ବ୍ରହ୍ମପୁର/ ଆସିକା: କବିସୂର୍ଯ୍ୟନଗର ଥାନାରେ ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣାରେ କଡ଼ା ଆକ୍ସନ । ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ଦକ୍ଷିଣାଞ୍ଚଳ ଆଇଜି, କବିସୂର୍ଯ୍ୟନଗର ଥାନା ସ୍ୱାଧୀନ ଦାୟିତ୍ୱରେ ଥିବା ଆଇପିଏସ ନୀତୀଶ ମିଶ୍ରାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଛନ୍ତି। ଏହା ସହ ତିନି ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ SI ସମୀର ରାଉତ, ASI ବୈକୁଣ୍ଠ ନାଥ ଜେନା , କନେଷ୍ଟବଳ ସୁମନ କୁମାର ସାହୁ। ସେହିଭଳି ହୋମଗାର୍ଡ କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କୁ ସବୁଦିନ ପାଇଁ ବହିଷ୍କାର ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହା ବାଦ୍ କବିସୂର୍ଯ୍ୟନଗର ଓ ବାଲିଚ୍ଛାଇ ଫାଣ୍ଡିର ଅନ୍ୟ କର୍ମଚାରୀଙ୍କୁ ବଦଳି ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି।

ସୂଚନାଥାଉକି, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ଯୁବକକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଯୁବକ ହେଉଛନ୍ତି ସୁବୁଳିଆ ଗ୍ରାମର ସୁଶାନ୍ତ ସାହୁ । ସୁଶାନ୍ତଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ପୋଲିସ ଯୁବକକୁ ଥାନା ପରିସରରେ ଅମାନୁଷିକ ଭାବେ ପିଟିବା ସହ ଦେହରେ ଗରମ ପାଣି ଓ ମରିଚଗୁଣ୍ଡ ପକାଇଥିଲା। ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଛି।

ଉଲ୍ଲେଖଯୋଗ୍ୟ, ସୁଶାନ୍ତ ସୁବୁଳିଆ ଗ୍ରାମର ଏକ ପଥର କୁଆଁରିରେ କାମ କରୁଥିଲେ । ବେଆଇନ ପଥର କୁଆଁରିରେ କିଛି ଗଣ୍ଡଗୋଳକୁ ନେଇ ଗତ ୨୫ ତାରିଖ ଦିନ ପୋଲିସ ସୁଶାନ୍ତକୁ ତଦନ୍ତ ପାଇଁ ଥାନାକୁ ଉଠାଇ ଆଣିଥିଲା। ଆଉ ତଦନ୍ତ ଆଳରେ ପୋଲିସ ୨୫ ତାରିଖ ଠାରୁ ୩୧ ତାରିଖ ଯାଏଁ ସୁଶାନ୍ତକୁ ଥାନାରେ ଅଟକ ରଖି ନିସ୍ତୁକ ମାଡ଼ ମାରିବା ଓ ଦେହରେ ଗରମ ପାଣି ଢାଳି ଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି l

Also Read: ଫାର୍ମ ହାଉସ୍ରେ ହାତୀ ହତ୍ୟା : ମାଟି ଖୋଳି ମୃତଦେହ ବାହାର କଲା ବନ ବିଭାଗ, ମାଲିକ ସମେତ ୩ ଗିରଫ

ଖାଲି ସେତିକି ନୁହେଁ ଗତ କାଲି ରାତିରେ ପୋଲିସ ସୁଶାନ୍ତକୁ ପରିବାର ଲୋକକୁ ହସ୍ତାନ୍ତର କରିଥିବା ବେଳେ ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା। ଗୁରୁତର ସୁଶାନ୍ତଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଆସିକା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା କହିଛନ୍ତି ପରିବାରଲୋକେ । ତେବେ ସୁଶାନ୍ତ ମୃତ୍ୟରେ ନ୍ୟାୟ ଦାବିରେ ପରିବାର ଲୋକେ ଥାନା ଆଗରେ ବସିଛନ୍ତି।। ଅପରପକ୍ଷରେ ଘଟଣାକୁ ଗୁରୁତ୍ବର ସହ ନେଇ ଦକ୍ଷିଣାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଏଚଆରପିସିର ଗୋଟିଏ ଟିମ ଗଠନ କରାଯାଇଛି l

କ’ଣ କହିଲେ ଏସପି ?

ସେପଟେ ଘଟଣାକୁ ନେଇ ଗଞ୍ଜାମ ଏସପି ହରିଶ ବିଶି କହିଛନ୍ତି ଥାନା ପରିସରେ ପୋଲିସର ଥାର୍ଡ ଡିଗ୍ରୀ ଘଟଣାରେ ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରାଯିବ। ସତ୍ୟତାର ପ୍ରମାଣ ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯୁବକଙ୍କୁ କେବେ ଥାନାକୁ ଅଣା ଯାଇଥିଲା, କେତେଦିନ ତାଙ୍କୁ ରଖା ଯାଇଥିଲା ? ତାହାର ତଦନ୍ତ ହେବ। ନିୟମ ଅନୁଯାୟୀ ପୁଲିସ ଅଭିଯୁକ୍ତକୁ ଥାନାରେ ୨୪ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ରଖି ପାରିବ ନାହିଁ।

Also Read: ରାତିରେ ପୁଅକୁ କ୍ଷୀର ନଦେଇ ବାଡ଼େଇଲା ସ୍ତ୍ରୀ, ତଣ୍ଟି ଚିପି ମାରିଦେଲା ସ୍ବାମୀ

ତାଙ୍କର ସ୍ୱାସ୍ଥ୍ୟ ଅସୁସ୍ଥ ଥିଲା। ଗ୍ୟାଷ୍ଟ୍ରିକ ଏବଂ ବାନ୍ତି ହେଉଥିଲା। କବିସୂର୍ଯ୍ୟନଗର ଏବଂ ଆସିକା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରା ଯାଇଥିଲା। ହେଲେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହାର ତଦନ୍ତ ହେବ। ରାଜ୍ୟ ଏଚଆରପିସିର ଗୋଟିଏ ଟିମ ଗଠନ ହୋଇଛି। ତାହାର ତଦନ୍ତ କରିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ଗଞ୍ଜାମ ଏସ. ପି ହରିଶ ବିଶି।