ନୀଳଗିରି ୨୮।୧୦ : ବାଲେଶ୍ୱର ଜିଲ୍ଲା ନୀଳଗିରିର ବାଲିଗୋହିରୀ ପେଟ୍ରୋଲ ପମ୍ପରେ ଅଘଟଣ। ପୁରୁଣା ଟାଙ୍କି କାଟିବା ବେଳେ ବିସ୍ଫୋରଣ ଘଟି ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ବିମ୍ବୁରିଆ ଗ୍ରାମର ବିରେନ୍ଦ୍ର ସିଂହ। ଏହି ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ଖବର ଅନୁଯାୟୀ, ପେଟ୍ରୋଲ ପମ୍ପରେ କମ୍ପାନୀ ପକ୍ଷରୁ ଏକ ନୂଆ ଟାଙ୍କି ସ୍ଥାପନ କରାଯାଇ ପୁରୁଣା ଟାଙ୍କି ଉପରେ ରଖାଯାଇଥିଲା। ପୁରୁଣା ଟାଙ୍କିକୁ ଗ୍ୟାସ୍ କଟର ସାହାଯ୍ୟରେ କାଟିବା କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଟାଙ୍କିଟି ଫାଟି ଯାଇଥିଲା। ଫଳରେ ଟାଙ୍କିରୁ ଛିଟିକି ଆସିଥିବା ଲୁହା ଖଣ୍ଡ ବିରେନ୍ଦ୍ରଙ୍କ ଦେହରେ ବାଜିଥିଲା। ଏଥିରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।

Also Read:-ବାତ୍ୟା ‘ଅର୍ଣ୍ଣବ’ର କରୁଣ ପରିଣତି! ଅସ୍ତରଙ୍ଗରେ କାନ୍ଥ ଭୁଶୁଡ଼ି ମହିଳାଙ୍କ ମୃତ୍ୟୁ

ଏହି ଘଟଣା ପରେ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମୃତଦେହ ରଖି ପରିବାର ଲୋକେ ଓ ଗ୍ରାମବାସୀ ସେରଗଡ଼-ଉଦଳା ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଦାବି ପୂରଣ ନହେବା ଯାଏଁ ରାସ୍ତାରୋକ ଜାରି ରହିବ ବୋଲି ଚେତାବନୀ ବି ଦେଇଛନ୍ତି।

ଅନ୍ୟପଟେ, ଘଟଣାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ପେଟ୍ରୋଲ ପମ୍ପ ମାଲିକଙ୍କୁ ଅଟକ ରଖାଯାଇଛି। ଟାଙ୍କି କାଟିବା ସମୟରେ ସୁରକ୍ଷା ବ୍ୟବସ୍ଥାରେ କୌଣସି ଅବହେଳା ହୋଇଥିଲା କି ନାହିଁ, ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ।