ହିନ୍ଦୋଳ ୧।୬: ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ବନାଞ୍ଚଳରେ ଏକ ହାତୀକୁ ମାରି ପୋତିଦେଇଥିଲେ ଜଣେ ଫାର୍ମ ହାଉସ ମାଲିକ । ମାତ୍ର ଘଟଣାର ୫ ଦିନ ବିତିଯାଇଥିଲେ ମଧ୍ୟ ବନ ବିଭାଗ କିପରି ଜାଣି ପାରିନଥିଲା ତାହା ସନ୍ଦେହ ଘେରକୁ ଆସିଛି । ତେବେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଘଟଣାର ୫ ଦିନ ପରେ ଅର୍ଥାତ ସୋମବାର ବନ ବିଭାଗ ପକ୍ଷରୁ ଉକ୍ତ ଫାର୍ମ ହାଉସ ଉପରେ ଚଢ଼ାଉ କରାଯାଇଥିଲା । ହିନ୍ଦୋଳ ବନାଞ୍ଚଳର ଚରଣପୁର ନିକଟରେ ଏହି ଫାର୍ମ ହାଉସ ବୋଲି ଜଣାପଡିଛି । 

ଫାର୍ମ ହାଉସ ଭିତରେ ହାତୀକୁ ମାରି ପୋତା ଯାଇଥିବା ଜାଗାକୁ ଜେସିବି ମାଧ୍ୟମରେ ଖୋଳିଥିଲା ବନ ବିଭାଗ । ପରେ ମାଟି ତଳୁ ହାତୀର ମୃତଦେହକୁ ଉଦ୍ଧାର କରିଛି ବନ ବିଭାଗ । ମୃତ ହାତୀର ବୟସ ୨୫ ବର୍ଷ ହେବ । ହାତୀକୁ ବ୍ୟବଚ୍ଛେଦ କରି ଅଧିକ ତଦନ୍ତ କରୁଛି ବନ ବିଭାଗ । ହାତୀଟି ଏକ ମାଖନା ହାତୀ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ହାତୀ ମାନଙ୍କ କବଳରୁ ସୁରକ୍ଷା ପାଇଁ ଫାର୍ମ ହାଉସ ଚାରିପଟେ ଦିଆଯାଇଥିବା ସୋଲାର ଫେନ୍ସିରେ ହେଭି ବିଦ୍ୟୁତ କରେଣ୍ଟ ଚାର୍ଜ କରିଦେଇଥିବାରୁ ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ଏହି ଘଟଣାକୁ ଛପାଇବା ପାଇଁ ଫାର୍ମ ହାଉସ ମାଲିକ ମୃତ ହାତୀକୁ ଫାର୍ମ ଭିତରେ ମାଟି ଖୋଳି ପୋତିଦେଇଥିଲେ ବୋଲି ବନ ବିଭାଗ ତଦନ୍ତରୁ ଜଣାପଡିଛି ।

Also Read:- ରାତିରେ ପୁଅକୁ କ୍ଷୀର ନଦେଇ ବାଡ଼େଇଲା ସ୍ତ୍ରୀ, ତଣ୍ଟି ଚିପି ମାରିଦେଲା ସ୍ବାମୀ

ତେବେ ଏହି ଘଟଣାରେ ବ୍ୟବହୃତ ଜେସିବି ମେସିନକୁ ନରସିଂହପୁର ଅଞ୍ଚଳରୁ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି । ଫାର୍ମ ହାଉସ ମାଲିକ ହିନ୍ଦୋଳ ଅଞ୍ଚଳର କୁବେର ରାଜଙ୍କ ସମେତ ଜେସିବି ଅପରେଟର ଓ ଫାର୍ମ ହାଉସର ଜଗୁଆଳି ଏପରି ୩ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଆହୁରି ଲୋକଙ୍କ ସମ୍ପୃକ୍ତ ଥିବା ସନ୍ଦେହ କରାଯାଇଛି । ତେବେ ଏହି ଅଞ୍ଚଳରେ ବର୍ଷ ତମାମ ହାତୀ ମାନଙ୍କ ଉପସ୍ଥିତି ରହୁଥିବା ବେଳେ ଏହି ହାତୀର ମୃତ୍ୟୁ ସମ୍ପର୍କରେ ବନ କର୍ମଚାରୀ ମାନେ କିପରି ଜାଣିନପାରିନଥିଲେ ତାହା ସନ୍ଦେହ ଘେରକୁ ଆସିଛି ।