ମହାରାଷ୍ଟ୍ର ୧୭/୦୪: ସତରେ ମୃତ୍ୟୁ କେତେବେଳେ କାହା ପାଇଁ କେମିତି ଆସିବ କେହି କହିପାରିବେନି୨ସାଙ୍ଗ ବାଇକରେ ହଷ୍ଟେଲରୁ ବାହାରି ଯାଇଥିଲେ ଡିନର କରିବାକୁ । ଡିନର ସାରି ଫେରୁଥିଲେ କିନ୍ତୁ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିଲେନି । ତାଙ୍କ ସହ ଯାହା ଅଘଟଣ ହେଲା କାହାକୁ ଜଣାଇ ପାରିଲେନି । କାହିଁକି ନା ଜଣେ ସାଙ୍ଗ ହୋଟେଲରେ ଫୋନ ଛାଡିଦେଇଥିଲେ ଅନ୍ୟ ଜଣକ ଫୋନରେ ଚାର୍ଜ ନଥିଲା । ଶେଷରେ ଉଭୟଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ମୃତକ ୨ଜଣ ଆଇନ ଛାତ୍ର । ମହାରାଷ୍ଟ୍ରରୁ ଆସିଥିବା ଏ ଖବର ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି ।

୨ ସାଙ୍ଗ ସକ୍ଷମ ବନସୋଡ ଓ ଆର୍ଯ୍ୟନ ସୋଣ୍ଟାକ୍କେ ।ମହାରାଷ୍ଟ୍ର ନ୍ୟାସନାଲ ‘ଲ’ ୟୁନିଭରସିଟି(MNLU)ରେ ପାଠ ପଢୁଥିଲେ । ସବୁଦିନ ପରି ବୁଧବାର ରାତିରେ ଉଭୟ ମିଶି ବାହାରକୁ ଖାଇବାକୁ ଆସିଥିଲେ । ମନ ପସନ୍ଦର ଖାଦ୍ୟ ଖାଇ ଉଭୟ ବାଇକରେ ଫେରୁଥିଲେ । ୟୁନିଭରସିଟି ପଛ ପଟ କଚ୍ଚା ରାସ୍ତାରେ ସେମାନଙ୍କ ବାଇକ ଗଡୁଥିଲା । ଆଉ କିଛି ସମୟ ପରେ ରୁମ୍‌ରେ ପହଞ୍ଚିଯାଇଥାନ୍ତେ କିନ୍ତୁ ହଠାତ ଘଟିଲା ଅଘଟଣ । ଭାରସାମ୍ୟ ହରାଇ ବାଇକ ଖସି ପଡିଥିଲା । ଉଭୟ ସିଧା ଯାଇ ଏକ ଖାଲରେ ପଡିଯାଇଥିଲେ । ସେମାନେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । କିନ୍ତୁ ସେ ସ୍ଥାନଟି ଏତେ ନିର୍ଜନ ଥିଲା ଯେ କେହି ସେମାନଙ୍କର ପାଟି ଶୁଣିପାରି ନଥିଲେ କି ଦୁର୍ଘଟଣା ସଂପର୍କରେ କେହି ଟେର୍‌ ପାଇନଥିଲେ । ଉଭୟ ସାହାଯ୍ୟ ପାଇଁ ଫୋନ୍‌ ଖୋଜିଲେ । କିନ୍ତୁ ଯୋଗକୁ ଦେଖନ୍ତୁ ୨ସାଙ୍ଗ କେହି ଫୋନ ଆଣିନଥିଲେ । ଜଣେ ହୋଟେଲରେ ଫୋନ ଛାଡିଦେଇଥିଲେ ଅନ୍ୟ ଜଣକ ଫୋନ ବ୍ୟାଟେରୀ ସରିଯାଇଥିଲା । ସେଥିପାଇଁ କାହାକୁ ଯୋଗାଯୋଗ ସମ୍ଭବ ହୋଇନଥିଲା । କିଛି ବାଟ ନପାଇଁ ଉଭୟ ଗାତ ଭିତରେ ଅପେକ୍ଷା କରି ରହିଲେ କାଳେ କିଏ ଆସିବ । କିନ୍ତୁ କେହି ଆସିନଥିଲେ । ଅନ୍ଧାର ରାତିରେ ନିର୍ଜନ ସ୍ଥାନରେ ପଡି ଉଭୟ ଶେଷ ନିଶ୍ବାସ ତ୍ୟାଗ କଲେ ।  ଏପଟେ ରାତି ପ୍ରାୟ ସାଢେ ୧୦ଟା ହୋଇଯାଇଥିଲେ ସୁଦ୍ଧା ସେମାନେ ଫେରିନଥିଲେ । ଫଳରେ କଲେଜ କର୍ତ୍ତୃପକ୍ଷ ଉଭୟଙ୍କ ପରିବାରଲୋକଙ୍କୁ ଜଣାଇଥିଲେ । ଏହାପରେ ଖୋଜାଖୋଜି ଆରମ୍ଭ ହୋଇଯାଇଥିଲା କିନ୍ତୁ ସେମାନଙ୍କର ପତ୍ତା ମିଳିନଥିଲା ।

 ପରଦିନ ସକାଳେ ଗୁରୁବାର ଜଣେ ପଥଚାରୀ ନାଳରେ ୨ଟି ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କର ମୃତଦେହ ଉଦ୍ଧାର କରିଥିଲେ । ଦୁର୍ଘଟଣାଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଦ୍ରୁତ ଗତିରେ ଗାଡି ଚାଳନା କାଳ ହୋଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି । ଉଭୟ ଗାତରେ ପଡିବା ପରେ ଗୁରୁତର ଆହତ ହୋଇଥିଲେ ।କିଛି ସମୟ ପରେ ମୃତ୍ୟୁ ହୋଇଯାଇଥିଲା ।  ତେବେ ସକ୍ଷମଙ୍କ ବାପା ମହାରାଷ୍ଟ୍ର ୱାର୍ଦ୍ଧା ସହରର ଜଣେ ସିଭିଲ ଜଜ୍‌ ଥିବାବେଳେ ସୋନଟାକ୍କେଙ୍କ ବାପା ଜଣେ ଓକିଲ । ୨ଛାତ୍ରଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏପରି ଅଘଟଣ ପରେ ବିଶ୍ବବିଦ୍ୟାଳୟରେ ଗୋଟିଏ ଦିନ ପାଇଁ ସମସ୍ତ ଶ୍ରେଣୀକୁ ସ୍ଥଗିତ ରଖାଯାଇଥିଲା ।  

Also Read: ଅଭାବନୀୟ ! ଜନ୍ମ କଲା ମାଆକୁ ୪ ମହଲାରୁ ଫିଙ୍ଗି ଦେଲା ପୁଅ