ନୂଆଦିଲ୍ଲୀ ୧୭।୦୭; କୋଲକାତାରେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି । ଲେଭେଲ କ୍ରସିଂ ପାର ହେଉଥିବାବେଳେ ଏକ ସ୍କୁଲ୍ ଭ୍ୟାନକୁ ଧକ୍କା ଦେଇଛି ଟ୍ରେନ୍ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜଣ ସ୍କୁଲ୍ ଛାତ୍ରଙ୍କ ସହ ଜଣେ ପଥଚାରୀଙ୍କର ମୃତ୍ୟୁ ଘଟିଛି । ଏହାରି ମଧ୍ୟରେ ଚାରି ଜଣ ପିଲା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।

ସୂଚନା ଅନୁଯାୟୀ, କର୍ଣ୍ଣସୁବର୍ଣ୍ଣ ଓ ଗୋବିନ୍ଦପୁର ରେଳ ଷ୍ଟେସନ୍ ମଧ୍ୟରେ ଥିବା ଏକ ଲେଭେଲ କ୍ରସିଂରେ ଏହି ଦୁର୍ଘଟଣା ଘଟିଛି । ସ୍କୁଲ୍ ବସଟି ପିଲାମାନଙ୍କୁ ନେଇ କ୍ରସିଂ ପାର ହେଉଥିବାବେଳେ ଦ୍ରୁତଗତିରେ ଆସୁଥିବା ଟ୍ରେନ୍ ବସକୁ ଧକ୍କା ଦେଇଥିଲା । ଧକ୍କାର ତୀବ୍ରତା ଏତେ ଜୋରଦାର ଥିଲା ଯେ ଭ୍ୟାନଟି ଦୂରକୁ ଛିଟିକି ପଡ଼ିଥିଲା । ଦୁର୍ଘଟଣାରେ ଦୁଇ ଜଣ ସ୍କୁଲ୍ ଛାତ୍ର ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଜଣେ ପଥଚାରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଆହତ ହୋଇଥିବା ଚାରି ଜଣ ଛାତ୍ରଙ୍କୁ ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଦଳ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲେ । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସବୁଠାରୁ ବଡ କଥା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ରେଳ କ୍ରସିଂ ଫାଟକ ଖୋଲା ଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ରେଳବାଇ, ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ଦୁର୍ଘଟଣାର ପ୍ରକୃତ କାରଣ କ'ଣ ଥିଲା ଏବଂ ଲେଭେଲ କ୍ରସିଂରେ କୌଣସି ଅବହେଳା ହୋଇଥିଲା କି ନାହିଁ, ସେନେଇ ତଦନ୍ତ ଆରମ୍ଭ ହୋଇଛି । ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।