ନୂଆଦିଲ୍ଲୀ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ମୃତ୍ୟୁ ହୋଇଛି । ଧବାର ସକାଳେ ପୁଣେ ଜିଲ୍ଲାର ବାରାମତୀ ନିକଟରେ ଏକ ବିମାନ ଦୁର୍ଘଟଣାରେ ଅଜିତ ପାଓ୍ବାରଙ୍କ ସମେତ ୫ ଜଣ ପ୍ରାଣ ହରାଇଛନ୍ତି । ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଜିତ ପାଓ୍ବାର ଏବଂ ଅନ୍ୟ ମୃତକଙ୍କ ଲାଗି ଶୋକପ୍ରକାଶ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ଏହା ସହ ସେ, ବିମାନ ଦୁର୍ଘଟଣାର ତଦନ୍ତ ଲାଗି ଦାବି କରିଛନ୍ତି । ତାଙ୍କ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସମାନ ଦାବି କରିଥିଲେ ।

ମମତାଙ୍କ ଦାବି ସଂପର୍କରେ ଖଡ଼ଗେଙ୍କୁ ପଚରାଯିବାରୁ ସେ କହିଛନ୍ତି, ସବୁ ରାଜନେତା ଏବଂ କର୍ପୋରେଟ୍ ଦୁନିଆର ଲୋକ ବିମାନରେ ଯାତ୍ରା କରନ୍ତି । ଏଭଳି ସମୟରେ ଏହି ବିମାନ ଦୁର୍ଘଟଣାର ତଦନ୍ତ ହେବା ଦରକାର । ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ହୋଇଥିଲା । ବାରାମତୀରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ଛୋଟ ଥିଲା। ଏମିତି କାହିଁକି ହେଲା ? ସେଥିପାଇଁ ତଦନ୍ତ ହେବା ଦରକାର ।

ସେପଟେ ଅଜିତ ପାଓ୍ବାରଙ୍କ ମୃତ୍ୟୁ ଖବର ଶୁଣି ଶୋକ ପ୍ରକାଶ କରିବା ସହ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ଦାବି କରିଥିଲେ ମମତା ବାନାର୍ଜୀ । ବୁଧବାର ଦିନ ବାରାମତୀ ବିମାନବନ୍ଦରରେ ହୋଇଥିବା ବିମାନ ଦୁର୍ଘଟଣାର ତଦନ୍ତ ଏୟାରକ୍ରାଫ୍ଟ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) କରିବ । VSR Ventures ଦ୍ୱାରା ପରିଚାଳିତ Learjet 46 ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ବସିଥିବା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି ।

ଅଜିତ ପାଓ୍ବାରଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ, ଏଚ୍ ସି ବିଦୀପ ଯାଦବ, ପାଇଲଟ୍ କ୍ୟାପ୍ଟେନ୍ ସୁମିତ କପୁର, କ୍ୟାପ୍ଟେନ୍ ସମ୍ଭାବୀ ପାଠକ ଏବଂ ବିମାନ ପରିଚାରିକା ପିଙ୍କି ମାଲି ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।

ବିମାନର ମୁଖ୍ୟ ପାଇଲଟ୍ ସୁମିତ କପୁର ଦୁର୍ଘଟଣା ପୂର୍ବରୁ ମେଡେ କଲ୍ କରିନଥିଲେ । କିନ୍ତୁ ତାଙ୍କ ସହିତ ଥିବା କ୍ୟାପ୍ଟେନ୍ ସମ୍ଭାବୀ ପାଠକ କହିଥିଲେ, ‘ଓଃ ସିଟ୍... ଓଃ ସିଟ୍’ । ଏହି ସୂଚନା ବାରାମତୀର ଏକ ଫ୍ଲାଇଂ ସ୍କୁଲର ଜଣେ ବ୍ୟକ୍ତି ଜାତୀୟ ଗଣମାଧ୍ୟମକୁ ଦେଇଛନ୍ତି ।

ପ୍ରଥମ ଅବତରଣ ପ୍ରୟାସ ବିଫଳ ହୋଇଥିଲା । ସକାଳର କୁହୁଡ଼ି ଯୋଗୁଁ ଭିଜିବିଲିଟି ହ୍ରାସ ପାଇଥିଲା। ପାଇଲଟ୍ ବାରମତି ବିମାନବନ୍ଦରର ରନୱେ ୧୧ରେ ଅବତରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ, ସେମାନେ ରନୱେ ଦେଖିପାରି ନଥିଲେ । ଦୁଇ ପାଇଲଟ୍ ବିମାନକୁ ପୁଣି ଉପରକୁ ନେଇ ଯାଇଥିଲେ । ପାଇଲଟ୍ ପୁଣି ଥରେ ଅବତରଣ ଲାଗି କ୍ଲିୟରାନ୍ସ ନିଶ୍ଚିତ କରିନଥିଲେ ।

ବିମାନଟି ଦ୍ୱିତୀୟ ଥର ପାଇଁ ରନୱେ ପାଖକୁ ଆସିବା ଆରମ୍ଭ କରିଥିଲା। ପାଇଲଟ୍ ରିପୋର୍ଟ କରିଥିଲେ ଯେ, ରନୱେ ଏବେ ଦୃଶ୍ୟମାନ ହେଉଛି। ତା'ପରେ ବିମାନକୁ ଅବତରଣ ଅନୁମତି ଦିଆଯାଇଥିଲା । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାଇଲଟ୍ ରିଏକ୍ସନ ଦେଇନଥିଲେ । ଅର୍ଥାତ୍ ସେ ଅବତରଣ ଲାଗି କ୍ଲିୟରାନ୍ସ ନିଶ୍ଚିତ କରିନଥିଲେ।

ଦ୍ୱିତୀୟ ଥର ପାଇଁ ରନୱେ ଛୁଇଁବା ପୂର୍ବରୁ ବିମାନଟି ଓଲଟି ପଡ଼ିଥିଲା । ପ୍ରାୟ ସକାଳ ୮.୪୩ରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ବିମାନଟି ଏହାର ସ୍ଥାନ ଏବଂ ଗତି ସୂଚାଉଥିବା ସଙ୍କେତ ପଠାଇବା ବନ୍ଦ କରିଦେଇଥିଲା। ଭୂମି ଛୁଇଁବା ପୂର୍ବରୁ ଏହା ଓଲଟି ପଡ଼ିଥିଲା ଏବଂ ରନୱେରୁ ୧୦୦ ମିଟର ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।