ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ଭିତରେ ଚାଲିଥିବା ବିବାଦ ଆହୁରି ତୀବ୍ର ହୋଇଛି । ଦିଗଙ୍ଗତ ଉଦ୍ୟୋଗପତି ରତନ ଟାଟାଙ୍କ ସାନ ଭାଇ ଏବଂ ଟାଟା ଟ୍ରଷ୍ଟସର ସବୁଠାରୁ ପୁରୁଣା ଟ୍ରଷ୍ଟିମାନଙ୍କ ମଧ୍ୟରୁ ଜଣେ ଜିମି ଏନ୍.ଟାଟା ପ୍ରଥମଥର ପାଇଁ ଏହି ବିବାଦ ଉପରେ ଖୋଲାଖୋଲି ନିଜର ମତ ରଖିଛନ୍ତି । ୮୬ ବର୍ଷୀୟ ଜିମି ଟାଟା, ଟାଟା ଟ୍ରଷ୍ଟସର ଅଧ୍ୟକ୍ଷ ନୋଏଲ୍ ଟାଟାଙ୍କୁ ମିଳିଥିବା ବିଶେଷ କ୍ଷମତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏଥିସହ ଟାଟା ସନ୍ସକୁ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ କରିବା ଏବଂ ଏନ୍. ଚନ୍ଦ୍ରଶେଖରନଙ୍କୁ ତୃତୀୟ ଥର ପାଇଁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବାକୁ ସମର୍ଥନ କରିଛନ୍ତି ।

ଟାଟା ସନ୍ସକୁ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ କରିବା ସପକ୍ଷରେ ଜିମି ଟାଟା ମତ ରଖିଛନ୍ତି । ତାଙ୍କ କହିବା ଅନୁସାରେ, କମ୍ପାନି ଲିଷ୍ଟିଂ ହେଲେ ଏହାର କାର୍ଯ୍ୟପ୍ରଣାଳୀରେ ସ୍ୱଚ୍ଛତା ଆସିବା ସହ ପରିଚାଳନାଗତ ଉତ୍ତରଦାୟିତ୍ୱ ବଢ଼ିବ । ଟାଟା ସନ୍ସରେ ଟାଟା ଟ୍ରଷ୍ଟସ୍‌ର ପ୍ରାୟ ୬୬ ପ୍ରତିଶତ ଅଂଶଧନ ରହିଛି । ଅନ୍ୟପକ୍ଷରେ ଜିମି ଟାଟାଙ୍କ ବ୍ୟକ୍ତିଗତ ଅଂଶଧନ ପ୍ରାୟ ୦.୮୧ ପ୍ରତିଶିତ ରହିଛି । ସେପଟେ କିନ୍ତୁ ଟାଟା ଟ୍ରଷ୍ଟସ୍‌ର ଅଧ୍ୟକ୍ଷ ନୋଏଲ ଟାଟା ଟାଟା ସନ୍ସର ଲିଷ୍ଟିଂକୁ ବିରୋଧ କରୁଛନ୍ତି । ଟାଟା ସନ୍ସରେ ନୋଏଲଙ୍କ ବ୍ୟକ୍ତିଗତ ଅଂଶଧନ ପ୍ରାୟ ୧ ପ୍ରତିଶତ ରହିଛି । ନିକଟରେ ଏକ କାର୍ଯ୍ୟକ୍ରମରେ ନୋଏଲ କହିଥିଲେ ଯେ, ଟାଟା ସନ୍ସକୁ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ କଲେ ଟାଟା ଗ୍ରୁପ୍‌ର କାର୍ଯ୍ୟଶୈଳୀ ବଦଳିଯିବ । ଏହାଦ୍ୱାରା ସମାଜସେବା ଓ ଜନକଲ୍ୟାଣ ଅପେକ୍ଷା ଲାଭ ଉପାର୍ଜନକୁ ଅଧିକ ଗୁରୁତ୍ୱ ମିଳିପାରେ । କିନ୍ତୁ ଜିମି ଟାଟା ଏହାର ବିପରୀତ ମତ ରଖିଛନ୍ତି ।

RBIର ହସ୍ତକ୍ଷେପ ଦାବି

ଟାଟା ସନ୍ସକୁ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ କରିବା ପାଇଁ ଆରବିଆଇ ଏକ ସମୟସୀମା ଧାର୍ଯ୍ୟ କରୁ ବୋଲି ଜିମି ଦାବି କରିଛନ୍ତି । ଏଥି ସହିତ ଟାଟା ଗ୍ରୁପକୁ ଛୋଟ ଛୋଟ ଭାଗରେ ବିଭକ୍ତ କରି ଲିଷ୍ଟିଂ ନିୟମକୁ ଏଡ଼ାଇବାର ସୁଯୋଗ ନ ଦେବାକୁ ମଧ୍ୟ ସେ ଆରବିଆଇକୁ ଅନୁରୋଧ କରିଛନ୍ତି ।

ଚନ୍ଦ୍ରଶେଖରନଙ୍କ ତୃତୀୟ କାର୍ଯ୍ୟକାଳକୁ ସମର୍ଥନ

ଟାଟା ଗ୍ରୁପରେ ଆଉ ଏକ ବଡ଼ ବିବାଦ ହେଉଛି ଟାଟା ସନ୍ସରେ ଏନ୍. ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତି । ଜିମି ଟାଟା ଚନ୍ଦ୍ରଶେଖରନଙ୍କୁ ତୃତୀୟ କାର୍ଯ୍ୟକାଳ ସପକ୍ଷରେ ମତ ରଖିଛନ୍ତି । ସେ କହିଛନ୍ତି, ଟାଟା ଗ୍ରୁପର ପୂର୍ବତନ ମୁଖ୍ୟ ଜେଆରଡି ଟାଟା ସବୁବେଳେ ଭଲ ପ୍ରଦର୍ଶନ କରୁଥିବା ଅଧିକାରୀଙ୍କୁ ଉତ୍ସାହିତ କରୁଥିଲେ । ଜିମିଙ୍କ ଅଭିଯୋଗ ଅନୁସାରେ, ଟାଟା ସନ୍ସର ନିର୍ଦ୍ଦେଶକ ମଣ୍ଡଳୀର ଅଧିକାଂଶ ସଦସ୍ୟଙ୍କ ସମର୍ଥନ ଥିବା ସତ୍ତ୍ୱେ ନୋଏଲ ଟାଟା ନିଜର ବିଶେଷ କ୍ଷମତା ବ୍ୟବହାର କରି ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତିକୁ ରୋକିବାକୁ ଉଦ୍ୟମ କରିଥିଲେ ।

ଟ୍ରଷ୍ଟରେ ପରିବାର ସଦସ୍ୟଙ୍କ ସଂଖ୍ୟା ବଢ଼ିବାକୁ ବିରୋଧ

ଟାଟା ଟ୍ରଷ୍ଟସ୍ରେ ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କୁ ସାମିଲ କରାଯିବା ନେଇ ମଧ୍ୟ ଜିମି ଟାଟା ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ଅଭିଯୋଗ ହେଉଛି, ନିକଟ ଅତୀତରେ ଟ୍ରଷ୍ଟସ୍‌ରେ ବର୍ତ୍ତମାନର ଅଧ୍ୟକ୍ଷଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତି ବଢ଼ିଛି । ଏହାଦ୍ୱାରା ଟାଟା ସନ୍ସ ଉପରେ ପରିବାରର ନିୟନ୍ତ୍ରଣ ଆହୁରି ମଜଭୁତ ହୋଇପାରେ । ଜିମିଙ୍କ ମତରେ, ଗୋଟିଏ ଟ୍ରଷ୍ଟରେ ଗୋଟିଏ ପରିବାରର ଏକାଧିକ ସଦସ୍ୟ ରହିବା ଉଚିତ୍ ନୁହେଁ । ଏହାଦ୍ୱାରା ଟାଟା ସନ୍ସରେ ଟ୍ରଷ୍ଟର ବୃହତ୍ ଅଂଶଧନ ଉପରେ ପରିବାରର ମାଲିକାନା ଭଳି ନିୟନ୍ତ୍ରଣ ସୃଷ୍ଟି ହୋଇପାରେ ।

ସ୍ଥାୟୀ ଟ୍ରଷ୍ଟିଙ୍କୁ ନେଇ ବିବାଦ କ’ଣ ?

ଜିମି ଟାଟା ୧୯୮୯ ମସିହାରୁ ସର୍ ରତନ ଟାଟା ଟ୍ରଷ୍ଟର ଟ୍ରଷ୍ଟି ଅଛନ୍ତି । ଟାଟା ସନ୍ସରେ ଅଂଶଧନ ଥିବା ପ୍ରମୁଖ ଟ୍ରଷ୍ଟ ମଧ୍ୟରୁ ଏହା ଅନ୍ୟତମ । ମହାରାଷ୍ଟ୍ରର ସଂଶୋଧିତ ନିୟମ ଅନୁସାରେ, କୌଣସି ଟ୍ରଷ୍ଟର ମୋଟ ଟ୍ରଷ୍ଟିଙ୍କ ମଧ୍ୟରୁ ସର୍ବାଧିକ ଏକ ଚତୁର୍ଥାଂଶ ଟ୍ରଷ୍ଟିଙ୍କୁ ଆଜୀବନ ଟ୍ରଷ୍ଟି ଭାବେ ରଖାଯାଇପାରିବ । ସର୍ ରତନ ଟାଟା ଟ୍ରଷ୍ଟରେ ବର୍ତ୍ତମାନ ଚାରିଜଣ ଟ୍ରଷ୍ଟି ଅଛନ୍ତି । ସେମାନେ ହେଲେ ନୋଏଲ ଟାଟା, ଜାହାଙ୍ଗୀର ଏଚ୍.ସି.ଜାହାଙ୍ଗୀର, ଜିମି ଟାଟା ଏବଂ ବେଣୁ ଶ୍ରୀନିବାସନ । ଏଥିମଧ୍ୟରୁ ନୋଏଲ, ଜାହାଙ୍ଗୀର ଓ ଜିମି ଆଜୀବନ ଟ୍ରଷ୍ଟି ଥିବାବେଳେ ବେଣୁ ଶ୍ରୀନିବାସନଙ୍କ କାର୍ଯ୍ୟକାଳ ୨୦୨୬ ଡିସେମ୍ବର ପର୍ଯ୍ୟନ୍ତ ରହିଛି । ଏହି ବ୍ୟବସ୍ଥାକୁ ନେଇ ଆଇନଗତ ଓ ପ୍ରଶାସନିକ ପ୍ରଶ୍ନ ଉଠିଛି ।