ମୋହନା ୧୬।୧୧ : ଘର ଭିତରେ ପଶିଗଲା ଦ୍ରୁତଗାମୀ କାର୍। ଭାଙ୍ଗିଲା ଘରର ଆସବାବପତ୍ର, ନଷ୍ଟ ହେଲା ସିଲେଇ ମେସିନ୍। ଅଳ୍ପକେ ବର୍ତ୍ତିଗଲେ ଗୋଟିଏ ପରିବାରର ୪ ସଦସ୍ୟ। ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପିଣ୍ଡିକି ଗାଁରେ।

ଗଭୀର ନିଦରେ ଶୋଇଥିଲେ ପରିବାର ଲୋକ। ହଠାତ୍ ଘର ଭିତରକୁ ମାଡ଼ି ଆସିଲା ଦ୍ରୁତଗାମୀ କାର୍। ଆଖି ପିଛୁଳାକେ ଛାରଖାର ହୋଇଗଲା ଘରର ଅନେକ ଆସବାବପତ୍ର। ଭାଙ୍ଗିଗଲା ସିଲେଇ ମେସିନ୍। ହେଲେ ଭଗବାନଙ୍କ କୃପାରୁ ଅଳ୍ପକେ ବର୍ତ୍ତିଗଲେ ଘରେ ଥିବା ୪ ଜଣ ସଦସ୍ୟ।

ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପିଣ୍ଡିକି ଗାଁରେ। ସୋମବାର ଭୋର ସମୟରେ ଏକ କାର୍ ମୋହନାରୁ ଚାନ୍ଦିପୁଟ ଅଞ୍ଚଳକୁ ଯାଉଥିଲା। ତେବେ ପିଣ୍ଡିକି ଗାଁ ରାସ୍ତା ନିକଟରେ ଚାଳକ ଗାଡ଼ିର ଭାରସାମ୍ୟ ହରାଇଥିଲେ। ଫଳରେ ରାସ୍ତାକଡ଼ରେ ଥିବା ହରପ୍ରସାଦ ବିଷୋୟୀଙ୍କ ଘର ଭିତରକୁ ପଶିଯାଇଥିଲା କାର୍।

Also Read:-ପଞ୍ଚାୟତ ନିର୍ବାଚନ ମୁଣ୍ଡ ଉପରେ, ହେଲେ ଖାଲି ରାଜକୋଷ ! ବିକାଶ ପାଇଁ ଟଙ୍କାଟିଏ ନାହିଁ

କାର୍ ଧକ୍କାରେ ଘରର ଅନେକ ଆସବାବପତ୍ର ଭାଙ୍ଗିଯିବା ସହ ସିଲେଇ ମେସିନ୍ ମଧ୍ୟ ନଷ୍ଟ ହୋଇଛି। ତେବେ ଦୁର୍ଘଟଣା ସମୟରେ ହରପ୍ରସାଦ ବିଷୋୟୀ, ତାଙ୍କ ପତ୍ନୀ ଏବଂ ପୁଅ ଓ ଝିଅ ପଛପଟେ ଥିବା ଅନ୍ୟ ଏକ କୋଠରୀରେ ଶୋଇଥିଲେ। ଯାହାଫଳରେ ୪ ଜଣ ଯାକ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି। ତେବେ ଘର ଭିତରକୁ କାର୍ ପଶିଯିବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା।