ନୂଆଦିଲ୍ଲୀ: ୧୫ ଦିନ ତଳେ ସରିଥିଲା ନିର୍ବନ୍ଧ... ଆଉ କିଛି ମାସ ପରେ ହୋଇଥା’ନ୍ତା ବାହାଘର। ହେଲେ ବିଧିର ବିଧାନ ବୋଧ ହୁଏ ଥିଲା କିଛି ଅଲଗା । ଘରେ ପହଞ୍ଚିଲା ପୁଅର ସହିଦ ଖବର। ଯାହାକୁ ଶୁଣି ଭାଙ୍ଗିପଡ଼ିଛି ପୂରା ପରିବାର। ସମଗ୍ର ଗାଁରେ ଖେଳିଯାଇଛି ଶୋକର ଛାୟା। ଛତିଶଗଡ଼ କାଙ୍କେର ଜିଲ୍ଲାରେ ଶନିବାର ନକ୍ସଲ ଡମ୍ପରୁ ଜବତ ବିସ୍ଫୋରଣ ନଷ୍ଟ ସମୟରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ୪ ଡିଆରଜି ଯବାନ ସହିଦ ହୋଇଛନ୍ତି। ସେହି ସହିଦଙ୍କ ମଧ୍ୟରେ ରହିଛନ୍ତି ସଞ୍ଜୟ କୁମାର ଗଢ଼ପାଲେ। ଆଉ ଏହି ହୃଦୟବିଦାରକ କାହାଣୀ ସମସ୍ତଙ୍କୁ ମର୍ମାହତ କରିଛି। ତାଙ୍କ ବିବାହ ସ୍ବପ୍ନ ଏବେ ପାଉଁଶ ହୋଇଯାଇଛି।

ସୂଚନା ଅନୁସାରେ, ସହିଦ ଯବାନ ସଞ୍ଜୟ କୁମାର ଗଢ଼ପାଲେ କାଙ୍କେର ଜିଲ୍ଲା ହରାଡୁଲା ଗ୍ରାମର। ୧୯୯୭ ଫେବୃଆରୀ ୧୪ରେ ତାଙ୍କ ଜନ୍ମ। ତାଙ୍କ ବାପା ଗାଁରେ ଏକ ଛୋଟ ସାଇକେଲ ଷ୍ଟୋ ଚଳାଉଛନ୍ତି। ଜଣେ ସାଧାରଣ ପରିବାରରେ ଜନ୍ମିତ ସଞ୍ଜୟ ପିଲାଦିନରୁ ହିଁ ଦେଶଭକ୍ତି ଦେଖିବାକୁ ମିଳିଥିଲା। ହେଲେ ଅନେକ ପରିଶ୍ରମ ସତ୍ତ୍ବେବି ସେନାରେ ଭର୍ତ୍ତି ହୋଇପାରିନଥିଲେ। ଏହା ପରେ ସେ ସ୍ଥାନୀୟ ‘ବସ୍ତର ଫାଇଟର୍ସ’ରେ ୨୦୨୨ରେ ଯୋଗଦେଇଥିଲେ।

Also Read: ଟଙ୍କା ଲୋଭ ପାଇଁ କନଷ୍ଟେବଳ ସ୍ତ୍ରୀକୁ କାର୍ ଭିତରେ ଜାଳିଦେଲା ସ୍ୱାମୀ...ନିଜେ ଥାନାରେ କଲା ଅଭିଯୋଗ କିନ୍ତୁ ଏମିତି ଧରା ପଡିଗଲା ଚାଲ୍

ସଞ୍ଜୟ ପରିବାରର ବଡ଼ ପୁଅ ଥିଲେ। ମାଆ- ବାପା ଏବଂ ଭାଇ ସନ୍ଦୀପ। ମାତ୍ର ୧୫ ଦିନ ତଳେ ହିଁ ସଞ୍ଜୟଙ୍କ ନିର୍ବନ୍ଧ ହୋଇଥିଲା। ଆସନ୍ତା ୨୦୨୭ ଜାନୁଆରୀରେ ତାଙ୍କର ବିବାହ ହୋଇଥା’ନ୍ତା। କିନ୍ତୁ ଏହା ପୂର୍ବରୁ ତାଙ୍କ ଘରେ ପହଞ୍ଚିଛି ସଞ୍ଜୟଙ୍କ ସହିଦ ହେବାର ଖବର। ସଞ୍ଜୟଙ୍କ ବାପା କହିଛନ୍ତି, ‘ପୁଅ ପରିବାରର ସ୍ବପ୍ନ ପୂରଣ କରିବାକୁ ଚାହୁଥିଲା, କିନ୍ତୁ ଏବେ ସବୁକିଛି ସରିଯାଇଛି।’

ଶନିବାର ଘଟିଥିଲା ଘଟଣା

ସୂଚନାଥାଉକି, ଶନିବାର କାଙ୍କେର ଜିଲ୍ଲାର ଛୋଟେବେଠିଆ ଥାନା ଅନ୍ତର୍ଗତ ମାର୍କାବେଡ଼ା, କୋରୋସ୍କୋଡ଼ା ଏବଂ ଆଦାନର ଜଙ୍ଗଲରେ ଘଟିଥିଲା ଦୁଃଖଦ ଘଟଣା। ସୂଚନା ମୁତାବକ ସୁରକ୍ଷା ବାହିନୀ ମାଓ ଡମ୍ପରେ ସର୍ଚ୍ଚ ଅପରେସନ ଚଳାଇଥିଲା। ଅପରେସନ ସମୟରେ ଟିମ୍ ପ୍ରଥମ ଡମ୍ପରୁ କମ୍ପ୍ୟୁଟର, ମନିଟର ଏବଂ ପ୍ରିଣ୍ଟର ଉଦ୍ଧାର କରିଥିଲା। ହେଲେ ନିକଟରେ ଥିବା ଅନ୍ୟ ଏକ ଡମ୍ପରୁ ମାଓବାଦୀଙ୍କୁ ପ୍ରାୟ ୫ଟି ବସ୍ତାରୁ ୭୫ କିଲୋଗ୍ରାମ ବାରୁଦ ଜବତ କରିଥିଲେ। ଆଉ ଏହି ବାରୁଦକୁ ନଷ୍ଟ କରିବା ସମୟରେ ଏଥିରେ କୌଣସି କାରଣରୁ ବିସ୍ଫୋରଣ ହୋଇଥିଲା।

ଏହି ବିସ୍ଫୋରଣର ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ଚାରି ଜଣ ସୈନିକ ସହିଦ ହୋଇଗଲେ। ସେମାନଙ୍କ ମଧ୍ୟରେ କନଷ୍ଟେବଳ ସଞ୍ଜୟ ଗଢ଼ପାଲେ, ଇନ୍ସପେକ୍ଟର ସୁଖରାମ ଭାଟି ଏବଂ କନଷ୍ଟେବଳ କୃଷ୍ଣ କୋମରା ସାମିଲ ଥିଲେ। ଚତୁର୍ଥ ସୈନିକ କନଷ୍ଟେବଳ ପରମାନନ୍ଦ କୋରମ୍, ଗୁରୁତର ଆହତ ହୋଇଥିଲେ ଏବଂ ହେଲିକପ୍ଟର ଦ୍ୱାରା ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆଯାଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

Also Read: ଖାଇକୁ ଖସିଲା କାର୍, ନିଆଁ ଲାଗି ଜୀଅନ୍ତା ପୋଡ଼ିଗଲେ ଦୁଇ ଯାତ୍ରୀ

ବସ୍ତର ଆଇଜି ଜେନେରାଲ ସୁନ୍ଦରରାଜ ପାଟ୍ଟାଲିଙ୍ଗମ ଏହି ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସେ କହିଛନ୍ତି, "ଇନ୍ସପେକ୍ଟର ସୁଖରାମ ଭାଟିଙ୍କ ନେତୃତ୍ୱରେ ଏହି ଦଳ ପୂର୍ବରୁ ଅନେକ ଥର ମାଓବାଦୀ ଆଇଇଡି ଏବଂ ବିସ୍ଫୋରକଗୁଡ଼ିକୁ ସଫଳତାର ସହ ଉଦ୍ଧାର ଏବଂ ନିଷ୍କ୍ରିୟ କରିଛି। ଆଜିର ଏହି ଦୁଃଖଦ ଦୁର୍ଘଟଣାରେ, ଆମେ ଆମର ଚାରି ଜଣ ସାହସୀ କମାଣ୍ଡୋଙ୍କୁ ହରାଇଛୁ। ଜାତିର ସେବାରେ ସେମାନଙ୍କ ସର୍ବୋଚ୍ଚ ବଳିଦାନ ପାଇଁ ଆମେ ସର୍ବଦା ସେମାନଙ୍କ ନିକଟରେ ଋଣୀ ରହିବୁ।" ସମଗ୍ର ଛତିଶଗଡ଼ ପୋଲିସ ବିଭାଗରେ ଶୋକର ଛାୟାର ଖେଳିଯାଇଛି। ସହିଦ ସୈନିକଙ୍କ ଗାଁଗୁଡ଼ିକ ଶୋକରେ ଅଛି।’