ନୂଆଦିଲ୍ଲୀ: ଆଇପିଏଲ୍ ସିଜିନ  ପାଖେଇବା ମାତ୍ରେ କ୍ରିକେଟ୍ ପ୍ରେମୀଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁ ଆସୁଥିଲା ଯେ, ମହେନ୍ଦ୍ର ସିଂ ଧୋନି  ଏହି ସଂସ୍କରଣ ଖେଳିବେ ତ ? କଣ ଏହା ଧୋନିଙ୍କ ଶେଷ ଆଇପିଏଲ୍ ସିଜିନ ? ଗତ କିଛି ସିଜିନରେ ଏମିତି ଅନେକ ପ୍ରଶ୍ନ ଓ କଳ୍ପନା ଜଳ୍ପନା ଲାଗି ରହୁଥିଲା। କେବଳ ଏତିକି ନୁହେଁ ଧୋନିଙ୍କ ଆଇପିଏଲ୍ ୨୦୨୭ ସଂସ୍କରଣ ଖେଳିବା ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଥିଲା। ଏସବୁ ପ୍ରଶ୍ନ, ଆକଳନ ଏବଂ କଳ୍ପନା ଜଳ୍ପନା ଉପରେ ପଡ଼ିଛି ପୂର୍ଣ୍ଣଛେଦ। ଆଇପିଏଲରୁ ସନ୍ନ୍ୟାସ ଘୋଷଣା କରିଛନ୍ତି  ମହେନ୍ଦ୍ର ସିଂ ଧୋନି। ଏବେ ଚେନ୍ନାଇ ସୁପର କିଙ୍ଗ୍ସ(CSK) ପାଇଁ ନୂଆ ଅବତାରରେ ନଜର ଆସିବେ ମାହି। IPL 2027 ପୂର୍ବରୁ ଫ୍ରାଞ୍ଚାଇଜ ଧୋନିଙ୍କୁ ଟିମର ମେଣ୍ଟର ଭାବେ ନିଯୁକ୍ତ କରିଛି। ମଙ୍ଗଳବାର CSK ଏହାର ଘୋଷଣା କରିଛି। ଏହା ସହିତ ଧୋନିଙ୍କ ଖେଳାଳି ଭାବେ କ୍ୟାରିୟର ଉପରେ ବିରାମ ଲାଗିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ଆଇପିଏଲର ସମସ୍ତ ଟିମକୁ ନିଜ ନିଜର ରିଲିଜ୍ ଏବଂ ରିଟେନ୍ ଖେଳାଳିଙ୍କ ତାଲିକା ଜାରି କରିବାର ଅଛି। ତେଣୁ ଚେନ୍ନାଇ ରିଟେସନ ତାଲିକା ଜାରି କରିବା ପୂର୍ବରୁ ଏମଏସ ଧୋନିଙ୍କ ସନ୍ନ୍ୟାସ ନେବା ଏବଂ ଦଳର ମେଣ୍ଟର ଭାବେ ନିଯୁକ୍ତ ସୂଚନା ଏକ୍ସରେ ପୋଷ୍ଟ କରି ଦେଇଛି। ଏହି ଖବର ଥାଲାଙ୍କ ପ୍ରଶଂସକଙ୍କ ପାଇଁ ବଡ଼ ଝଟକା ହୋଇଛି। ତାଙ୍କ ପ୍ରଶଂସକ ଆଶା ରଖିଥିଲେ ଯେ, ଅନ୍ତତଃ ୨୦୨୭ ସଂସ୍କରଣରେ ଧୋନି ଖେଳିବେ। ଖାସ୍ ଧୋନିଙ୍କୁ ଦେଖିବା ପାଇଁ ଷ୍ଟାଡିୟମରେ ଦର୍ଶକ ସୂଅ ଛୁଟିଥାଏ। ହେଲେ ଏବେ ଧୋନିଙ୍କୁ CSKରେ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।

ଧୋନି ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ବହୁତ ଖାସ୍ ସଂପର୍କ ରହିଛି। ତାଙ୍କ ଅଧିନାୟକତ୍ଵରେ ଚେନ୍ନାଇ ଅନେକ ସ୍ମରଣୀୟ ସଫଳତା ପାଇଛି। ଚେନ୍ନାଇ ଜିତିଥିବା ୫ଟି ଟାଇଟଲରୁ କେବଳ ୪ଟି ଟାଇଟଲ୍ ହିଁ ଧୋନିଙ୍କ ନେତୃତ୍ଵରେ ଦଳ ଜିତିଛି। କିନ୍ତୁ ଏବେ ଧୋନିଙ୍କ ଭୂମିକା ବଦଳିଛି। ଏବେ ସେ ଦଳକୁ ମାର୍ଗଦର୍ଶନ ଦେବେ। ପରିସ୍ଥିତି ଅନୁସାରେ କେମିତି ଖେଳିବାକୁ ହେବ, ଚାପର କେମିତି ମୁକବିଲା କରିବ ତା ଉପରେ ଖେଳାଳିଙ୍କୁ ଦେବେ ଟିପ୍ସ।

ଚେନ୍ନାଇ ସୁପର କିଙ୍ଗ୍ସର ମାଲିକ ଏନ ଶ୍ରୀନିବାସନ କହିଛନ୍ତି, ମହେନ୍ଦ୍ର ସିଂ ଧୋନିଙ୍କ ବିନା CSK କିଛି ନୁହେଁ. ପ୍ରାୟ ଦୁଇ ଦଶନ୍ଧି ଧରି ଆମେ ତାଙ୍କ ସହ ଏହି ଯାତ୍ରାରେ ଆଗକୁ ବଢିଛୁ। ଏହି ସମୟରେ ଆମେ ଜିତିଛୁ, ମୁସ୍କିଲ ସମୟ ଦେଖିଛୁ ଏବଂ ସବୁ ପ୍ରକାରର ଉତଥାନ ପତନ ଦେଖିଛୁ। ଆମ ସଂପର୍କ ମଜବୁତ ହେବାର ସବୁଠୁ ବଡ଼ କାରଣ ଆମେ ପରସ୍ପରର ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଉନି। ଏହି ଭରସା ହିଁ ଆମର ଦୀର୍ଘ ଯାତ୍ରାକୁ ସଫଳ କରିଛି।