ଭୋପାଳ, ୨୮/୧୦ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୧୯ ମାସର ଏକ ଅଣ୍ଡିରା ଚିତା କେଏନ୍ଜି-୨୨କୁ ଗୁଳିକରି ହତ୍ୟା କରାଯାଇଛି। ମାଈ ଚିତା ନିର୍ବା ଠାରୁ ଜନ୍ମିତ ଏହି ଚିତାକୁ ଗୁରୁତର ଅବସ୍ଥାରେ ମୋରେନା ଜିଲ୍ଲାର ପାହାଡଗଡ ରେଞ୍ଜରୁ ଉଦ୍ଧାର କରାଯିବା ପରେ କୁନୋକୁ ଅଣାଯାଇଥିଲା। ସେଠାରେ ଡାକ୍ତରମାନେ ତାର ଚିକିତ୍ସା କରିଥିଲେ। ଏକ୍ସ-ରେରୁ ତା ଶରୀରରେ ୫ଟି ପେଲେଟ୍ ଥିବା ଜଣାପଡିଥିଲା।

ପେଲେଟ୍ ମାଡ଼ ଯୋଗୁ ଚିତାର ଶରୀରର ଏକାଧିକ ଆଭ୍ୟନ୍ତରୀଣ ଅଙ୍ଗ ନଷ୍ଟ ହୋଇଯିବା ସହ ସ୍ନାୟୁତନ୍ତ୍ର ଖରାପ ହୋଇଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି। ଚିତାକୁ ଚିକିତ୍ସା କରିବାକୁ କୁନୋ ଆସିଥିବା ଜବଲପୁର ଭେଟେରିନାରି କଲେଜର ଡକ୍ଟର ଶୋଭା ଜାଭରେ କହିଛନ୍ତି ଯେ ଗୁଳି ଆଘାତ ଯୋଗୁ ତାର ମୃତ୍ୟୁ ଘଟିଛି। ମୃତ ଶରୀରରୁ ୫ଟି ଗୁଳି ମଧ୍ଯ ବାହାର କରାଯାଇଛି।

Also Read :-ରାତିରେ ଲ୍ୟାଣ୍ଡଫଲ୍ କଲା ଅର୍ଣ୍ଣବ : ଆନ୍ଧ୍ରରେ ତାଣ୍ଡବ, ଭାଙ୍ଗିଲା ବିରାଟ ଗଛ ଓ ଘର

ଏହି ଘଟଣା ସାମନାକୁ ଆସିବା ପରେ ରାଜ୍ୟ ଟାଇଗର୍ସ ଟାସ୍କ ଫୋର୍ସ ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଚିତାକୁ ଗୁଳିମାଡ଼ କରାଯାଇଥାଇପାରେ କିମ୍ବା ଶିକାର ଉଦ୍ଦେଶ୍ୟରେ କେହି ଚିତାକୁ ହୁଏତ ଗୁଳିମାଡ଼ କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ତେଣୁ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ଇତିମଧ୍ୟରେ ନିଜ ନାମ ଗୋପନ ରଖି ଜଣେ ସ୍ଥାନୀୟ ବନ କର୍ମଚାରୀ କହିଛନ୍ତି ଯେ ହତ୍ୟା କରାଯାଇଥିବା ଚିତା ସହ ଅନ୍ୟ ଏକ ଚିତା ଗତ ୨୫ ତାରିଖରେ ମରେନା ଜିଲ୍ଲାର ବାମୋରୀ ଗ୍ରାମରେ ପ୍ରବେଶ କରିଥିଲେ। ସେଠାରେ ଜଣଙ୍କ ଗୁହାଳରେ ପଶି ୨ଟି ବାଛୁରିକୁ ମାରିଥିଲେ।

ଗୁହାଳରେ ବାଛୁରିର ଚିତ୍କାର ଶୁଣିବା ପରେ ସମ୍ପୃକ୍ତ ପରିବାର ସଦସ୍ୟମାନେ ଉଠି ଗାଁ ଲୋକଙ୍କୁ ଡାକିଥିଲେ । ପରବର୍ତ୍ତୀ ସମୟରେ ସେଥିରୁ ଗୋଟିଏ ଚିତା ଗୁରୁତର ଅବସ୍ଥାରେ ପାହାଡ ରେଞ୍ଜରୁ ଉଦ୍ଧାର କରାଯାଇଥିଲା। ତେଣୁ ଗ୍ରାମବାସୀ ବୋଧହୁଏ ଗୁଳିମାଡ଼ କରିଥାଇପାରନ୍ତି। ପୁନର୍ବାସ ପରେ କୁନୋରେ ଏହା ପ୍ରଥମ ଚିତା ହତ୍ୟା ଘଟଣା । ତେଣୁ ଏହାର ସିବିଆଇ ତଦନ୍ତ ଲାଗି ବନ୍ୟପ୍ରାଣୀ କାର୍ଯ୍ୟକର୍ତ୍ତାମାନେ ଦାବି କରିଛନ୍ତି। ବନ୍ୟପ୍ରାଣୀ କାର୍ଯ୍ୟକର୍ତ୍ତା ଅଜୟ ଦୁବେ କହିଛନ୍ତି ଚିତାଙ୍କ ପାଇଁ ତମାମ ସୁରକ୍ଷା ସହ ଆଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଉଦ୍ୟାନ ଅଧିକାରୀମାନେ ଦାବି କରିଆସୁଥିଲେ। ଚିତାଙ୍କ ସୁରକ୍ଷା ଲାଗି ୧୮ଟି ସ୍ବତନ୍ତ୍ର ଟିମ୍ ରହିଛନ୍ତି। କିନ୍ତୁ ଚିତାକୁ ହତ୍ୟା କରାଯିବା ଘଟଣା ସେମାନଙ୍କର ସବୁ ଦାବିକୁ ପଦାରେ ପକାଇ ଦେଇଛି। ତେଣୁ ଏହାର ସିବିଆଇ ତଦନ୍ତ କରିବାକୁ ସେ ଦାବି କରିଛନ୍ତି ।