ପୁରୀ ୧୯।୭: ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଚତୁର୍ଥ ଦିବସ । ରବିବାର ଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଆଡ଼ପ ଦର୍ଶନ। ଏହାସହ ଆଡ଼ପ ମଣ୍ଡପରେ ବାହାରିଲା ପ୍ରଥମ ଆଡ଼ପ ଅବଢ଼ା । ସକାଳ ଧୂପରେ ବାହାରିଲା ଆଡ଼ପ ଅବଢ଼ା । ଆଡ଼ପ ଅବଢ଼ା ପାଇ ଭକ୍ତ ଆନନ୍ଦିତ । ସକାଳ ଧୂପରେ ବାହାରିଛି ଆଡ଼ପ ଅବଢ଼ା । ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆଡ଼ପ ଅବଢ଼ା ପାଇ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ।

ରବିବାର ପ୍ରଥମ ଦିନ ହୋଇଥିବାରୁ ଭକ୍ତଙ୍କ ଅସମ୍ଭବ ଭିଡ଼ ହୋଇଥିଲା । ଲମ୍ବା ବ୍ୟାରିକେଡ଼ରେ ଭକ୍ତ ଶ୍ରଦ୍ଧାଳୁ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରୁଛନ୍ତି । ଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରି ଦର୍ଶନ କରିବା ପରେ ନାକଚଣା ଦ୍ଵାର ଦେଇ ପ୍ରସ୍ଥାନ କରୁଛନ୍ତି ଭକ୍ତ । ରବିବାର ମହାପ୍ରଭୁଙ୍କ ଦ୍ବିତୀୟ ଭୋଗମଣ୍ଡପ ପରେ ବନକଲାଗି ନୀତି ଅନୁଷ୍ଠିତ ହେବ। ତେଣୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ଦୀର୍ଘ ସମୟ ଲମ୍ବା ଧାଡ଼ିରେ ଠିଆ ହୋଇ ଅଧିକାଂଶ ଭକ୍ତ ଅଣନିଃଶ୍ବାସୀ ହୋଇ ଚେତାଶୂନ୍ୟ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Also Read:- ମହାପ୍ରଭୁଙ୍କ ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାରର ଗଣତି-ମଣତି ଶେଷ, ୯ଟି ରତ୍ନ ଅଳଙ୍କାରର ହେଲା ଯାଞ୍ଚ

ଶନିବାର ଗୋଟି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ପହଣ୍ଡି ବିଜେ କରିବା ପରେ ସମସ୍ତ ନୀତି କାନ୍ତି ଅନୁଷ୍ଠିତ ହୋଇଥିଲା । ଠାକୁରଙ୍କର ଅନେକ ଗୁଡ଼ିଏ ନୀତି କାନ୍ତି ଥିବାରୁ ପହୁଡ କରାଯାଇନଥିଲା । ତେବେ ରବିବାର ସକାଳ ୯ଟା ୫୫ରେ ମଙ୍ଗଳ ଆଳତି ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ସକାଳୁ ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ୱେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା ବ୍ୟାରିକେଡ଼ରେ ଦୀର୍ଘ ସମୟ ଅପେକ୍ଷା କରି ଭକ୍ତ ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିବା ସହ ନାକଚଣା ଦ୍ଵାର ଦେଇ ପ୍ରସ୍ଥାନ କରିଥିଲେ । ଉଭୟ ସାହାଣ ମେଲା ଓ ପରିମାଣିକ ଟିକେଟ ଦର୍ଶନ ଚାଲିଥିଲା । ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ଆଡପ ଅବଢା ପାଇ ଭକ୍ତ ନିଜକୁ ଧନ୍ୟ ଓ ଭାଗ୍ୟବାନ ମଣିଛନ୍ତି। ସୁଆର ମହାସୁଆର ନିଯୋଗ ପକ୍ଷରୁ ୫୦ ହଜାରରୁ ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ଧୂପରେ ଆଡ଼ପ ଅବଢ଼ା ପ୍ରସ୍ତୁତ ହୋଇଥିବା କହିଛନ୍ତି ସେବାୟତ । ତେବେ ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ଭକ୍ତମାନେ ଦୀର୍ଘ ସମୟ ଧରି ବ୍ୟାରିକେଡ଼ ଠିଆ ହୋଇ ଅଣନିଃଶ୍ବାସୀ ହୋଇପଡ଼ିଥିଲେ । ବ୍ୟାରିକେଡ଼ରେ ସେଡ୍ ବା ଛାଇ ବ୍ୟବସ୍ଥା ହୋଇନଥିବା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଯାହାକୁ ନେଇ ଭକ୍ତମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।