ବୈପାରୀଗୁଡ଼ା ୧୬।୧୧ : କାର୍ତ୍ତିକ ସୋମବାରରେ ଗୁପ୍ତେଶ୍ୱର ପୀଠରେ ଅଘଟଣ। ମହାଦେବଙ୍କ ଦର୍ଶନ ପୂର୍ବରୁ ଚାଲିଗଲା ଜଣେ ଭକ୍ତଙ୍କ ଜୀବନ। ହଠାତ୍ ଅସୁସ୍ଥ ହୋଇପଡ଼ିବା ପରେ ମେଡିକାଲ ନେବା ବାଟରେ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ପୁରୀ ମାର୍କଣ୍ଡେଶ୍ୱର ସାହିସ୍ଥିତ ଲଙ୍ଗୁଳି ମଠର ମହାରାଜ ସୋମନାଥ ପୁରୀ।

ଖବର ଅନୁଯାୟୀ, ଗତ ଶୁକ୍ରବାର ୧୩ ତାରିଖରେ ମଠର କର୍ମଚାରୀ ଓ ସାଙ୍ଗସାଥୀଙ୍କୁ ମିଶାଇ ମୋଟ ୮ ଜଣ କୋରାପୁଟ ଜିଲ୍ଲା ବୁଲିବାକୁ ଆସିଥିଲେ। ଏହି ଗସ୍ତ ସମୟରେ ସେମାନେ ପ୍ରଥମେ ଦେଓମାଳି ଏବଂ ପରେ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଦର୍ଶନ କରିଥିଲେ। ଏହାପରେ ରବିବାର ସନ୍ଧ୍ୟାରେ ସମସ୍ତେ ଗୁପ୍ତେଶ୍ୱର ପୀଠରେ ପହଞ୍ଚିଥିଲେ। କାର୍ତ୍ତିକ ସୋମବାର ଅବସରରେ ସୋମବାର ସକାଳୁ ମହାଦେବଙ୍କ ଦର୍ଶନ କରିବାକୁ ଯୋଜନା ରହିଥିଲା। ହେଲେ ରାତିରେ ହଠାତ୍ ମହାରାଜ ସୋମନାଥ ପୁରୀ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତୁରନ୍ତ ତାଙ୍କୁ ବୈପାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ମେଡିକାଲରେ ପହଞ୍ଚିବା ପୂର୍ବରୁ ହିଁ ସେ ଆଖି ବୁଜିଥିଲେ।

Also Read:-ଘରେ ଶୋଇଥିଲେ ୪ ଜଣ, ହଠାତ୍ ମାଡ଼ିଆସିଲା ଦ୍ରୁତଗାମୀ କାର୍‌

ସେପଟେ ଏହି ଅଘଟଣ ପରେ ମହାରାଜଙ୍କ ସହ ଆସିଥିବା ସାଥୀମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ବୈପାରୀଗୁଡ଼ା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।