ନୂଆଦିଲ୍ଲୀ ୧୭।୧୧; ଆମେରିକାରେ ପୁଣି ବଡ ଟେନସନ୍! ଗୋଟିଏ ପରେ ଗୋଟିଏ ସିଷ୍ଟମ୍ ଫେଲ୍। କେଉଁଠି ବିମାନ ଉଡ଼ାଣ ବାଧାପ୍ରାପ୍ତ ତ ଆଉ କେଉଁଠି ବ୍ୟାଙ୍କିଂ ସେବା ଠପ୍। ମାଇକ୍ରୋସଫ୍ଟରେ ବିଭ୍ରାଟ ପରେ ଏବେ ବ୍ୟାଙ୍କିଂ ସେକ୍ଟରରେ ହାହାକାର। ବଡ଼ ବ୍ୟାଙ୍କିଂ ସେବାରେ ସମସ୍ୟା। ଲକ୍ଷ ଲକ୍ଷ ଗ୍ରାହକଙ୍କ ଆକାଉଣ୍ଟ ଆକ୍ସେସ୍, ବାଲାନ୍ସ ଚେକ୍ ଓ ଟଙ୍କା କାରବାରରେ ବାଧା। ତେବେ ଏହା ପଛରେ କ'ଣ ରହିଛି ଟେକ୍ନିକାଲ୍ ତ୍ରୁଟି, ନା ଆଉ କିଛି ବଡ଼ କାରଣ?

ହେଲେ ଏବେ ସେହି ଆମେରିକାରେ ଗୋଟିଏ ପରେ ଗୋଟିଏ ଟେକ୍ନିକାଲ୍ ବିଭ୍ରାଟ ଚିନ୍ତା ବଢ଼ାଇଛି। ଡିଜିଟାଲ୍ ସିଷ୍ଟମ୍ ଉପରେ ନିର୍ଭରଶୀଳ ଦେଶରେ ଏବେ ଟେକ୍ନୋଲୋଜି ହିଁ ପାଲଟିଛି ସମସ୍ୟାର କାରଣ। ପ୍ରଥମେ ମାଇକ୍ରୋସଫ୍ଟ ସିଷ୍ଟମ୍ରେ ବଡ଼ ଧରଣର ବିଭ୍ରାଟ। ଏହାର ପ୍ରଭାବରେ ବିଶ୍ୱର ଅନେକ କମ୍ପାନିର କାର୍ଯ୍ୟକଳାପ ବାଧାପ୍ରାପ୍ତ ହୋଇଥିଲା। ଏହାପରେ ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ ବା FAAର ବିମାନ ଟ୍ରାଫିକ୍ ନିୟନ୍ତ୍ରଣ ନେଟୱାର୍କରେ ସମସ୍ୟା ଯୋଗୁଁ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା।

ଏବେ ପୁଣି ବ୍ୟାଙ୍କିଂ ସେକ୍ଟରରେ ଟେକ୍ନିକାଲ୍ ଝଟକା। ଆମେରିକାର ଅନେକ ପ୍ରମୁଖ ବ୍ୟାଙ୍କର ଅନଲାଇନ୍ ସେବାରେ ବିଭ୍ରାଟ ଦେଖାଦେଇଛି। ବିଶେଷ କରି ଜେପିମୋର୍ଗାନ୍ ଚେସ୍‌ ସିଷ୍ଟମ୍‌ ସଫ୍ଟୱେର୍ ବଗ୍ ଯୋଗୁଁ ଗ୍ରାହକମାନେ ଅନେକ ସମସ୍ୟାରେ ପଡ଼ିଛନ୍ତି। କେବଳ ଚେସ୍ ନୁହେଁ, ବ୍ୟାଙ୍କ ଅଫ୍ ଆମେରିକା, ୱେଲ୍ସ ଫାର୍ଗୋ, ୟୁଏସ୍ ବ୍ୟାଙ୍କ ଏବଂ ଜେଲ୍ ଭଳି ସଂସ୍ଥାର ଗ୍ରାହକମାନେ ମଧ୍ୟ ସେବା ବାଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି।

ଅନଲାଇନ୍ରେ ଆକାଉଣ୍ଟ ଖୋଲିବା ହେଉ କି ବ୍ୟାଙ୍କ ବାଲାନ୍ସ ଯାଞ୍ଚ, ଟଙ୍କା ଟ୍ରାନ୍ସଫର୍ ହେଉ କି ପେମେଣ୍ଟ, ସବୁଥିରେ ଦେଖାଦେଇଛି ବାଧା। ଅନେକ ଗ୍ରାହକ ଚେସ୍ ଆପ୍ରେ ସେବା ଉପଲବ୍ଧ ନଥିବା ବାର୍ତ୍ତା ପାଇଥିବା ଅଭିଯୋଗ କରିଛନ୍ତି। ଏପରିକି ସୋସିଆଲ ମିଡିଆରେ କିଛି ଗ୍ରାହକ ଚେକ୍ କ୍ୟାସ୍ କରିବା, ATM କାର୍ଡ ବ୍ୟବହାର ଏବଂ ବ୍ୟାଙ୍କ ଶାଖାରେ କାରବାର କରିବାରେ ଅସୁବିଧା ହୋଇଥିବା ଜଣାଇଛନ୍ତି।