ନୂଆଦିଲ୍ଲୀ: ନ୍ୟୁକ୍ଲିୟର ପ୍ଲାଣ୍ଟରେ ସଫ୍ଟୱେର କ୍ରାସ ଓ ସାଇବର ଆକ୍ରମଣ ଭଳି ବିପଦରୁ ବର୍ତ୍ତିବା ଲାଗି ଭାରତରେ ନୂଆ ଟେକ୍ନୋଲଜି ଉପଯୋଗ ହେଉଛି। ଋଷିଆରେ ନିର୍ମିତ ଏହି ହାର୍ଡୱେର ଆଧାରିତ ଟେକ୍ନୋଲଜି ଏବେ ତାମିଲନାଡୁସ୍ଥିତ ନ୍ୟୁକ୍ଲିୟର ପ୍ଲାଣ୍ଟରେ ଲଗାଯାଉଛି। ଋଷିଆ ପରମାଣୁ ଶକ୍ତି କମ୍ପାନୀ ରୋସାଟମ ନିକଟରେ କୁଡନକୁଲମ ପରମାଣୁ ବିଦ୍ୟୁତ ପ୍ଲାଣ୍ଟ ନିମନ୍ତେ ନୂଆ ଟେକ୍ନୋଲଜି ଆଧାରିତ ସୁରକ୍ଷା ଉପକରଣ ଯୋଗାଇ ଦେଇଛି।

ଏହି ଟେକ୍ନୋଲଜି ଜରୁରିକାଳୀନ ପରିସ୍ଥିତିରେ ବିନା ମାଇକ୍ରୋ ପ୍ରୋସେସର ଓ ସଫ୍ଟୱେରରେ କାମ କରିବ। ଏହା ଉଦ୍ଦେଶ୍ୟ ହେଉଛି ସଫ୍ଟୱେର ଉପରେ ନିର୍ଭରଶୀଳତାରୁ ବର୍ତ୍ତିବା। ଏବେ ସାଇବର ଆକ୍ରମଣ ଭଳି କୌଣସି ଘଟଣା ଘଟିଲେ ସୁରକ୍ଷା ବ୍ୟବସ୍ଥା ପ୍ରଭାବିତ ହେବ ନାହିଁ। କୁଡନକୁଲମର ପ୍ରଥମ ୟୁନିଟ୍ ସଞ୍ଚାଳନର ଅଭିଜ୍ଞତାରୁ ନୂଆ ୟୁନିଟ୍ ଲାଗି ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି। ନୂଆ ସିଷ୍ଟମରେ ନନ ପ୍ରୋଗ୍ରାମେବଲ ମଡ୍ୟୁଲ ଉପଯୋଗ କରାଯାଉଛି। ଏହା ସିଧା ହାର୍ଡୱେର ସର୍କିଟରେ କାମ କରିବ। ଏହା ଦ୍ୱାରା ବୈଷୟିକ ତ୍ରୁଟି ଅଥବା ସଫ୍ଟୱେର କ୍ରାସ ସ୍ଥିତିରେ ପ୍ଲାଣ୍ଟର ସୁରକ୍ଷା ଉପରେ କୌଣସି ପ୍ରଭାବ ପଡିବ ନାହିଁ।

ଯଦି ରିଆକ୍ଟରରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ତାପମାତ୍ରା ବଢେ ଅଥବା ଅଧିକ ତାପମାତ୍ରାର ଚାପ ବଢେ ତେବେ ଏହି ସିଷ୍ଟମ ଆକ୍ଟିଭେଟ ହୋଇ ବୋରନ ଇଞ୍ଜେକ୍ସନ ପମ୍ପ ଭଳି ଜରୁରିକାଳୀନ ଉପକରଣକୁ ଆଦେଶ ପଠାଇ ଥାଏ। ଏହା ଦ୍ୱାରା ରିଆକ୍ଟର ଆପେ ଆପେ ଥଣ୍ଡା ହେବାକୁ ଲାଗେ ଓ କୌଣସି ପ୍ରକାରର ଦୁର୍ଘଟଣା ବିପଦ ଟଳି ପାରିବ। ଏହି ନୂଆ ସିଷ୍ଟମରେ ବିନା ପ୍ରୋଗ୍ରାମିଂର ହାର୍ଡୱେର ସର୍କିଟ ଥିବା କାରଣରୁ ଏହାର ସୁରକ୍ଷା ପ୍ରଣାଳୀକୁ ବାହାରର କୌଣସି ପ୍ରକାରର ଡିଜିଟାଲ ଆକ୍ରମଣ ଅଥବା ସାଇବର ଆକ୍ରମଣ ସମ୍ଭବ ହେବନି।