ଆନନ୍ଦପୁର: ପାଟ୍ରୋଲିଂ ସମୟରେ ପୋଲିସକୁ ବଡ ସଫଳତା। ବାପ- ପୁଅଙ୍କ ଠାରୁ ୨ ବନ୍ଧୁକ ସହ ଗୁଳି, ଗନ ପାଉଡର ଓ ବନ୍ଧୁକ ତିଆରି ସାମଗ୍ରୀ ଜବତ। ପୋଲିସ ବାପ-ପୁଅଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରି ଦେଇଛି।

ସୂଚନା ମୁତାବକ, ପାର୍ବଣକୁ ଦୃଷ୍ଟିରେ ରଖି ପୋଲିସ ତରଫରୁ ଚେକିଂ ବ୍ଲକିଂ ଜୋରଦାର ଚାଲିଛି। ଏହି କ୍ରମରେ ଆଜି ସକାଳୁ ଆନନ୍ଦପୁର ପୋଲିସର ଏକ ପାଟ୍ରୋଲିଂ ଟିମ ତରତରା - କାଠକଟା ରାସ୍ତାରେ ପାଟ୍ରୋଲିଂ କରୁଥିବା ସମୟରେ ଯୋଗିଆବନ୍ଧ ଛକ ନିକଟର ଦୁଇଜଣ ବ୍ଯକ୍ତି ଏକ ବସ୍ତାଧରି ଯାଉଥିଲେ। ଉଭୟଙ୍କ ଗତିବିଧିକୁ ସନ୍ଦେହ କରି ତାଙ୍କୁ ଅଟକାଇବାରୁ ସେମାନେ ଦୁହେଁ ବାପ-ପୁଅ ବୋଲି ପରିଚୟ ଦେଇଥିଲେ। ପରେ ଅଖା ବସ୍ତାକୁ ତଲାସି ନେବାରୁ ସେଥିରୁ ୨ଟି ବନ୍ଧୁକ ବାହାରିଥିଲା।

Also Read: ସକାଳୁ ସକାଳୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏ କି ଘଟଣା ? କିଛି ବି ହୋଇ ପାରିଥାନ୍ତା

ପୋଲିସ ବନ୍ଧୁକ ଜବତ କରିବା ସହ ବାପ ଓ ପୁଅକୁ ନିଜ ହେପାଜତକୁ ନେଇଛି। ବରଗୋଠ ଗାଁର ବାସିନ୍ଦା ବାପାଙ୍କ ନାଁ ନଣ୍ଡା ହୋ ଓ ପୁଅର ନାଁ ହେଉଛି ଚକ୍ର ହୋ। ସେମାନଙ୍କ ଘର ତଲାସି ସମୟ ସେଠାରୁ ୨୯ଟି ଗୁଳି, ଗନ ପାଉଡର, ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି ପୋଲିସ। ତେବେ ଶିକାର ଉଦ୍ଦେଶ୍ୟରେ ସେମାନେ ବନ୍ଧୁକ ତିଆରି କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।ଉଭୟଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ଆର୍ମସ୍ ଆକ୍ଟରେ ମାମଲା ରୁଜୁ କରିଛି ଆନନ୍ଦପୁର ପୋଲିସ।