ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପିଏମ-ବିକଶିତ ଭାରତ ରୋଜଗାର ଯୋଜନା (ପିଏମ-ଭିବିଆରୱାଇ) ରେ ଦେଶର ଯୁବକଙ୍କ ଖାତାରେ ପାଖାପାଖି ୨,୪୦୦ କୋଟି ଟଙ୍କା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏହି ରାଶି ସେହି ଯୁବକମାନଙ୍କ ଖାତାରେ ପକାଇଛନ୍ତି ଯେଉଁମାନେ ପ୍ରଥମ ଥର ନୂଆ କରି ଚାକିରିରେ ନିଯୁକ୍ତ ହୋଇଛନ୍ତି ଓ ଚାକିରିକୁ ଯିବାର ୬ ମାସ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୋଜନାରେ ଏପର୍ଯ୍ୟନ୍ତ ଦେଶରେ ୭୦ ଲକ୍ଷ ଚାକିରି ସୃଷ୍ଟି କରାଯାଇଛି। ପ୍ରଥମ ଥର କର୍ମଚାରୀଙ୍କୁ ସୋସିଆଲ ସିକ୍ୟୁରିଟିର ସୁରକ୍ଷା କବଚ ଦିଆଯାଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରାୟ ୨୦ଲକ୍ଷ ଯୁବକ ଯୁବତୀ ସେମାନଙ୍କ ନୂଆ ଚାକିରିରେ ୬ ମାସ ପୁରା କରିସାରିଲେଣି। ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ଯୋଜନାର ହିତାଧିକାରୀ ରୂପେ ଇନସେଣ୍ଟିଭ ମିଳିଛି। ଏ ବାବଦେ ୨ ହଜାର କୋଟିରୁ ଅଧିକ ଟଙ୍କା ସେମାନଙ୍କ ଆକାଉଣ୍ଟରେ ପଡିଯାଇଛି। ନୂଆ ଚାକିରି କରିଥିବା ଯୁବକ ଯୁବତୀଙ୍କ ଲାଗି ଏହା ଆର୍ଥିକ ସହାୟତା ନୁହେଁ ସେମାନଙ୍କ ପରିଶ୍ରମର ସମ୍ମାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାରା ବିଶ୍ୱ ଏବେ ଭବିଷ୍ୟତର ଅର୍ଥ ବ୍ୟବସ୍ଥା ଲାଗି ପ୍ରସ୍ତୁତି କରୁଛି ଏଥିରେ ଭାରତ ବୈଶ୍ୱିକ ଅର୍ଥ ବ୍ୟବସ୍ଥାର ନେତୃତ୍ୱ ନେବାକୁ ଏବେ ପ୍ରସ୍ତୁତ। ସେହିପରି ଦୁନିଆ ଫ୍ୟୁଚର ଟେକ୍ନୋଲଜି ଆଡକୁ ଅଗ୍ରସର ହେଉଛି। ଏଥିରେ ଭାରତ ଏବେ ନିଜ ଦେଶର ଯୁବ ପିଢୀଙ୍କୁ ଫ୍ୟୁଚର ରେଡ୍ଡି କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଭାରତର ଯୁବପିଢୀ ଲାଗି ଏକ ସୁ ଅବସର ଓ ଆମେ ଏହି ଅବସରର ଲାଭ ନେବା ଉଚିତ। କାରଣ ବିକଶିତ ଭାରତର ରାସ୍ତା ଯୁବ ପିଢୀର ସ୍ୱପ୍ନ, ସେମାନଙ୍କ କୌଶଳ ଓ ସେମାନଙ୍କ ସାମର୍ଥ୍ୟ ଦେଇ ଯାଉଛି।