ନୂଆଦିଲ୍ଲୀ: ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ଅଡ଼ୁଆ ବଢ଼ିଛି । ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ଅଭିଯୋଗ ଆଧରରେ ଡେକୋକ୍ରାଟ୍‌ ପାର୍ଟି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଘେରିବାକୁ ଚେଷ୍ଟା କରିଛି । ସେପଟେ ଏହି ଅଭିଯୋଗ ଭିତ୍ତିହୀନ ଏବଂ ଟ୍ରମ୍ପଙ୍କୁ ଫସାଇବାକୁ ଡେମୋକ୍ରାଟ୍‌ ଯୋଜନା ପ୍ରସ୍ତୁତ କରିଛି ବୋଲି ରିପବ୍ଲିକାନ୍‌ ପକ୍ଷରୁ ଦାବି ହୋଇଛି । ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡ ବିଟ୍ରିସ୍‌ କ୍ୟୁଲ୍‌ ପୂର୍ବରୁ ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ନଭେମ୍ବର ୧୯୯୩ରେ ଟ୍ରମ୍ପଙ୍କୁ ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିଲେ ବୋଲି କ୍ୟୁଲ ଅଭିଯୋଗ କରିଥିଲେ ।   ଏବେ କିନ୍ତୁ ସେ କହିଛନ୍ତି, ଟ୍ରମ୍ପ ସେଦିନ ତାଙ୍କୁ ଦୁଷ୍କର୍ମ କରିଥିଲେ । ସେତେବେଳେ ତାଙ୍କର ବୟସ ୨୪ ବର୍ଷ ହୋଇଥିଲା । 

ସମ୍ପୃକ୍ତ ମହିଳା କ୍ୟୁଲଙ୍କ ଅନୁଯାୟୀ, ନ୍ୟୁ ୟର୍କର ପ୍ଲାଜା ହୋଟେଲରେ ଆୟୋଜିତ ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ସମୟରେ ସେ ପ୍ରଥମ ଥର ପାଇଁ ଟ୍ରମ୍ପଙ୍କୁ ଭେଟିଥିଲେ। ଟ୍ରମ୍ପ ତାଙ୍କୁ ଭିସା ବ୍ୟବସ୍ଥା କରିଦେବା ସହ ନ୍ୟୁୟର୍କ ୟୁନିଭର୍ସିଟିରେ ନାମଲେଖାରେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ, ଟ୍ରମ୍ପଙ୍କ ଜଣେ ପ୍ରତିନିଧି ତାଙ୍କୁ ହୋଟେଲର ଉପର ମହଲାକୁ ଡାକି ନେଇଥିଲେ। କୋଠରୀରେ ପ୍ରବେଶ କରିବା ମାତ୍ରେ ଟ୍ରମ୍ପ ତାଙ୍କୁ ପଛପଟୁ ଧରି ନେଇ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ତାଙ୍କର ପୋଷାକ ଚିରି ଯାଇଥିଲା ଏବଂ ଶରୀରର ବିଭିନ୍ନ ସ୍ଥାନରୁ ରକ୍ତସ୍ରାବ ସହ କ୍ଷତ ସୃଷ୍ଟି ହୋଇଥିଲା। ଏହି ନୃଶଂସ କାଣ୍ଡ ପରେ, ଟ୍ରମ୍ପ ତାଙ୍କୁ ଏହି ବିଷୟରେ କାହାକୁ ନକହିବାକୁ ବାଧ୍ୟ କରିଥିଲେ ଏବଂ ନିଜର ପ୍ରତିଶ୍ରୁତି ଦୋହରାଇଥିଲେ।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଟ୍ରମ୍ପଙ୍କ ସହ କଥାବାର୍ତ୍ତା ଶେଷ ହେବା ପରେ କୁଖ୍ୟାତ ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନ୍ ତାଙ୍କ ପାଖକୁ ଆସି ନିଜକୁ ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁ ବୋଲି ପରିଚୟ ଦେଇଥିଲେ । ତାଙ୍କୁ ମାର୍-ଏ-ଲାଗୋରେ ଆୟୋଜିତ ଏକ ପାର୍ଟିକୁ ନିମନ୍ତ୍ରଣ କରିଥିଲେ। ସେପଟେ ଟ୍ରମ୍ପ ଦୀର୍ଘ ଦିନରୁ ଦାବି କରିଆସୁଛନ୍ତି ଯେ, ଏପଷ୍ଟିନ୍‌ଙ୍କ ବିରୋଧରେ କୌଣସି ଅପରାଧିକ ଅଭିଯୋଗ ଆସିବା ପୂର୍ବରୁ ସେ ତାଙ୍କ ସହ ସମ୍ପର୍କ ଛିନ୍ନ କରିସାରିଥିଲେ। ତେବେ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍  ଦ୍ୱାରା ‘ଏପଷ୍ଟାଇନ୍ ଫାଇଲ୍ସ’ ପ୍ରକାଶକୁ ରୋକିବା ପାଇଁ ସେ ଚେଷ୍ଟା କରିଥିଲେ।  କିନ୍ତୁ ପରବର୍ତ୍ତୀ ସମୟରେ କଂଗ୍ରେସ ଦ୍ୱାରା ଗୃହୀତ ନିୟମ ଅନୁଯାୟୀ ଏହାକୁ ପ୍ରକାଶ କରାଯାଇଥିଲା। ଏହି ଦସ୍ତାବିଜଗୁଡ଼ିକରେ ଟ୍ରମ୍ପଙ୍କ ନାମ ବାରମ୍ବାର ଉଲ୍ଲେଖ ରହିଛି । ତଥାପି ସେ ନିର୍ଦ୍ଦୋଷ ବୋଲି ଦାବି କରୁଛନ୍ତି ।

ଡେମୋକ୍ରାଟ୍ସମାନଙ୍କ ଅନୁଯାୟୀ, କ୍ୟୁଲ୍‌ଙ୍କ ଏହି ଅଭିଯୋଗ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ଅନ୍ୟାନ୍ୟ ଯୌନ ନିର୍ଯାତନା ଅଭିଯୋଗ ସହ ସମାନ। ପାଞ୍ଚଜଣ ମହିଳା ଏପଷ୍ଟିଇନ୍‌ଙ୍କ ଉପସ୍ଥିତିରେ ଟ୍ରମ୍ପ ଦୁଷ୍କର୍ମ କିମ୍ବା ଯୌନ ନିର୍ଯାତନା ଦେଇଥିବା ନେଇ ସିଧାସଳଖ ଅଭିଯୋଗ ଆଣିଛନ୍ତି। ଏହା ସହ ଟ୍ରମ୍ପ ଏବଂ ଏପଷ୍ଟିନଙ୍କ ମଧ୍ୟରେ ସଂପର୍କକୁ ନେଇ ତଦନ୍ତ କରିବା ଲାଗି ସେମାନେ ଦାବି କରିଛନ୍ତି । ସୂଚନାଯୋଗ୍ୟ, ଜେଲ୍‌ରେ ଥିବା ବେଳେ ୨୦୧୯ରେ କୁଖ୍ୟାତ ଅପରାଧୀ ଜେଫ୍ରି ଏପଷ୍ଟିନର ମୃତ୍ୟୁ ହୋଇଥିଲା ।