ନୂଆଦିଲ୍ଲୀ ୨୩।୧: ଚଳିତବର୍ଷ ଗଣତନ୍ତ୍ର ଦିବସ ପରେଡ ଅନ୍ୟବର୍ଷ ଭଳି କେବଳ ଫୁଲ, ବ୍ୟାଣ୍ଡ ଓ ପ୍ରଜ୍ଞାପନ ମେଢ଼ ଆୟୋଜନରେ ସୀମିତ ରହିବନି, ବରଂ କର୍ତ୍ତବ୍ୟ ପଥକୁ ଏକ ପ୍ରତୀକାତ୍ମକ ଯୁଦ୍ଧଭୂମିରେ ପରିବର୍ତ୍ତିତ ହେବାର ଅନୁଭବ ପ୍ରଦାନ କରିବ। ଗଣତନ୍ତ୍ର ଦିବସ ପରେଡ ଦେଖୁଥିବା ଦର୍ଶକଙ୍କୁ ଲାଗିବ ସେମାନେ ଯେପରି କୌଣସି ସମରାଭ୍ୟାସ ଅଥବା ବାସ୍ତବିକ ସଂଘର୍ଷର ଦୃଶ୍ୟ ଦେଖୁଛନ୍ତି। ଏଥିରେ ବାୟୁସେନା ଯୁଦ୍ଧବିମାନ ଆକାଶରେ ଯୁଦ୍ଧକାଳୀନ ପରିସ୍ଥିତି ସୃଷ୍ଟି କରିବେ ଓ ତଳେ ସେହିକ୍ରମରେ ସେନା ଆଗକୁ ବଢିବ ଯେପରି ଶତ୍ରୁର ସାମ୍ନା କରୁଛି।

ଏଥରର ଗଣତନ୍ତ୍ର ଦିବସ ପରେଡ ପରମ୍ପରାରୁ ଆଗକୁ ବଢି ଶକ୍ତି, ସଂକଳ୍ପ ଓ ପ୍ରସ୍ତୁତିର ଜୀବନ୍ତ ପ୍ରଦର୍ଶନ କରିବ ସେନା ଓ ଦର୍ଶାଇବ ଭାରତ ଏବେ ତାର ଗଣତନ୍ତ୍ର ଉତ୍ସବକୁ କେବଳ ଫୁଲରେ ନୁହେଁ ବରଂ ଦୃଢ ଇଛାଶକ୍ତି ଓ ଯୁଦ୍ଧ ତତ୍ପରତା ସହିତ ପାଳନ କରିବ। ୭୭ତମ ଗଣତନ୍ତ୍ର ଦିବସ ଉତ୍ସବ ପାଳନ ପାଇଁ କର୍ତ୍ତବ୍ୟପଥରେ ଅନୁଷ୍ଠିତ ହେବାକୁ ଥିବା ପରେଡରେ ଭାରତର ସୈନ୍ୟ ଚେତନା, ଆତ୍ମ ବିଶ୍ୱାସ ଓ ଆକ୍ରାମକ ସଂକଳ୍ପର ସାର୍ବଜନିକ ଉଦଘୋଷ ହେବ। ଏହି ଗଣତନ୍ତ୍ର ଦିବସରେ ବିଶେଷ କରି ଭାରତୀୟ ସଶସ୍ତ୍ର ବଳଙ୍କ ସୌର୍ଯ୍ୟ ଓ ପରାକ୍ରମ ଉପରେ ଜୋର ଦିଆଯିବ। ଖାସ କରି ଅପରେସନ ସିନ୍ଦୂରର ସଫଳ ରୂପାୟନର ପ୍ରତୀକ ରୂପେ ପ୍ରଦର୍ଶିତ କରାଯିବ।

ଜାନୁୟାରୀ ୨୬ରେ କର୍ତ୍ତବ୍ୟ ପଥରେ ଏକ ଭବ୍ୟ ବିମାନ ପ୍ରଦର୍ଶନ କରାଯିବ, ଯେଉଁଥିରେ ଭାରତୀୟ ବାୟୁସେନା (ଆଇଏଏଫ)ର ୨୯ଟି ଯୁଦ୍ଧ ବିମାନ ସାମିଲ ହେବେ। ନୂଆପ୍ରକାରେ ହେବାକୁ ଥିବା ଏହି ଫ୍ଲାଇପାଷ୍ଟରେ ଆଇଏଏଫର ଯୁଦ୍ଧ କ୍ଷମତା ଓ ପରିଚାଳନା ତତ୍ପରତାକୁ ପ୍ରଦର୍ଶିତ କରିବ। ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ହେବ ‘ସିନ୍ଦୂର’ ଫର୍ମେସନ। ବାୟୁସେନା ଯୁଦ୍ଧବିମାନମାନେ ଏହି ଫର୍ମେସନ କରିବାକୁ ଥିବା ବେଳେ ଅପରେସନ ସିନ୍ଦୂରରେ ବାୟୁସେନାର ଭୂମିକାକୁ ଦର୍ଶାଇବ। ଏହା ଛଡା ପ୍ରଥମ ଥର ଫ୍ଲାଇପାଷ୍ଟକୁ ଦୁଇଟି ଭାଗରେ ବିଭକ୍ତ କରାଯିବ। ଏଥିରେ ୧୬ଟି ଫାଇଟର ଜେଟ୍, ୪ଟି ଟ୍ରାନ୍ସପୋର୍ଟ ବିମାନ ଓ ୯ଟି ହେଲିକପ୍ଟର ସାମିଲ ହେବେ। ଏହି ପ୍ରଦର୍ଶନରେ ବଜ୍ରାଙ୍ଗ, ବରୁଣ, ଅର୍ଜୁନ, ପ୍ରହାର ଓ ଧ୍ୱଜ ଆଦି ଫର୍ମେସନ ପ୍ରଦର୍ଶିତ କରାଯିବ। ଏହି ସମଗ୍ର ବିମାନ ପ୍ରଦର୍ଶନ ଭୂ ପୃଷ୍ଠରେ ଦେଖାଯାଉଥିବା ଫେଜଡ ବ୍ୟାଟେଲ ଏରେ ଡିଜାଇନରେ ସଂଯୁକ୍ତ ହେବ।

ଏଥର ପରେଡରେ ସ୍ଥଳସେନା ମଧ୍ୟ ଫେଜଡ ବ୍ୟାଟେଲ ଏରେ ଫର୍ମେସନରେ କର୍ତ୍ତବ୍ୟ ପଥକୁ ଓହ୍ଲାଇବ। ଏହାର ଅର୍ଥ ହେଉଛି ସେନା ପ୍ଲାଟୁନ ସେହିକ୍ରମରେ ଆଗକୁ ବଢିବେ ଯେପରି ସେମାନେ ବାସ୍ତବ ଯୁଦ୍ଧରେ ମୁତୟନ ହୁଅନ୍ତି। ଏଥିରେ ସବୁଠୁ ଆଗରେ ପାଇଲଟ, ତା ପଛକୁ ଲଜିଷ୍ଟିକ୍ସ ଓ ଅଗ୍ରୀମ ମୋର୍ଚ୍ଚା ୟୁନିଟ୍ ରହିବେ। ଏଥିରେ ସବୁ ସୈନିକ ଯୁଦ୍ଧକାଳୀନ ପୋଷାକ ସମେତ ଅନ୍ୟ ଉପକରଣରେ ଦେଖାଯିବେ। ଏହି କ୍ରମରେ ନୂଆ ‘ଭୈରବ ଲାଇଟ କମାଣ୍ଡୋ’ ବଟାଲିୟନର ମଧ୍ୟ ଗଣତନ୍ତ୍ର ଦିବସରେ ଲଞ୍ଚ ହେବ। ଏହି ବଟାଲିୟନକୁ ଗତବର୍ଷ ଅକ୍ଟୋବର ମାସରେ ଗଠନ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ପଦାତିକ ସୈନ୍ୟ ଓ ସ୍ୱତନ୍ତ୍ର ଫୋର୍ସଙ୍କ ମଧ୍ୟରେ ଥିବା ଶୂନ୍ୟସ୍ଥାନକୁ ପୂରଣ କରିବା।

ଏଥର ପରେଡର ମୁଖ୍ୟ ଥିମ ବନ୍ଦେ ମାତରମର ଦେଢଶହ ବର୍ଷ ପୂର୍ତ୍ତି ରହିବ। କର୍ତ୍ତବ୍ୟ ପଥରେ ନିର୍ମିତ ଏନକ୍ଲୋଜର ଏହାର ପ୍ରାରମ୍ଭିକ ପଦ ଉପରେ ଆଧାରିତ ଚିତ୍ର ଓ ପୁଷ୍ପ ସଜ୍ଜା ଯିବ। ଏହା ଛଡା ବନ୍ଦେ ମାତରମ ରଚୟିତା ବଙ୍କିମ ଚନ୍ଦ୍ର ଚଟୋପଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ। ଗଣତନ୍ତ୍ର ଦିବସରେ ମୁଖ୍ୟ ତଥା ବିଶିଷ୍ଟ ଅତିଥି ଭାବେ ଚଳିତବର୍ଷ ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ଉର୍ସୁଲା ଭନ ଡେର ଲେୟନ ଓ ୟୁରୋପୀୟ କାଉନସିଲ ଅଧ୍ୟକ୍ଷ ଆଣ୍ଟୋନିୟୋ କୋଷ୍ଟା ଯୋଗ ଦେବେ।

ଗଣତନ୍ତ୍ର ଦିବସ ପରେଡରେ ଅପରେସନ ସିନ୍ଦୂରକୁ କେନ୍ଦ୍ରକୁ ଆଣି ଭାରତ ଏହା ଷ୍ପଷ୍ଟ କରୁଛି ଯେ ଭାରତ ଉପରେ କୌଣସି ପ୍ରକାରର ଆକ୍ରମଣ ସୈନ୍ୟ ପ୍ରତିକ୍ରିୟାକୁ ଜନ୍ମ ଦେବ। ଫେଜଡ ବ୍ୟାଟେଲ ଏରେ ର ପ୍ରୟୋଗ ଏହା ସୂଚାଇ ଦେଉଛି ଯେ ଭାରତ ଏବେ ପରେଡକୁ ଖେଳନା ପ୍ରଦର୍ଶନ ନୁହେଁ ବରଂ ଯୁଦ୍ଧାଭ୍ୟାସ ଭଳି ମଞ୍ଚ ସୃଷ୍ଟି କରୁଛି। ଏହା ସେନାର ମାନସିକତାରେ ଆସିଥିବା ପରିବର୍ତ୍ତନର ସଂକେତ ଦେଉଛି, ଯେଉଁଥିରେ ଦେଖାଇ ହେବା ନୁହେଁ ପ୍ରସ୍ତୁତିକୁ ପ୍ରାଥମିକତା ଦେଉଛି। ସେହିପରି ଭୈରବ କମାଣ୍ଡୋ ବଟାଲିୟନର ପଦାର୍ପଣ ଭବିଷ୍ୟତରେ ଯୁଦ୍ଧର ଝଲକ ଦେଖାଇବ। ମୋଟ ଉପରେ ଗଣତନ୍ତ୍ର ଦିବସ ୨୦୨୬ର ଘୋଷଣା ହେଉଛି ସିନ୍ଦୂର ଆକାଶରେ ରହିଛି ଓ ଏହାର ବାର୍ତ୍ତା ସ୍ପଷ୍ଟ । ଯିଏ ବି ଆଖି ଉଠାଇବ ତାକୁ ଜବାବ ମିଳିବ ଓ ତାହା ବି ସମ୍ପୂର୍ଣ୍ଣ ପ୍ରସ୍ତୁତିର ସହିତ।