ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଚିନ୍ମୟ ଅମୃତ ମହୋତ୍ସବ ଗ୍ଲୋବାଲ୍ ସମ୍ମିଳନୀର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରକୁ ସମ୍ୱୋଧନ କରି ପିଏମ୍ ମୋଦୀ କହିଛନ୍ତି ଯେ ଆମ ଦେଶ ଆମ ସଂସ୍କୃତିର ଜନ୍ମସ୍ଥଳୀ ଅଟେ ଏବଂ ଏହା ଆମ ଅସ୍ତିତ୍ୱର ମୂଳଦୁଆ ମଧ୍ୟ । ସେ କହିଛନ୍ତି ଯେ ଗତ କିଛି ଦଶନ୍ଧିରେ ସମୟ ବଦଳିଛି, ଦେଶ ସାମନାରେ ଅନେକ ନୂଆ ଆହ୍ୱାନ ଉଭା ହୋଇଛି ଏବଂ ସମାଜରେ ନୂତନ ଖରାପ ବିଷୟ ମଧ୍ୟ ସାମନାକୁ ଆସିଛି । ଆଜି ଏହା ସହିତ ଲଢ଼ିବାର ଦାୟିତ୍ୱ ଆମ ସମସ୍ତଙ୍କ ଉପରେ ରହିଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସମାଜରେ ବିଭାଜନ ସୃଷ୍ଟିକାରୀ ଶକ୍ତି ବିରୋଧରେ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ । ଆମକୁ ଆମର ନାଗରିକମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ସଚେତନ ଏବଂ ପ୍ରେରିତ କରିବାକୁ ପଡ଼ିବ । ଆମକୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ସଂକଳ୍ପ ସହିତ ଯୋଡ଼ିବାକୁ ପଡ଼ିବ । ଏହି ଉଦ୍ଦେଶ୍ୟଗୁଡ଼ିକୁ ହାସଲ କରିବା ପାଇଁ ଆମକୁ ଅଧିକ ସକ୍ରିୟ ହେବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ରାଷ୍ଟ୍ର ହେଉଛି ଭାରତୀୟ ସଂସ୍କୃତିର ଜନ୍ମସ୍ଥାନ ଏବଂ ଦେଶର ଅସ୍ତିତ୍ୱର ମୂଳଦୁଆ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଆମର ଉପନିଷଦରେ କୁହାଯାଇଛି, 'ଭୟମ୍ ଅମୃତସ୍ୟ ପୁତ୍ରଃ' । ଏହାର ଅର୍ଥ ହେଉଛି ଆମେ ଅମୃତର ସନ୍ତାନ । ଏହି ଧାରଣା କେବଳ ଏକ ଆଧ୍ୟାତ୍ମିକ ଦର୍ଶନ ନୁହେଁ, ଏହା ଆମର ସାଂସ୍କୃତିକ ବିଶ୍ୱାସ ମଧ୍ୟ । ଏହାର ଅର୍ଥ ହେଉଛି ଆମର ଚେତନା ଅମର । ଆମର ଜ୍ଞାନ ଏବଂ ବୁଝାମଣା ଅମର । ଏହି ବୁଝାମଣା ଯୋଗୁଁ, ଭାରତ ହଜାର ହଜାର ବର୍ଷ ଧରି ଅମର ହୋଇ ରହିଛି, କାରଣ ଭାରତ ଶବ୍ଦର ଅର୍ଥ ହେଉଛି ଜ୍ଞାନ ଏବଂ ଆଲୋକର ଗବେଷଣାରେ ନିୟୋଜିତ ବ୍ୟକ୍ତି । ସେଥିପାଇଁ, ଯେତେବେଳେ ଭାରତର ସ୍ୱାଧୀନତାର ୭୫ ବର୍ଷ ଆସିଲା, ମୋ ମନରେ ଏହି ଚିନ୍ତା ଆସିଲା ଯେ ଆମେ ଏହି ଅବସରକୁ ଏକ ବିକଶିତ ଭାରତ ପାଇଁ ପ୍ରେରଣାର ଏକ ମଞ୍ଚ କରିବା । ଆମକୁ ସେହି ଭାରତର ରୂପକୁ ଜୀବନ୍ତ କରିବାକୁ ପଡ଼ିବ ଯାହା ଅମୃତ ଚିନ୍ତାଧାରାକୁ ବଞ୍ଚିବାର ଜାଣେ ।"

 

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ମୁଁ ସେହି ଉତ୍ସବକୁ ଅମୃତ ମହୋତ୍ସବ ଭାବେ ପାଳନ କରିବାକୁ ଆହ୍ୱାନ କରିଥିଲି । ସମୟ ସହିତ ଗୋଟିଏ ଗୋଟିଏ ଅଦ୍ଭୂତ ଯାତ୍ରା ଏହି ସଂକଳ୍ପ ସହ ଯୋଡ଼ି ହେଉଛନ୍ତି । ଏବେ ଚିନ୍ମୟ ମିଶନ ମଧ୍ୟ ଅମୃତ ମହୋତ୍ସବ ରୂପେ ଭାରତର ଅମୃତକାଳର ଅଭିଯାନ ସହ ଯୋଡ଼ି ହୋଇଛି । ଏହା ହିଁ ଭାରତର ସଂକଳ୍ପର ପ୍ରକୃତ ଶକ୍ତି । ଏହା ହିଁ ଆମର ଅମୃତସ୍ୟ ପୁତ୍ରଃ ହେବାର ପ୍ରେରଣା ।