ନୂଆଦିଲ୍ଲୀ: ଭାରତର କୋଟି କୋଟି ପ୍ରିପେଡ୍ ମୋବାଇଲ ଉପଭୋକ୍ତାଙ୍କ ଏକ ବଡ଼ ଖବର ଆସିଛି। ଏବେ ଆପଣଙ୍କୁ ଆଉ ୨୮ ଦିନ ନୁହେଁ ବରଂ ପୂରା ୩୦ ଦିନର ରିଚାର୍ଜ ପ୍ଲାନ୍ ମିଳିବ। ତା' ସହିତ ଶସ୍ତା ଭଏସ୍ ଓନ୍‌ଲି ପ୍ଲାନ୍ ବି ହେବ ଲଞ୍ଚ। ରବିବାର କେନ୍ଦ୍ର ସରକାର 'ଟେଲିକମ୍ ଗ୍ରାହକ ସୁରକ୍ଷା (ତ୍ରୟୋଦଶ ସଂଶୋଧନ) ନିୟମାବଳୀ, ୨୦୨୬' କାର୍ଯ୍ୟକାରୀ କରିଛନ୍ତି। ଯାହାଦ୍ୱାରା ଗ୍ରାହକଙ୍କୁ ଏବେ ବର୍ଷକୁ ୧୩ ଟି ରିଚାର୍ଜରୁ ମୁକ୍ତି ମିଳିବ। ବିଜେପି ସାଂସଦ ରାଘବ ଚଢା ଏନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ପୂର୍ବରୁ କମ୍ପାନୀଗୁଡ଼ିକ ଅନାବଶ୍ୟକ ଡାଟାଯୁକ୍ତ ରିଚାର୍ଜ ପ୍ଲାନ ଦେଇ ଲୋକଙ୍କ ଠାରୁ ଟଙ୍କା ଲୁଟୁଥିଲେ। କମ୍ପାନୀଗୁ଼ଡ଼ିକର ପ୍ଲାନ ୨୮ ଦିନର ରହୁଥିଲା। ହେଲେ ଏବେ ଆଉ ଏହା ହେବନି। ନୂଆ ନିୟମ ଲାଗୁ ହେବ ପରେ କମ୍ପାନୀଗୁଡିକ ଏବେ ୨୮ ଦିନ ପରିବର୍ତ୍ତେ ପୂରା ୩୦ ଦିନର ରିଚାର୍ଜ ପ୍ଲାନ ଲଞ୍ଚ୍ କରିବେ।

ରାଘବ ଚଢା ଦେଲେ ସୂଚନା

ବିଜେପି ସାଂସଦ ରାଘବ ଚଢା ଏହି ନୂଆ ଅପଡେଟ୍ ସମ୍ପର୍କରେ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଖୁସୀ ଜାହିର କରିବା ସହିତ ସେ ଏହି ବିଷୟକୁ ସଂଦରେ ଉଠାଇଥିବା କଥା କହିଥିଲେ। ରାଘବ ଯେତେବେଳେ ଆମ ଆଦମୀ ପାର୍ଟିର ସାଂସଦ ଭାବରେ କାର୍ଯ୍ୟ କରୁଥିଲେ ସେତେବେଳେ ସେ ପ୍ରଥମେ ସଂସଦରେ ଏହି ତଥ୍ୟ ଉଠାଇଥିଲେ। ୧୧ ମାର୍ଚ୍ଚ ୨୦୨୬ରେ ରାଘବ ୨୮ ଦିନିଆ ରିଚାର୍ଜ ପ୍ଲାନ, କେବଳ କଲ୍ ଯିବ-ଆସିବା ପ୍ଲାନ ଲଞ୍ଚ କରିବାକୁ ସଂଦରେ ତର୍କ ରଖିଥଲେ। ଏବେ ସରକାର ଏହାର ସମାଧାନ କରିଥିବାରୁ ରାଘବ ଖୁସୀ ବ୍ୟକ୍ତ କରିବା ସହିତ ନୂଆ ନିୟମର ଫାଇଦା ବିଷୟରେ ଭିଡିଓ ଶେୟାର କରି ସୂଚନା ଦେଇଛନ୍ତି।

ରାଘବ କହିଛନ୍ତି ଏହି ନୂଆ ସଂଶୋଧେନରେ ଆପଣଙ୍କୁ ସର୍ବପ୍ରଥମେ ୨୮ ଦିନର ରିଚାର୍ଜ ପ୍ଲାନ ନୁହେଁ ପୂରା ୩୦ ଦିନର ପ୍ଲାନ ମିଳିବ। ଅର୍ଥାତ ବର୍ଷକୁ ଆପଣଙ୍କୁ ୧୩ ଥର ନୁହେଁ ୧୨ ଥର ରିଚାର୍ଜ କରିବାକୁ ପଡ଼ିବ।  ଏହି ୨୮ ଦିନର ବୈଧତା ଥିବା ଯୋଜନାଗୁଡ଼ିକ ପାଇଁ କମ୍ପାନୀଗୁଡ଼ିକୁ ପ୍ରାୟତଃ ପ୍ରତିବର୍ଷ ଗୋଟିଏ ମାସର ଅତିରିକ୍ତ ଟଙ୍କା ଆଦାୟ କରି ନେଉଥିଲେ। ଏହି ପ୍ଲାନ ୩୦ ଦିନର ହୋଇଯିବା ପରେ ସାଧାରଣ ଲୋକଙ୍କ ପକେଟ ଉପରେ ପଡୁଥିବା  ଅନାବଶ୍ୟକ ବୋଝ ଯଥେଷ୍ଟ ହ୍ରାସ ହୋଇପାରିବ।

ଦ୍ୱିତୀୟ ବଡ଼ କଥା ହେଲା ଯେଉଁ ଉପଭୋକ୍ତାମାନେ ଡାଟା ଚାହୁଁ ନାହାନ୍ତି ସେମାନଙ୍କ ପାଇଁ ପ୍ରିପେଡ୍ ଭଏସ ଓନଲି ପ୍ଲାନ୍ ଦିଆଯିବ। ଏଥିରେ କେବଳ ଆପଣଙ୍କୁ ଇନକମିଂ ଓ ଆଉଟଗୋଇଂ ପ୍ଲାନ ଦିଆଯିବ। ମାନେ ଫୋନ ଆସିବ ଓ ଯିବ। କୌଣସି ଡାଟା ପ୍ୟାକ୍ ରହିବ ନାହିଁ କି ଏଥିପାଇଁ ଗ୍ରାହକଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡ଼ିବ ନାହିଁ। ଏବେ ଏୟାରଟେଲ, ଜିଓ, ଭୋଡାଫୋନ ଏବଂ ବିଏସଏନଏଲ ଭଳି ଟେଲିକମ୍ କମ୍ପାନୀଗୁଡ଼ିକୁ ଏବେ ସୁଲଭ ଭଏସ୍ ଏବଂ ଏସଏମଏସ୍ ଯୋଜନା ପ୍ରଦାନ କରିବାକୁ ବାଧ୍ୟ ହେବେ। ଏହା ସୁଲଭ ମୋବାଇଲ୍ ସେବା ଖୋଜୁଥିବା ଲୋକଙ୍କୁ ଯଥେଷ୍ଟ ଆଶ୍ୱସ୍ତି ପ୍ରଦାନ କରିବ।