ନୂଆଦିଲ୍ଲୀ, ୧୧।୧୧ : ଭାରତରେ ବାୟୁ ପ୍ରଦୂଷଣ କେବଳ ଏକ ସ୍ବାସ୍ଥ୍ୟ ସଂକଟ ହୋଇ ରହିନାହିଁ । ଅର୍ଥବ୍ୟବସ୍ଥା ଏବଂ ବ୍ୟବସାୟ ଉପରେ ଏହା ଭୟଙ୍କର ପ୍ରଭାବ ପକାଉଛି। ନିର୍ମାଣ ଓ ପରିବହନ କଟକଣା, ବିଳମ୍ବିତ ଡେଲିଭରୀ, କାର୍ଯ୍ୟ ଘଣ୍ଟା ଏବଂ ଉତ୍ପାଦକତା ହ୍ରାସ ଯୋଗୁ ଅର୍ଥବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପଡୁଛି। ପ୍ରଦୂଷଣ ଯୋଗୁ ଲୋକେ ବାହାରକୁ ଯାଇ ସପିଂ କରିବା ବଦଳରେ ଘରେ ରହିବାକୁ ପସନ୍ଦ କରୁଛନ୍ତି। ଫଳରେ ବିକ୍ରି ପ୍ରଭାବିତ ହେଉଛି, ଯାହାର ସିଧାସଳଖ ପ୍ରଭାବ ଅନୁଭବ କରୁଛି ଅର୍ଥବ୍ୟବସ୍ଥା।

ଶିଳ୍ପସଂଘ ଫିକିର ଏକ ରିପୋର୍ଟ ଅନୁସାରେ, ବାୟୁ ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ଦେଶର ଜିଡିପିର ପାଖାପାଖି ୯% ଧୋଇ ହୋଇଯାଏ। ଭାରତୀୟ କମ୍ପାନିଗୁଡ଼ିକ ପାଇଁ ପ୍ରଦୁଷଣ ଏକ ଋତୁକାଳୀନ ବିପର୍ଯ୍ୟୟ ନୁହେଁ ବରଂ ବାରମ୍ବାର ଆସୁଥିବା ଏକ ବିପଦ ପାଲଟିଲାଣି। ଖୁଚୁରା ବ୍ୟବସାୟୀ ଏବଂ ରେସ୍ତୋରାଁଗୁଡ଼ିକ ବଡ଼ ମାତ୍ରାରେ ଗ୍ରାହକ ହରାଉଛନ୍ତି। କାରଣ ଲୋକେ ବାହାରକୁ ବାହାରିବାକୁ ଚାହୁଁନାହାନ୍ତି। ଯାନ ଚଳାଚଳ ଉପରେ କଟକଣା ଯୋଗୁ ମାଲ ପରିବହନ ପ୍ରଭାବିତ ହେଉଛି। ଏଭଳି କଟକଣା ଯୋଗୁ ଦିଲ୍ଲୀ-ଏନସିଆର୍ ଭଳି ଅନେକ ସହରରେ କେବଳ ରିୟଲ ଇଷ୍ଟେଟ୍ ନୁହେଁ, ଅଧିକାଂଶ ଶିଳ୍ପ ପ୍ରଭାବିତ ହେଉଛି । ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ପଦକ୍ଷେପ ଯଥେଷ୍ଟ ହେଉନାହିଁ । ଅର୍ଥନୈତିକ ପରିଣତି ବର୍ଷକୁ ବର୍ଷ ଅଧିକ ଭୟଙ୍କର ହେଉଛି।

ସପର୍ସ ଷ୍ଟପର ପରିଚାଳନା ନିର୍ଦ୍ଦେଶକ କବୀନ୍ଦ୍ର ମିଶ୍ର କୁହନ୍ତି, ଗତବର୍ଷ ଶୀତ ଋତୁରେ ଯେତେବେଳେ ପ୍ରଦୂଷଣ ସ୍ତର ସର୍ବୋଚ୍ଚ ସ୍ତରରେ ଥିଲା, ଉତ୍ତର ଭାରତରେ ବିକ୍ରି ବଡ଼ ମାତ୍ରାରେ ପ୍ରଭାବିତ ହୋଇଥିଲା। ଲାଇଫଷ୍ଟାଇଲ୍ ଇଣ୍ଟରନ୍ୟାସନାଲ ମଧ୍ୟ ସମାନ ଚିନ୍ତା ବ୍ୟକ୍ତ କରିଛି।

Also Read :- ରିପବ୍ଲିକାନ୍ ପାର୍ଟିରେ ବିଦ୍ରୋହ : ହେଗସେଥଙ୍କ ବିରୋଧରେ ଦଳୀୟ ସାଂସଦ, ଆଣିଲେ ମହାଭିଯୋଗ

ଗତବର୍ଷ ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ଉତ୍ତର ଭାରତରେ ଗ୍ରାହକଙ୍କ ଆଗମନ ବଡ଼ ସଂଖ୍ୟାରେ ହ୍ରାସ ପାଇଥିଲା। ଫଳରେ ବିକ୍ରି ଅଭିବୃଦ୍ଧି ସାମାନ୍ୟ ଥିଲା ବୋଲି ଲାଇଫଷ୍ଟାଇଲ୍ ପକ୍ଷରୁ ପ୍ରକାଶ। ଗତ କିଛି ବର୍ଷ ହେବ ରେସ୍ତୋରାଁଗୁଡ଼ିକ ସମାନ ସମସ୍ୟା ଦେଇ ଗତି କରୁଛନ୍ତି। ଖୁବ୍ କମ୍ ଗ୍ରାହକ ରେସ୍ତୋରାଁରେ ବସି ଖାଇବାକୁ ପସନ୍ଦ କରୁଛନ୍ତି। କାରଣ ବାହାରର ପ୍ରଦୂଷିତ ପବନଠାରୁ ଲୋକେ ଦୂରେଇ ରହିବାକୁ ଚାହାନ୍ତି। ହୋମ୍ ଡେଲିଭରୀ ସାମାନ୍ୟ ଆଶ୍ୱସ୍ତି ଦେଉଛି। କିନ୍ତୁ ରେସ୍ତୋରାଁଗୁଡ଼ିକର କ୍ଷତିକୁ ଲାଘବ କରିବାରେ ଏହା ପୂର୍ଣ୍ଣ ମାତ୍ରାରେ ସହାୟକ ହେଉନାହିଁ। ଗୁରୁଗ୍ରାମରେ ଏକ ବୃହତ୍ ରେସ୍ତୋରାଁ ଚେନ୍ର ପ୍ରତିଷ୍ଠାତା କୁହନ୍ତି, ଦୁର୍ବଳ ଏକ୍ୟୁଆଇ ରେସ୍ତୋରାଁ ବ୍ୟବସାୟକୁ ବଡ଼ ଆକାରରେ ପ୍ରଭାବିତ କରୁଛି। ହୋମ୍ ଡେଲିଭରି ୧୫% ବଢ଼ିଛି କିନ୍ତୁ ଏହା କ୍ଷତିକୁ ଏତେ ମାତ୍ରାରେ ଭରଣା କରିପାରିନାହିଁ ।