ଅଗରତାଲା: ତ୍ରିପୁରା ଜନଜାତୀୟ କ୍ଷେତ୍ର ସ୍ୱାୟତ ଜିଲ୍ଲା ପରିଷଦ ଅନ୍ତର୍ଗତ ଗ୍ରାମ କମିଟି ନିର୍ବାଚନରେ ଟିପିଆରଏ ମୋଥା ବିଜୟର କିଛି ଘଣ୍ଟା ପରେ ପାର୍ଟି ସଂସ୍ଥାପକ ପ୍ରଦ୍ୟେତ କିଶୋର ଦେବବର୍ମା ମାସକ ମଧ୍ୟରେ ରାଜନୀତିରୁ ସନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି। ଏକ ପତ୍ରରେ ଦେବବର୍ମା କହିଛନ୍ତି ଯେ ବର୍ଷବର୍ଷର ଯାତ୍ରା, ସାର୍ବଜନିକ ଜୀବନ, ବାର୍ତ୍ତା ଓ ରାଜନୈତିକ ସଂଘର୍ଷ ତାଙ୍କର ସ୍ୱାସ୍ଥ୍ୟ, ମାନସିକ ଶାନ୍ତି ଓ ପାରିବାରିକ ଜୀବନ ଉପରେ କୁ ପ୍ରଭାବ ପକାଇଛି ଓ ଏହି ଦୀର୍ଘ ଯାତ୍ରା ଲାଗି ମୋତେ ବହୁ ମୂଲ୍ୟ ଦେବାକୁ ପଡିଛି।

ସେ କହିଛନ୍ତି ଯେ ଏହି କାମ ପାଇଁ ମୁଁ ମୋର ବହୁତ କିଛି ସମର୍ପିତ କରିଛି। ଆଜି ବହୁତ ଚିନ୍ତା ବିଚାର କରି ଅତ୍ୟନ୍ତ ପୀଡ଼ାର ସହ ମୁଁ ଏକ ସ୍ପଷ୍ଟ ଓ ଚୂଡାନ୍ତ ନିଷ୍ପତ୍ତି ନେଉଛି, ମୁଁ ସକ୍ରିୟ ରାଜନୀତିରୁ ବିଦାୟ ନେଉଛି। ଦେବ ବର୍ମା କହିଛନ୍ତି ଯେ ସେ ଏବେ ତାଙ୍କ ପରିବାର ସହିତ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି ଓ ଏକ ଶାନ୍ତ ଜୀବନକୁ ଫେରିଯିବାକୁ ଚାହୁଁଛି। ସେ କହିଛନ୍ତି ଯେ ମୁଁ ମୋ ଜୀବନରେ ଏକ ଶାନ୍ତ ଅଧ୍ୟାୟ ଚାହୁଁଛି ଯାହା ମୋର ପରିବାର, ପ୍ରକୃତି ଓ ସେହି କାମର ନିକଟତର ଓ ମୁଁ ସେଗୁଡିକୁ ଅଧାରେ ଛାଡି ଦେଇଥିଲି। ତେବେ ରାଜନୀତିରୁ ଦୂରେଇବାର ଅର୍ଥ ନୁହେଁ ମୁଁ ତ୍ରିପୁରା ଛାଡି ଦେବି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ତ୍ରିପୁରାର ଆଦିବାସୀ ଲୋକେ ଏବେ ରାଜନୈତିକ ରୂପେ ଏକଜୁଟ ହୋଇଛନ୍ତି ଓ ସେମାନେ ଏବେ ନିଜର ସାମ୍ବିଧାନିକ ଅଧିକାର ଲାଗି ସଚେତନ ହୋଇଛନ୍ତି। ତେବେ ଦେବବର୍ମା କହିଛନ୍ତି ଯେ ଯଦି ସେମାନଙ୍କୁ ପୁଣି ଭ୍ରମିତ କରାଯାଏ ତେବେ ମୋତେ ରାଜନୀତିକୁ ଫେରିବାକୁ ପଡିବ। ଦେବବର୍ମାଙ୍କ ଏହି ଘୋଷଣା ପରେ ଟିପିଆରଏ ରେ ଅନ୍ତର୍ଦ୍ୱନ୍ଦ୍ୱ ମଧ୍ୟ ଆରମ୍ଭ ହୋଇଯାଇଛି। ପାର୍ଟି ସୂତ୍ର ବିଧାୟକରୁ ବିଦ୍ରୋହୀ ହୋଇଥିବା ରଞ୍ଜିତ ଦେବବର୍ମା ଙ୍କ ଆଡକୁ ଇଶାରା କରିଛନ୍ତି।

ଗତ ସପ୍ତାହରେ ଭୋଟ ଗ୍ରହଣ କାଳରେ ରଞ୍ଜିତ ପୋଲିସ ପ୍ରତି ଆକ୍ରମକତା ପ୍ରଦର୍ଶନ କରିଥିଲେ ଓ କେନ୍ଦ୍ର ସରକାରଙ୍କ ପ୍ରତି ତାଙ୍କ ବିଭାଜନକାରୀ ଟିପ୍ପଣୀ ଦେଇଥିଲେ। ଏହା ପାର୍ଟିରେ ଏବେ ଚିନ୍ତାର କାରଣ ପାଲଟିଛି। ପ୍ରଦ୍ୟୋତଙ୍କ ଜନୈକ ସହଯୋଗୀଙ୍କ ଅନୁସାରେ ରଞ୍ଜିତ ଅନ୍ୟ ମୋଥା ନେତାଙ୍କ ଠାରୁ ପୃଥକ ହୋଇ ତାଙ୍କ ଜାତୀୟ ଏଜେଣ୍ଡା ଚଳାଉଛନ୍ତି ଓ ସେ ହିଂସା ଏବଂ ରାଜନୈତିକ ଧ୍ରୁବିକରଣ ପ୍ରତି ପ୍ରଦ୍ୟୋତଙ୍କ ଘୋଷିତ ବିରୋଧ ସାଙ୍ଗେ ସହମତ ନୁହନ୍ତି। ଗାନ୍ଧି ପରିବାରର ପୂର୍ବତନ ନିକଟତମ ସହଯୋଗୀ ପ୍ରଦ୍ୟୋତ ୨୦୧୯ ମସିହାରେ ଲୋକସଭା ନିର୍ବାଚନ ପୂର୍ବରୁ ତ୍ରିପୁରା କଂଗ୍ରେସ କମିଟି ସଭାପତି ଥିଲେ। ତାଙ୍କ ନେତୃତ୍ୱରେ ରାଜ୍ୟରେ କଂଗ୍ରେସର ଭୋଟ ସେୟାର ବଢି ୨୬ ପ୍ରତିଶତ ହୋଇଯାଇଥିଲା।