• ୨୮ ରାଜ୍ୟରୁ ୧୪ ରାଜ୍ୟର ମୁଖ୍ୟମନ୍ତ୍ରୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି
  • ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ.ରେବନ୍ତ ରେଡ୍ଡୀଙ୍କ ବିରୋଧରେ ସବୁଠୁ ଅଧିକ ୮୯ଟି ମାମଲା ଥିବା ସେ ଘୋଷଣା କରିଛନ୍ତି
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ୨୯ଟି ମୋକଦ୍ଦମା ରହିଛି

ନୂଆଦିଲ୍ଲୀ: ଦେଶର ରାଜନୀତି ସମ୍ପର୍କିତ ଏକ ଏପରି ମାମଲା ସାମ୍ନାକୁ ଆସିଛି ଯାହା ମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲାକୁ ନେଇ ପ୍ରଶ୍ନ ଚିହ୍ନ ଲଗାଇଛି। ସୁପ୍ରିମକୋର୍ଟରେ ଦାଖଲ ଏକ ସଦ୍ୟ ସତ୍ୟପାଠରେ ଏବେକା ସଂସଦର ୩୨୬ ଜଣ ସାଂସଦଙ୍କ ବିରୋଧରେ କ୍ରିମିନାଲ କେସ୍ ରହିଥିବା କୁହାଯାଇଛି। ଏଥିରେ ଲୋକସଭାର ୨୫୧ ଓ ରାଜ୍ୟସଭାର ୭୫ ଜଣ ସାଂସଦ ଅଛନ୍ତି। ସେହିପରି ଦେଶର ୧୪ ଜଣ ମୁଖ୍ୟମନ୍ତ୍ରୀ ସେମାନଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ସୂଚନା ନିର୍ବାଚନ ଆଫିଡେଭିଟରେ ଘୋଷଣା କରିଛନ୍ତି। ଏହି ରିପୋର୍ଟ ଏପରି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ସୁପ୍ରିମକୋର୍ଟ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲାର ଶୀଘ୍ର ଶୁଣାଣି ପାଇଁ ପଦକ୍ଷେପ ନେଇଛନ୍ତି।

ମାମଲାରେ ଆମିକସକ୍ୟୁରି ବରିଷ୍ଠ ଓକିଲ ବିଜୟ ହଂସାରିୟା ସୁପ୍ରିମକୋର୍ଟରେ ଏହି ଆଫିଡେଭିଟ ଦାଖଲ କରିଛନ୍ତି। ଏଥିରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲାର ଷ୍ଚାଟସ୍ ଓ କିପରି ଶୀଘ୍ରାତି ଶୀଘ୍ର ସମାଧନ ହେବ ସେ ନେଇ ପରାମର୍ଶ ଦିଆଯାଇଛି। ରିପୋର୍ଟ ଅନୁସାରେ ଏବେକା ଓ ପୂର୍ବ ବିଧାୟକ, ସାଂସଦଙ୍କ ବିରୋଧରେ ମୋଟ ୪,୧୯୨ଟି ମାମଲା ବିଚାରାଧୀନ ରହିଛି। ଏହି ତଥ୍ୟ ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର)ରୁ ନିଆଯାଇଛି। ରିପୋର୍ଟରେ ଏହା ବି କୁହାଯାଇଛି ଯେ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ମନିଟରିଂ ସତ୍ୱେ ୨୦୧୮ ମସିହାରୁ ବିଚାରାଧୀନ ମାମଲାର ବୋଝ କାୟମ ରହିଛି।

ରିପୋର୍ଟରେ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସମ୍ପର୍କିତ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଦେଶର ୨୮ ରାଜ୍ୟରୁ ୧୪ ରାଜ୍ୟର ମୁଖ୍ୟମନ୍ତ୍ରୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ଏଥିରୁ କିଛି ମାମଲା ଗୁରୁତର ଅପରାଧର ମଧ୍ୟ ରହିଛି। ରିପୋର୍ଟ ଅନୁସାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ.ରେବନ୍ତ ରେଡ୍ଡୀଙ୍କ ବିରୋଧରେ ସବୁଠୁ ଅଧିକ ୮୯ଟି ମାମଲା ଥିବା ସେ ଘୋଷଣା କରିଛନ୍ତି। ଏହା ପଛକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ୨୯ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡି.କେ.ଶିବକୁମାରଙ୍କ ବିରୋଧରେ ୧୯ଟି ମାମଲା ଥିବା ସେ ନିର୍ବାଚନୀ ସତ୍ୟପାଠରେ ଘୋଷଣା କରିଛନ୍ତି।

ତେବେ ଏହା ପ୍ରଥମ ଥର ନୁହେଁ ଯେବେ ସୁପ୍ରିମକୋର୍ଟ ସାଂସଦ ଓ ବିଧାୟକଙ୍କ ବିରୋଧରେ ଅପାରଧିକ ମାମଲାର ଦ୍ରୁତ ସମାଧାନ ଉପରେ ଜୋର ଦେଇଛନ୍ତି। ୯ ନଭେମ୍ବର ୨୦୨୩ରେ ସୁପ୍ରିମକୋର୍ଟ ତାଙ୍କ ରାୟରେ ହାଇକୋର୍ଟଙ୍କୁ ଏପରି ମାମାଲାର ଦେଖରେଖ ଲାଗି ସ୍ୱତନ୍ତ୍ର ବେଞ୍ଚ ଗଠନ କରିବାକୁ ଓ ସ୍ୱତନ୍ତ୍ର କୋର୍ଟଙ୍କୁ ବିନା ଜରୁରି କାରଣରେ ଶୁଣାଣି ଟାଳିବାରୁ ବର୍ତ୍ତିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ସାଂସଦ, ବିଧାୟକ ଓ ବିଧାନପରିଷଦ ସଦସ୍ୟଙ୍କ ସମ୍ପର୍କିତ ଅପରାଧିକ ମାମଲାକୁ ପ୍ରାଥମିକତା ଦେବାକୁ ମଧ୍ୟ କହିଥିଲେ।