରସିଦ୍ଧ 'Samsung Knox' ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଇଛି, ଯାହା ଗ୍ରାହକଙ୍କ ବ୍ୟକ୍ତିଗତ ଡାଟା ଏବଂ ସଂଯୁକ୍ତ ନେଟୱର୍କକୁ ସାଇବର୍ ଆକ୍ରମଣରୁ ସୁରକ୍ଷିତ ରଖିବ।