ଲକ୍ଷ୍ନୌ, ୦୧/୦୫ : ଏକ ଦୁର୍ଘଟଣାରେ ଜଣେ ମହିଳା ପୋଲିସ କନଷ୍ଟେବଳ ଏବଂ ତାଙ୍କର ପୁତ୍ର ସନ୍ତାନ ଜଳି ଯାଇ ପ୍ରାଣ ହରାଇଥିଲେ । ଗତ ଫେବ୍ରୁଆରୀ ମାସରେ ଏହି ଅଘଟଣ ଘଟିଥିଲା । କିନ୍ତୁ ଦୁଇ ମାସ ପରେ ଘଟଣାର ପ୍ରକୃତ ସତ ସାମ୍ନାକୁ ଆସିଛି । ଯାହା ଜାଣିବା ପରେ ଆପଣଙ୍କୁ ପାଦ ତଳୁ ମାଟି ଖସିଯିବ ।

ବୀମା ପାଇଁ ହତ୍ୟା

ରିପୋର୍ଟ ଅନୁସାରେ, ଗତ ଫ୍ରେବ୍ରୁଆରୀ ମାସରେ ଉତ୍ତର ପ୍ରଦେଶ ପୋଲିସରେ କାର୍ଯ୍ୟ କରୁଥିବା ଜଣେ ମହିଳା କନଷ୍ଟେବଳ ଲତା ଏବଂ ତାଙ୍କ ସନ୍ତାନ ଏକ ସଡକ ଦୁର୍ଘଟଣାରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଉତ୍ତର ପ୍ରଦେଶର ରାମପୁରରେ ଏହି ଅଘଟଣ ଘଟିଥିଲା । ଏବେ ତଦନ୍ତରୁ ଜଣା ପଡିଛି ଯେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଥିଲା । ମହିଳା କନଷ୍ଟେବଳଙ୍କ ସ୍ୱାମୀ ହିଁ ସରକାରଙ୍କଠାରୁ ତିନି କୋଟି ଟଙ୍କାର ମୃତ୍ୟୁକାଳୀନ ସହାୟତା ରାଶି ପାଇବା ପାଇଁ ଏପରି କାଣ୍ଡ ଭିଆଇଥିଲେ ।

ଏମିତି ଥିଲା ଘଟଣା

ପୋଲିସର କହିବାନୁସାରେ, ରାମପୁର ଅଞ୍ଚଳରେ ଏକ ସିଏଜି କାରରେ ନିଆଁ ଲାଗିଯାଇଥିଲା । ଏଥିରେ ଜଣେ ମହିଳା କନଷ୍ଟେବଳ ଏବଂ ତାଙ୍କର ପୁତ୍ର ସନ୍ତାନ ଜଳି ଯାଇଥିଲେ । କିନ୍ତୁ ସ୍ୱାମୀ ଦାନ୍ ସିଂ ଏବଂ ଦିଅର ରବି ସିଂ ବର୍ତ୍ତି ଯାଇଥିଲେ । ନିଜେ ସ୍ୱାମୀ ଦାନ୍ ସିଂ ପୋଲିସର ଦୁର୍ଘଟଣା ବାବଦରେ ସୂଚନା ଦେଇଥିଲେ ।

ହେଲେ ତଦନ୍ତରେ ଜଣା ପଡିଥିଲା ଯେ, ଏତେ ବଡ ଅଘଟଣ ଘଟିଥିଲେ ବି ଦାନ ସିଂଙ୍କର କୌଣସି କ୍ଷତି ହୋଇନଥିଲା । ଶରୀରର ଏକ ଚୁଟି ମଧ୍ୟ ଜଳି ନଥିଲା । ଏପରିକି ପତ୍ନୀ ଏବଂ ସନ୍ତାନଙ୍କୁ ବଞ୍ଚାଇବା ପାଇଁ ସେ କୌଣସି ପଦକ୍ଷେପ ନେଇନଥିଲେ । ଏନେଇ ପୋଲିସ ଅଧିକ ପଚରାଉଚୁରା କରିଥିଲା । ହେଲେ ଦାନ୍ କିଛି ନକହି ନିରବ ରହିଥିଲେ । ଯାହା ସନ୍ଦେହକୁ ଅଧିକ ଗଭୀର କରିଥିଲା ।

ଶେଷରେ ଗତ ଏପ୍ରିଲ ୧୬ ତାରିଖରେ ପୋଲିସ ଦାନ ସିଂଙ୍କୁ ଗିରଫ କରିଥିଲା । ଏହାସହ ତାଙ୍କର ତିନି ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି । ପତ୍ନୀ ଲତାଙ୍କ ମୃତ୍ୟୁରେ ଅର୍ଥ ମିଳିବା ନେଇ ଦାନ୍ ଜାଣିବାକୁ ପାଇଥିଲେ । ତେଣୁ ସେ ହତ୍ୟା କରିବା ନେଇ ଯୋଜନା କରିଥିଲେ ।

ବୁଲାଇବା ନାଁରେ ମର୍ଡର

ଲତାଙ୍କୁ ଦାନ୍ ୧୫ ଦିନ ଛୁଟି ନେବାକୁ କହିଥିଲେ । ଏହାପରେ ଦାନ୍ ନିଜ ଭାଇ ରବି ଏବଂ ପତ୍ନୀ ଲତାଙ୍କୁ ଧରି ମଥୁରା ବୁଲିବାକୁ ଯାଇଥିଲେ । ଏହାପରେ ଦିଲ୍ଲୀ ଏବଂ ନୈନିତାଲ ମଧ୍ୟ ବୁଲିଥିଲେ । କିନ୍ତୁ ଫେବ୍ରୁଆରୀ ୨୫ ତାରିଖରେ ଫେରିବା ବେଳେ ରାମପୁରର ଖୋଦ୍ ଜିଲ୍ଲାରେ ଦାନ୍ ଏବଂ ରବି ଲତା ଏବଂ ସନ୍ତାନକୁ ଶୁଆଇ ଦେଇ କୋଲ୍ଡ୍ ଡ୍ରିଙ୍କସ୍ ଆଣିବାକୁ ଯାଇଥିଲେ । ଏହି କୋଲ୍ଡ୍ ଡ୍ରିଙ୍କସରେ ସେମାନେ ନିଶା ଔଷଧ ମିଶାଇ ଲତାଙ୍କୁ ଦେଇଥିଲେ । ଏହାପରେ କାରରେ ନିଆଁ ଲଗାଇ ଦେଇଥିଲେ ।

ପୂର୍ବ ଯୋଜନା ଅନୁସାରେ ଦାନଙ୍କ ତିନି ଜଣ ସହଯୋଗୀ ଆଉ ଏକ କାରରେ ଆସିଥିଲେ । ସେମାନେ ଲତାଙ୍କୁ ନେଇ ପାଖ ମେଡିକାଲକୁ ଯାଇଥିଲେ । କାଳେ ଲତା ବଞ୍ଚିଥିବା ଆଶଙ୍କା କରି ଅନ୍ୟ ତିନି ସହଯୋଗୀ ଏକ ହାତୁଡିରେ ଲତାଙ୍କ ମୁଣ୍ଡକୁ ଆଘାତ ଦେଇଥିଲେ । ଯାହା ସିସିଟିଭି ଫୁଟେଜରେ ପୋଲିସ ଜାଣିବାକୁ ପାଇଥିବା ତଦନ୍ତକାରୀ ଅଧିକାରୀ ପ୍ରକାଶ କରିଛନ୍ତି ।