ମୁମ୍ବାଇ: ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫଙ୍କ ଉପରେ ଆକ୍ରମଣ ପରେ ମୁମ୍ବାଇରେ ହଇଚଇ । ୩ ଅଭିଯୁକ୍ତଙ୍କୁ ମୁମ୍ବାଇ ପୁଲିସ ଗିରଫ କରିସାରିଛି । ସେପଟେ ପୁଲିସ ଡିଜି କହିଛନ୍ତି, ଅଭିନେତାଙ୍କୁ ହତ୍ୟା ପାଇଁ ଏହି ଆକ୍ରମଣ କରାଯାଇଥିଲା । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏହି ଆକ୍ରମଣ କରିଥିଲା । ବଲିଉଡର ବରିଷ୍ଠ ଅଭିନେତା ଜ୍ୟାକି ଶ୍ରଫଙ୍କ ପୁଅ ଏବଂ ଅଭିନେତା ଟାଇଗର ଶ୍ରଫଙ୍କୁ ହତ୍ୟା ଉଦ୍ୟମକୁ ନେଇ ଚର୍ଚ୍ଚା ଲାଗିରହିଛି।  ତେବେ ଟାଇଗର ଶ୍ରଫ ଜଣେ ଉତ୍ତମ ବ୍ୟକ୍ତିତ୍ବର ମଣିଷ । କିନ୍ତୁ ସେ ସଲମାନ ଖାନଙ୍କ ସହିତ କାମ କରୁଥିବାରୁ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଛି ବୋଲି ବିଷ୍ଣୋଇ ଗ୍ୟାଙ୍କ କହିଛି । 

ବହୁ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଟାଇଗର ଶ୍ରଫ ନିଜର ଫିଟ୍‌ନେସ ପାଇଁ ମଧ୍ୟ ବେଶ ଜଣାଣୁଣା । କିନ୍ତୁ ତାଙ୍କର ନାଁ ଟାଇଗର କିଏ ଦେଲା ଏବଂ ସତରେ କଣ ଜ୍ୟାକି ଶ୍ରଫ ତାଙ୍କ ପୁଅର ନାମକରଣ ଏମିତି କରିଥିଲେ  ? ଏହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ । କିନ୍ତୁ ଏହା ପଛରେ ଲୁଚିଛି ବଡ଼ କାରଣ । ପ୍ରକୃତରେ ଟାଇଗର ଶ୍ରଫଙ୍କ ପିଲା ଦିନର ନାମ ଏମିତି ନଥିଲା। ତାଙ୍କ ନାଁ ଥିଲା ଜୟ ହେମନ୍ତ ଶ୍ରଫ । ପରବର୍ତ୍ତୀ ସମୟରେ ତାଙ୍କର ଏକ ସ୍ବଭାବକୁ ନେଇ ଲୋକେ ତାଙ୍କ ନାଁ ଦେଇଥିଲେ ଟାଇଗର । 

ପିଲାବେଳେ ସମସ୍ତଙ୍କୁ କାମୁଡ଼ି ପକାଉଥିଲେ ଅଭିନେତା
୧୯୯୦ ମସିହା ମାର୍ଚ୍ଚ ୨ ରେ ଜନ୍ମଗ୍ରହଣ କରିଥିଲେ ଜୟ ହେମନ୍ତ ।  ବଲିଉଡ୍ ଅଭିନେତା ଜ୍ୟାକି ଶ୍ରଫ୍ ଏବଂ ଆୟେଶା ଶ୍ରଫ ପୁଅ ଜୟ ହେମନ୍ତ । ପିଲାଦିନେ ତାଙ୍କର ଏକ ଅଜବ ଅଭ୍ୟାସ ଥିଲା। ୨୦୧୪ ମସିହାରେ 'ହିନ୍ଦୁସ୍ଥାନ ଟାଇମ୍ସ'କୁ ଦେଇଥିବା ଏକ ସାକ୍ଷାତକାରରେ ଟାଇଗର ନିଜେ ଏହି କଥା ପ୍ରକାଶ କରିଥିଲେ। ସେ କହିଥିଲେ, ‘ମୁଁ ପିଲାବେଳେ ସମସ୍ତଙ୍କୁ କାମୁଡ଼ି ଦେଉଥିଲି। ମୋ ପାଖରେ ଯିଏ ବି ରହୁଥିଲା, ମୁଁ ତାଙ୍କୁ କାମୁଡ଼ୁଥିଲି।’ ଏହି ଅଭ୍ୟାସ ଯୋଗୁଁ ସେ ସ୍କୁଲରେ ବହୁତ ଅସୁବିଧାରେ ପଡ଼ିଥିଲେ।  ସେ ନିଜର ସ୍କୁଲର ଶିକ୍ଷକଙ୍କୁ ବି କାମୁଡ଼ି ପକାଇଥିଲେ ଏବଂ ତାଙ୍କୁ ଦଣ୍ଡ ମିଳିଥିଲା । 

୨୦୨୪ ମସିହାରେ 'ବଡ଼େ ମିୟାଁ ଛୋଟେ ମିୟାଁ' ଫିଲ୍ମର ପ୍ରଚାର ସମୟରେ ଟାଇଗର ଏହି କାହାଣୀ ପୁଣି ଦୋହରାଇଥିଲେ। ସେ କହିଥିଲେ ଯେ, ଲୋକଙ୍କୁ କାମୁଡ଼ିବା ହିଁ ତାଙ୍କର ପ୍ରେମ ଦେଖାଇବାର ଏକ ମାଧ୍ୟମ ଥିଲା। ଏହି କାମୁଡ଼ିବାର ପ୍ରବୃତ୍ତି ଯୋଗୁଁ, ତାଙ୍କୁ ଲୋକେ ଟାଇଗର ବୋଲି ଡାକୁଥିଲେ । ସେହିଭଳି ତାଙ୍କ ନାମ କାହିଁକି ଜୟ ହେମନ୍ତ ଦିଆଯାଇଥିଲା ସେନେଇ ମଧ୍ୟ କହିଥିଲେ ଟାଇଗର ।

ତାଙ୍କ ବାପା ଜ୍ୟାକି ଶ୍ରଫ୍‌ଙ୍କ ପ୍ରକୃତ ନାମ 'ଜୟ କିଶନ' ଥିଲା । ସିନେମା ଜଗତରେ 'ଜ୍ୟାକି' ହୋଇଗଲା। ତାଙ୍କ ଦାଦାଙ୍କ ନାମ 'ହେମନ୍ତ' ଥିଲା। ସେହି ଦୁଇଟି ନାମକୁ ମିଶାଇ ତାଙ୍କ ନାମ 'ଜୟ ହେମନ୍ତ' ରଖାଯାଇଥିଲା। କିନ୍ତୁ ପିଲାଦିନୁ ସମସ୍ତେ ତାଙ୍କୁ 'ଟାଇଗର' ବୋଲି ଡାକୁଥିଲେ । ତେଣୁ ସିନେମା ଜଗତକୁ ଆସିବା ପରେ ସେ ଆନୁଷ୍ଠାନିକ ଭାବେ ନିଜର ନାମ ‘ଟାଇଗର ଶ୍ରଫ୍’ ରଖିଲେ ବୋଲି କହିଥିଲେ ଅଭିନେତା।