ନୂଆଦିଲ୍ଲୀ ୧୯।୦୧: ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା । ଗୋଟିଏ ଟ୍ରେନ ଲାଇନଚ୍ୟୁତ୍ ହୋଇ ଅନ୍ୟ ଟ୍ରାକ ପଡିବା ପରେ ଧକ୍କା ଦେଲା ଅନ୍ୟ ଏକ ଟ୍ରେନ୍ । ଯେଉଁଥିରେ ଅତି କମରେ ୨୧ ଯାତ୍ରୀ ମୃତ, ଶତାଧିକ ଆହତ ହୋଇଛନ୍ତି । ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।

ଦୁର୍ଘଟଣା ଦକ୍ଷିଣ ସ୍ପେନର ଆଡାମୁଜ୍ ନଗର ନିକଟରେ ଘଟିଛି। ଯାହା କୋର୍ଡୋବା ସହର ନିକଟବର୍ତ୍ତୀ । ମାଲାଗାରୁ ମାଡ୍ରିଡ୍ ଯାତ୍ରା କରୁଥିବା ହାଇ ସ୍ପିଡ୍ ଟ୍ରେନ୍ ଲାଇନଚ୍ୟୁତ ହୋଇ ପାଖ ଟ୍ରାକ୍ ଉପରେ ପଡ଼ିଯାଇଥିଲା । ବିପରୀତ ଦିଗରେ ଯାଉଥିବା ମାଡ୍ରିଡ୍ରୁ ହୁଏଲଭା ଯାତ୍ରା କରୁଥିବା ଦ୍ୱିତୀୟ ଟ୍ରେନ୍ ଏଥିରେ ଧକ୍କା ହୋଇଥିଲା । ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଘଟଣାକୁ ନେଇ ଦୁଖଃ ପ୍ରକାଶ କରିଛନ୍ତି । ୩୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସା ପାଉଛନ୍ତି ।

ଟ୍ରେନ୍ର ଧ୍ୱଂସାବଶେଷରୁ ଲୋକଙ୍କ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳକୁ ବହୁତ ଅସୁବିଧା ହେଉଛି । ରବିବାର ମାଲାଗାରୁ ସ୍ଥାନୀୟ ସମୟ ସନ୍ଧ୍ୟା ୬:୪୦ଟାରେ ଟ୍ରେନ୍ ଛାଡ଼ିବାର ପ୍ରାୟ ୧୦ ମିନିଟ୍ ପରେ ଘଟିଥିଲା। ଏହି ଟେନରେ ପ୍ରାୟ ୫୦୦ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି । କର୍ଡୋବା ଅଗ୍ନିଶମ ବାହିନୀ ମୁଖ୍ୟ ଫ୍ରାନ୍ସିସ୍କୋ କାର୍ମୋନା ଦୁର୍ଘଟଣାର ସତ୍ୟତା ପ୍ରମାଣ କରି କହିଛନ୍ତି ଯେ ଗୋଟିଏ ଟ୍ରେନ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ ପ୍ରାୟ ଚାରୋଟି ବଗି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲସ। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଆଣ୍ଟୋନିଓ ସାଞ୍ଜ ମୃତ୍ୟୁ ସଂଖ୍ୟା ନିଶ୍ଚିତ କରିଛନ୍ତି ଏବଂ ଆହତମାନଙ୍କ ପାଇଁ ସମବେଦନା ଏବଂ ପ୍ରାର୍ଥନା କରିଛନ୍ତି। ତେବେ କ’ଣ ପାଇଁ ଟ୍ରେନ ଲାଇନଚ୍ୟୁତ ହେଲା ତା’ର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।