ଭୋପାଳ: ଟ୍ରାଫିକ ପୋଷାକ ପିନ୍ଧି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି, ଲୋକଙ୍କୁ ସ୍ନେହଁ ଓ ପ୍ରେମରେ ଟ୍ରାଫିକ ନିୟମ ବୁଝାଇ ବେଶ ଲୋକପ୍ରିୟତା ହାସଲ କରିଥିଲେ ମଧ୍ୟପ୍ରଦେଶ ଟ୍ରାଫିକ ପୋଲିସର ହେଡ୍ କନେଷ୍ଟେବଲ ବିବେକାନନ୍ଦ ତିୱାରୀ। ହେଲେ ସେ ତାଙ୍କ ଚାକିରିରୁ ଇସ୍ତଫା ଦେଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଯଦିଓ ପୋଲିସ ବିଭାଗ ଏପର୍ଯ୍ୟନ୍ତ ତାଙ୍କ ଇସ୍ତଫାକୁ ଗ୍ରହଣ କରି ନାହିଁ,ତାଙ୍କ ବିରୋଧରେ ତଦନ୍ତ ଚାଲିଛି।

ସୂଚନା ଅନୁସାରେ, ଡ୍ୟୁଟି ସମୟରେ ଅନୁପସ୍ଥିତ ରହିବା ଏବଂ ଡ୍ୟୁଟି ବେଳେ ପୋଲିସ ପୋଷାକ ପିନ୍ଧି ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ୍ କରିବା ଅଭିଯୋଗରେ ବିବେକାନନ୍ଦଙ୍କୁ ପୂର୍ବରୁ ନିଲମ୍ବିତ କରାଯାଇଥିଲା। ନିଲମ୍ବିତ ହେବାର କିଛି ଦିନ ପରେ ସେ ପୁଲିସ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏନେଇ ଏନଡିଟିଭିକୁ ପ୍ରତିକ୍ରିୟା ଦେଇ ବିବେକା ନନ୍ଦ କହିଛନ୍ତି "ମୋର ୧୨-୧୩ ବର୍ଷର ଚାକିରିରେ ପ୍ରଥମ ଥର ପାଇଁ ୭ ଦିନର ମେଡିକାଲ ଛୁଟି ମାଗିଥିଲି। ମୋତେ ଦିଆଗଲା ନାହିଁ। ମୁଁ ନିଦ୍ରାହିନତା ରୋଗରେ ପୀଡିତ ଥିଲି, ତଥାପି ମୋର ଆବେଦନକୁ ମଞ୍ଜୁର କରାଯାଇ ନଥିଲା। ସବୁକିଛି ବୁଝାଇବା ସତ୍ତ୍ୱେ, ମୋତେ ଡ୍ୟୁଟିରେ ଅନୁପସ୍ଥିତ ଦର୍ଶାଗଲା। ଏବଂ ତା'ପରେ ନିଲମ୍ବିତ କରାଯାଇଥିଲା। ମୋର ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରାଯାଇଥିଲା। ମୋର ମାନସିକ ଅବସ୍ଥା ଏତେ ଖରାପ ଥିଲା ଯେ ମୁଁ ଭାବିଲି ଯେ ମୁଁ ମୋ ଜୀବନ ଶେଷ କରିଦେବି କିମ୍ବା ଚାକିରି ଛାଡିଦେବି, ତେଣୁ ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି।"

ତେବେ ସବୁଠାରୁ ବଡ଼ କଥା ହେଲା ଚାକିରିରେ ସେ ଯେତିକି ଟଙ୍କା ରୋଜଗାର କରୁ ନଥିଲେ, ସେତିକି ଟଙ୍କା ସେ ସୋସିଆଲ୍ ମିଡିଆରୁ କରୁଥିଲେ। ସୋସିଆଲ୍ ମିଡିଆରେ ସେ ମାସକୁ କେତେ ଟଙ୍କା ରୋଜଗାର କରୁଥିଲେ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ବିବେକାନନ୍ଦ ତିୱାରୀଙ୍କ ଫେସବୁକ୍, ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମରେ ମୋଟ ୧.୮୮ କୋଟିରୁ ଅଧିକ ଫଲୋଅର୍ସ ରହିଛନ୍ତି। ସୋସିଆଲ ମିଡିଆରୁ ତାଙ୍କର ପ୍ରତିମାସ ୬ରୁ ୭ ଲକ୍ଷ ଟଙ୍କା ଆୟ ହେଉଛି ବୋଲି ସେ ନିଜେ କହିଛନ୍ତି।

ବିବେକାନନ୍ଦଙ୍କ କହିବା ଅନୁସାରେ, ସମସ୍ତ ସୋସିଆଲ ମିଡିଆ ଚ୍ୟାନେଲ୍ ତାଙ୍କ ପତ୍ନୀଙ୍କ ନାମରେ ରହିଛି ଏବଂ ସେ ସମ୍ପର୍କିତ ବ୍ୟାଙ୍କ ବିବରଣୀ ମଧ୍ୟ ବିଭାଗକୁ ଦେଇଛନ୍ତି। ତାଙ୍କ ଦାବି ହେଉଛି, ରିଲ୍ ପ୍ରସ୍ତୁତ କରିବା ପାଇଁ ନୁହେଁ, ବରଂ ମେଡିକାଲ ଛୁଟିକୁ ନେଇ ହୋଇଥିବା ଭୁଲ ବୁଝାମଣା କାରଣରୁ ତାଙ୍କୁ ନିଲମ୍ବନ କରାଯାଇଥିଲା। ସେ କହିଛନ୍ତି ଯେ, ମାନସିକ ଚାପ ଏବଂ ଅନିଦ୍ରା ସମସ୍ୟା ଯୋଗୁ ଡାକ୍ତର ତାଙ୍କୁ ଏକ ସପ୍ତାହ ବିଶ୍ରାମ କରିବାକୁ ପରାମର୍ଶ ଦେଇଥିଲେ। ଏହାର ସୂଚନା ସେ ୱାଟସ୍ଆପ୍ ଗ୍ରୁପ୍ରେ ମଧ୍ୟ ଦେଇଥିଲେ। ତଥାପି କିଛି ନ ବୁଝି ତାଙ୍କୁ ନିଲମ୍ବିତ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ପୂର୍ବରୁ ରେକର୍ଡ ଭିଡିଓ ଅପଲୋଡ୍ ହୋଇଥିଲା

ବିବେକାନନ୍ଦ କହିଛନ୍ତି, ମେଡିକାଲ ଛୁଟି ସମୟରେ ଯେଉଁ ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ଅପଲୋଡ୍ ହୋଇଥିଲା, ସେଗୁଡ଼ିକ ପୂର୍ବରୁ ରେକର୍ଡ କରାଯାଇଥିଲା। ସେଗୁଡ଼ିକୁ ତାଙ୍କ ପତ୍ନୀ ଅପଲୋଡ୍ କରିଥିଲେ। ସୋସିଆଲ ମିଡିଆରୁ ମିଳୁଥିବା ଆୟକୁ ସେ ହେଲମେଟ୍ ବଣ୍ଟନ ଭଳି ସାମାଜିକ କାର୍ଯ୍ୟରେ ବ୍ୟବହାର କରନ୍ତି ବୋଲି କହିଛନ୍ତି ବିବେକାନନ୍ଦ।

ପୋଲିସ ଦେଇଥିବା ବିକଳ୍ପକୁ ପ୍ରତ୍ୟାଖ୍ୟାନ

ନିଲମ୍ବନ ପୂର୍ବରୁ ପୋଲିସ ବିଭାଗ ପକ୍ଷରୁ ବିବେକାନନ୍ଦଙ୍କୁ ଦୁଇଟି ବିକଳ୍ପ ଦିଆଯାଇଥିଲା। ପ୍ରଥମଟି ହେଲା ଏସ୍ପି କାର୍ଯ୍ୟାଳୟର ମିଡିଆ ସେଲ୍ରେ ରହି ସରକାରୀ ଜନଜାଗରଣ ଅଭିଯାନରେ କାମ କରିବା ଏବଂ ଦ୍ୱିତୀୟଟି ହେଲା ପୋଲିସ ମୁଖ୍ୟାଳୟର ସୋସିଆଲ ମିଡିଆ ସେଲ୍ରେ ନିଯୁକ୍ତ ହେବା। କିନ୍ତୁ ବିବେକାନନ୍ଦ ଏହି ଦୁଇଟି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ଇସ୍ତଫା ଦେଇଛନ୍ତି।