ଲକ୍ଷ୍ନୌ, ୨୬/୧୦ : ଭୟଙ୍କର ଦୁର୍ଘଟଣା । ରାସ୍ତାରେ ମୂର୍ତ୍ତି ବିସର୍ଜନ ପାଇଁ ଶୋଭାଯାତ୍ରା କରୁଥିଲେ ଲୋକେ । ମାଡ଼ିଗଲା କାର୍ । ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଫିରୋଜାବାଦରେ । ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହାସହ ଅନେକ ଆହତ ହୋଇଛନ୍ତି । ଫଳରେ ଖୁସିର ମାହୋଲ ଲୁହରେ ଭିଜିଛି ।

ପୋଲିସର କହିବାନୁସାରେ, ରବିବାର ରାତି ୮ଟା ୩୦ରେ ଦୁର୍ଘଟଣା ଘଟିଛି । ନସୀରପୁର ଥାନା କ୍ଷେତ୍ରର ଛତନପୁରା ଗ୍ରାମ ନିକଟ ଦେଇ ଯାଇଥିବା ଶିକୋହାବାଦ-ବଟେଶ୍ୱର ରାସ୍ତାରେ ଏକ ଶୋଭାଯାତ୍ରା ଚାଲିଥିଲା । ଏଠାରେ ଏକ ମୂର୍ତ୍ତି ବିସର୍ଜନ ପାଇଁ ଲୋକେ ରାସ୍ତାରେ ଯାଉଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଚାରି ଜଣ ଜୀବନ ହାରିଛନ୍ତି ।

Also Read :- ପାଖେଇ ଆସିଲାଣି 'ଅର୍ଣ୍ଣବ' : ଆଜି ରାତିରୁ ପ୍ରବଳ ବର୍ଷା, ୧୪୦ ଛୁଇଁବ ପବନର ବେଗ !

ମୃତକଙ୍କ ମଧ୍ୟରେ ତିନି ଜଣ ନାବାଳିକା ରହିଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ହେଲେ ଅଞ୍ଜଳି, ଆକାଂକ୍ଷା, ବବଲି ଏବଂ ହରୀଶ କୁମାର । ଏହାସହ ଅନ୍ୟ କିଛି ଜଣ ଆହତ ହୋଇଛନ୍ତି । କାରରେ ବସିଥିବା କିଛି ବ୍ୟକ୍ତି ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଲୋକେ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏଠାରେ ଆହତଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟ ଦିଗରେ କାର୍ ଚାଳକଙ୍କୁ ପୋଲିସ ଅଟକ ରଖିଛି । ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରହିଛି ।