ନୂଆଦିଲ୍ଲୀ: ମନ୍ଦିରରୁ ଦର୍ଶନ ସାରି ଫେରିବା ବେଳେ ଘଟିଲା ଅଘଟଣ। ଖାଇକୁ କାର୍ ଖସି ଲାଗିଗଲା ନିଆଁ। ଜୀଅନ୍ତା ଜଳିଗଲେ ଦୁଇ ଯାତ୍ରୀ। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ହିମାଚଳ ପ୍ରଦେଶ ଉନା ଜିଲ୍ଲାରେ। ପୋଲିସ ଦୁଇ ମୃତଦେହ ଉଦ୍ଧାର କରି ତଦନ୍ତ କରୁଥିବା ବେଳେ, ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ।

ସୂଚନା ଅନୁସାରେ, ଭରୱାଇନ- ହୋସିଆରପୁର ରାସ୍ତାର ଚିନ୍ତାପୂର୍ଣ୍ଣି ଅଞ୍ଚଳ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସି ଏକ କାର ଘାଟିରେ ମୋଡ଼ ନେବା ସମୟରେ ନିୟନ୍ତ୍ରଣ ହରାଇ ପ୍ରାୟ ୧୫୦- ୨୦୦ ଫୁଟ ଘାଟିକୁ ଖସିପଡ଼ିଥିଲା। ଏହା ପରେ ଏଥିରେ ନିଆଁ ଲାଗିଯାଇଥିଲା। ଫଳରେ ଏଥିରେ ବସିଥିବା ଯାତ୍ରୀମାନେ ଆଉ ବାହାରିପାରିନଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ପୋଲିସ ଏବଂ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ଉଦ୍ଧାରକାରୀ ଦଳ ଗାଡ଼ି ଭିତରୁ ଜଣକର ଶବ ଉଦ୍ଧାର କରିଥିବା ବେଳେ ବାହାରୁ ଜଣକର ଦଗ୍ଧ ମୃତଦେହ ଉଦ୍ଧାର କରିଛି। ତେବେ ମୃତକଙ୍କ ପରିଚୟ ମିଳିନାହିଁ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଦୁଇ ଯାତ୍ରୀ ମାତା ଚିନ୍ତାପୂର୍ଣ୍ଣି ମନ୍ଦିର ଦର୍ଶନ ପାଇଁ ଆସିଥିଲେ ଏବଂ ଫେରିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ।

Also Read: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା; ଗ୍ୟାସ୍ ଲିକ୍ରୁ ହୁତୁହୁତୁ ହୋଇ ଜଳିଲା କାର୍, ୫ ଜୀବନ୍ତ ଦଗ୍ଧ

ସେପଟେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଧିକାରୀଙ୍କ ସୂଚନା ଅନୁସାରେ, କାରଟି ଖାଇରେ ଖସିପଡ଼ିବା ପରେ ନିଆଁ ଲାଗିଯିବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ପୋଡ଼ିଯାଇଥିବା ଗାଡ଼ିରୁ ଉଦ୍ଧାର ହୋଇଥିବା ଏକ ଆଧାର କାର୍ଡରେ ଲୁଧିଆନାର ତାଜପୁର ରୋଡର ଏକ ଠିକଣା ଉଲ୍ଲେଖ ରହିଛି। ତଥାପି ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ଜଣେ ପୋଲିସ ମୁଖପାତ୍ର କହିଛନ୍ତି। ପୋଲିସ ସବୁ ସମ୍ଭାବ୍ୟ ଦିଗକୁ ଯାଞ୍ଚ କରୁଛି। ଅଧିକ ସ୍ପିଡ, ଟାୟାର ଫାଟିବା କିମ୍ବା ଚାଳକ ନିୟନ୍ତ୍ରଣ ହରାଇବା ଦିଗକୁ ମଧ୍ୟ ପୋଲିସ ତଦନ୍ତ ପରିସରକୁ ନେଇଛି।