ନୂଆଦିଲ୍ଲୀ ୨୮।୧୦; ଭାରତରେ ହନୁମାନଙ୍କୁ କେବଳ ଦେବତା ରୂପେ ପୂଜା କରାଯାଏ ନାହିଁ, ବରଂ ଭାବନା ଓ ବିଶ୍ୱାସର ପ୍ରତୀକ ରୂପେ ବିବେଚନା କରାଯାଏ । ସହର, ବଜାର, ବସ୍ତି, ସୁଦୂର ଗାଁମାନଙ୍କରେ ହନୁମାନ ମନ୍ଦିର ଦେଖିବାକୁ ମିଳେ । କିନ୍ତୁ ଉତ୍ତରାଖଣ୍ଡରେ ଏକ ହିମାଳୟୀ ଗାଁ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଯେତିକି ପରିଚିତ, ଆଉ ଏକ କାରଣ ପାଇଁ ସେତିକି ଲୋକପ୍ରିୟ । ଏ ଗାଁର ଲୋକେ ହନୁମାନଙ୍କୁ ପୂଜା କରନ୍ତି ନାହିଁ । ଏପରିକି ଗାଁରେ ହନୁମାନଙ୍କର କୌଣସି ମନ୍ଦିର ବି ନାହିଁ । ଏହା ପଛରେ ଖୁବ୍ ରୋଚକ କାରଣ ଅଛି, ଯାହା ରାମାୟଣ ଓ ସଞ୍ଜୀବନୀ ବୁଟି ସହ ଜଡ଼ିତ ଶତାବ୍ଦୀ ପୁରୁଣା ବିଶ୍ୱାସ ଉପରେ ପର୍ଯ୍ୟବସିତ।

ଗାଁର ନାଁ ଦ୍ରୋଣଗିରି । ଚମୋଲି ଜିଲ୍ଲାର ସୁଦୂର ପାହାଡ଼ିଆ ଅଞ୍ଚଳ । ସମୁଦ୍ର ପତ୍ତନଠୁ ୩,୬୫୮ ମିଟର ଉଚ୍ଚରେ ଅବସ୍ଥିତ ଦ୍ରୋଣଗିରି ପ୍ରାଚୀନ ପଥର ଘର ଓ ସୁଉଚ୍ଚ ଟ୍ରେକିଂ ମାର୍ଗ ଲାଗି ପରିଚିତ । ପ୍ରାକୃତିକ ପରିଦୃଶ୍ୟ ସମେତ ଭାରତର ଅନାଲୋଚିତ ସାଂସ୍କୃତିକ ଓ ଧାର୍ମିକ ପରମ୍ପରାରେ ରୁଚି ରଖୁଥିବା ବ୍ୟକ୍ତିଙ୍କୁ ଏହି ଗାଁ ଆକର୍ଷଣୀୟ ଭ୍ରମଣ ଅନୁଭବ ପ୍ରଦାନ କରେ । ଦ୍ରୋଣଗିରିରେ ଗୋଟିଏ ବି ହନୁମାନ ମନ୍ଦିର ନ ଥିବା ପଛରେ କିମ୍ବଦନ୍ତୀ କହେ, ଲଙ୍କାରେ ଶ୍ରୀରାମ-ରାବଣ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଯେତେବେଳେ ଲକ୍ଷ୍ମଣ ଆହତ ହେଲେ, ଜୀବନ ପ୍ରଦାନକାରୀ ସଞ୍ଜୀବନୀ ବୁଟି ଖୋଜିବାକୁ ହନୁମାନଙ୍କୁ ହିମାଳୟକୁ ପଠାଗଲା । ହନୁମାନ ହିମାଳୟରେ ପହଞ୍ଚିଲେ କିନ୍ତୁ ସେହି ଔଷଧୀୟ ଗଛକୁ ଚିହ୍ନିପାରିଲେ ନାହିଁ । ତେଣୁ ପୂରା ପର୍ବତକୁ ଉଠାଇ ଲଙ୍କାର ଯୁଦ୍ଧକ୍ଷେତ୍ରକୁ ଆଣିଲେ।

କିନ୍ତୁ ଦ୍ରୋଣଗିରି ବାସିନ୍ଦା ଏହି କାହାଣୀକୁ ଭିନ୍ନ ଭାବରେ ଜାଣନ୍ତି । ସ୍ଥାନୀୟ ବିଶ୍ୱାସ ଅନୁସାରେ, ରାମ-ରାବଣ ଯୁଦ୍ଧ କାହାଣୀରେ ଜଡ଼ିତ ଏହି ପର୍ବତ ଦ୍ରୋଣଗିରି ପର୍ବତ ଥିଲା । ଗାଁ ଲୋକେ ଏହାକୁ ପବିତ୍ର ଶୃଙ୍ଗ ଭାବେ ପୂଜା କରୁଥିଲେ । ଗାଁରେ ପ୍ରଚଳିତ କାହାଣୀ ଅନୁସାରେ, ଏହି ପବିତ୍ର ପର୍ବତକୁ ହନୁମାନ ନଷ୍ଟ କରିଥିଲେ କିମ୍ବା ସଞ୍ଜୀବନୀ ବୁଟି ଖୋଜିବା ସମୟରେ ଏହାର ଏକ ଅଂଶକୁ ହଟାଇ ଦେଇଥିଲେ । ସ୍ଥାନୀୟ ଲୋକଙ୍କ ଭାବନା ଓ ଆସ୍ଥାକୁ ଏହା ଆଘାତ ଦେଇଥିଲା । ଏହି କାରଣ ଲାଗି ସେବେଠୁ ଗ୍ରାମବାସୀ ହନୁମାନଙ୍କୁ ପୂଜା କରନ୍ତି ନାହିଁ । ସେଥିପାଇଁ ଗାଁରେ ଗୋଟିଏ ବି ହନୁମାନ ମନ୍ଦିର ନାହିଁ । ଦ୍ରୋଣଗିରି ଭୋଟିୟା ସାଂସ୍କୃତିକ ପରମ୍ପରା ସହ ଜଡ଼ିତ । ଏଠାରେ ଘରଗୁଡ଼ିକ ସ୍ଲେଟ୍ ଛାତ ଓ ପାରମ୍ପରିକ ପଥରଯୁକ୍ତ । ଜୀବିକା ନିର୍ବାହ ଲାଗି ଗାଁ ଲୋକ ଚାଷ ଓ ପଶୁପାଳନ ଉପରେ ନିର୍ଭର କରନ୍ତି ।