ନୂଆଦିଲ୍ଲୀ: ତ୍ରିପୁରା ପୋଲିସ ମହାନିର୍ଦ୍ଦେଶକ ଅନୁରାଗ ଧନଖଡ଼ ସୋମବାର ଅଗରତାଲାରେ ପୋଲିସ ମୁଖ୍ୟାଳୟ ସ୍ଥିତ ନିଜ କାର୍ଯ୍ୟାଳୟରେ ମୃତ ଅବସ୍ଥାରେ ମିଳିଛନ୍ତି । ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ ବରିଷ୍ଠ ଆଇପିଏସ୍ ଅଧିକାରୀ କଥିତ ଭାବେ ଆତ୍ମହତ୍ୟା କରିଛନ୍ତି । ତେବେ ତାଙ୍କ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନାହିଁ । ମୃତ୍ୟୁର କାରଣ ଖୋଜିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରାଯାଇଛି । ଏହି ଘଟଣାର ସୂଚନା ମିଳିବା ପରେ ରାଜ୍ୟ ସହ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ଡାକ୍ତର ପ୍ରଦୀପ ଭୌମିକ କହିଛନ୍ତି, "ତାଙ୍କୁ ଦିନ ପ୍ରାୟ ୧୨ଟା ସମୟରେ ଏଠାକୁ ଅଣାଯାଇଥିଲା । ସେ ପହଞ୍ଚିବା ବେଳକୁ ନାଡ଼ି, ରକ୍ତଚାପ ଏବଂ ଶ୍ୱାସକ୍ରିୟା ଭଳି ଜୀବନ ବଞ୍ଚିବାର କୌଣସି ଲକ୍ଷଣ ନଥିଲା । ତଥାପି ଆମେ ସିପିଆର ଦେଇଥିଲୁ । ଆମର ସମସ୍ତ ଉଦ୍ୟମ ସତ୍ତ୍ୱେ ଜୀବନର କୌଣସି ଲକ୍ଷଣ ନ ଦେଖାଯିବାରୁ ଦିନ ୧୨ଟା ୪୮ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।"

ଡାକ୍ତର କହିଛନ୍ତି, ହସ୍ପିଟାଲରେ ପହଞ୍ଚିବା ବେଳକୁ ଜୀବନର କୌଣସି ଲକ୍ଷଣ ନ ଥିବାରୁ ଏହି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ହସ୍ପିଟାଲକୁ ମୃତ ଅବସ୍ଥାରେ ଅଣାଯାଇଥିଲା ବୋଲି ଧରାଯାଇପାରେ । ତେବେ ମୃତ୍ୟୁର କାରଣ ସମ୍ପର୍କରେ ସେ କୌଣସି ମନ୍ତବ୍ୟ ଦେବାକୁ ମନା କରି କହିଛନ୍ତି, "ମୃତ୍ୟୁର କାରଣ କ’ଣ ତାହା ଆମେ ଜାଣିନାହୁଁ । କାରଣ ଅସ୍ପଷ୍ଟ ଥିବାରୁ ଆମେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଉଛୁ।"

ସେପଟେ ନିଜ ଚାମ୍ବରରେ ଗୁରୁତର ଅସୁସ୍ଥ ଥିବା ଖବର ପାଇବା ପରେ ସ୍ୱାସ୍ଥ୍ୟ ଓ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମାଣିକ ସାହା ତୁରନ୍ତ ଡିଜିପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଗସ୍ତ କରି ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ପରେ ଗଣମାଧ୍ୟମର କୌଣସି ପ୍ରଶ୍ନର ଉତ୍ତର ନ ଦେଇ ସେଠାରୁ ଚାଲିଯାଇଥିଲେ ।

୧୯୯୪ ବ୍ୟାଚର ତ୍ରିପୁରା କ୍ୟାଡରର ଆଇପିଏସ୍ ଅଧିକାରୀ ମେ ୨୦୨୫ରେ ରାଜ୍ୟର ଡିଜିପି ଭାବେ ଦାୟିତ୍ୱ ନେଇଥିଲେ । ଏହା ପୂର୍ବରୁ ଧନଖଡ଼ ୨୦୧୩ରୁ ୨୦୧୬ ମଧ୍ୟରେ ଡିଜିପି (ଇଣ୍ଟେଲିଜେନ୍ସ), ଅତିରିକ୍ତ ଡିଜିପି ଏବଂ ପୋଲିସ ଆଇଜି (ଆଇନ ଓ ଶୃଙ୍ଖଳା) ଭାବରେ କାର୍ଯ୍ୟ କରିଥିଲେ । କେନ୍ଦ୍ରୀୟ ଡେପୁଟେସନ୍ ସମୟରେ ସେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ସୀମା ସୁରକ୍ଷା ବଳ (ବିଏସଏଫ)ରେ ମଧ୍ୟ ସେବା କରିଥିଲେ । ତାଙ୍କୁ ପୋଲିସ ପଦକ ଏବଂ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତିଙ୍କ ପୋଲିସ ପଦକ ସମେତ ଅନେକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଧନଖଡ଼ ୨୦୦୩ରୁ ୨୦୦୪ ମଧ୍ୟରେ କୋସୋଭୋରେ ଜାତିସଂଘ ମିଶନରେ ଭାରତର ପ୍ରତିନିଧିତ୍ୱ ମଧ୍ୟ କରିଥିଲେ ।