ପୁରୀ ୧୯।୭: ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଦୁର୍ଲଭ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଶେଷ ହୋଇଛି । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଅଳଙ୍କାର ଓଲାଗି ପରେ ଆଜି କରାଯାଇଥିଲା ଗଣତି ମଣତି। ଦିନ ୧୧ ଟା ୩୬ ମିନିଟ୍ରେ ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା । ସୁନା ଚିତା, ରାହୁ ରେଖା, ରୂପା ରସିକ ଶୁଆ ଥଣ୍ଟିଆର ଗଣତି ମଣତି କରାଯାଇଛି। ଖଟଶେଜ ଘରେ କରାଯାଇଥିଲା ସମସ୍ତ କାର୍ଯ୍ୟ । ଝୋବାର ଗଣତି ମଣତି କାର୍ଯ୍ୟ ହୋଇନାହିଁ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।

ମହାପ୍ରଭୁଙ୍କ ୯ଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାର ଗଣତି ଓ ମେଳକ କାର୍ଯ୍ୟ କରାଯାଇଛି । ଏବେ ବି ଶ୍ରୀଅଙ୍ଗରେ ଲାଗି ହୋଇଥିବାରୁ ଝୋବା କଣ୍ଠୀର ଗଣତି ମଣତି କାର୍ଯ୍ୟ ହୋଇ ହୋଇପାରିନାହିଁ । ନୀଳାଦ୍ରି ବିଜେ ପୂର୍ବରୁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଲାଗି ୯ଟି ଅଳଙ୍କାରର ଗଣତି ଓ ମେଳକ କରାଯାଇଛି । ଶ୍ରୀଜିଉଙ୍କ ଅଣ୍ଟା ପଟି ବା ରୂପାରସିକ ଶୁଆ ଥଣ୍ଟିଆ ତିନୋଟି, ରାହୁ ରେଖା ୩ଟି, ରତ୍ନ ଚିତା ତିନୋଟିର ଗଣତି ଓ ମେଳକ ହୋଇଛି । ସମସ୍ତ ଅଳଙ୍କାରର ଓଜନ ମାପ ପରେ, ଥ୍ରୀଡି ମ୍ୟାପିଂ, ଭିଡିଓଗ୍ରାଫି ସହ ରତ୍ନ ବିଶାରଦ ମାନଙ୍କ ଦ୍ୱାରା ମୂଲ୍ୟବାନ ରତ୍ନ ଗୁଡିକର ଚିହ୍ନଟ କରାଯାଇଥିଲା । ଖଟ ଶେଯ ଘରେ ଏହି ମୂଲ୍ୟବାନ ଅଳଙ୍କାର ସବୁର ଗଣତି ଓ ମେଳକ କାର୍ଯ୍ୟ ହୋଇଥିଲା । ଏ ସମସ୍ତ ଅଳଙ୍କାର ଚଳନ୍ତି ଭଣ୍ଡାରର ଅଂଶ ବିଶେଷ ହୋଇଥିଲେ ହେଁ ଶ୍ରୀଅଙ୍ଗରେ ଲାଗି ହୋଇଥିବାରୁ ଏହାର ଗଣତି କରାଯାଇ ପାରିନଥିଲା ।

Also Read:- ପୁରୀ ସମୁଦ୍ରରେ ପୁଣି ଅଘଟଣ, ଗାଧୋଇବା ବେଳେ ବୁଡ଼ି ଯାଉଥିବା ୨ ପର୍ଯ୍ୟଟକ ଉଦ୍ଧାର

ତେବେ ସ୍ନାନ ପୂର୍ଣ୍ଣିମା ପରେ ରାହୁ ରେଖା, ଚିତା, ଅଣ୍ଟା ପଟି ଓଲାଗି ହୋଇଥିବା ବେଳେ ନୀଳାଦ୍ରି ବିଜେ ପୂର୍ବରୁ ଏହି ଅଳଙ୍କାର ସବୁର ଗଣତି କାର୍ଯ୍ୟ ହୋଇଛି । ତେବେ ଶ୍ରୀଜିଉଙ୍କ ଝୋବାକଣ୍ଠୀ ଏବେ ବି ଶ୍ରୀଅଙ୍ଗରେ ଲାଗି ହୋଇଥିବାରୁ ଏହାର ଗଣତି ହୋଇ ପାରିନାହିଁ ।

ରବିବାର ପୂର୍ବାହ୍ନ ୧୧ଟା ୩୧ରୁ ଗଣତି କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ନ ୧ଟା ୫୮ ମିନିଟ୍ ପର୍ଯ୍ୟନ୍ତ ଦୁର୍ଲଭ ଅଳଙ୍କାରର ଗଣତି ହୋଇଥିଲା । ପ୍ରାୟ ୨ ଘଣ୍ଟା ୨୭ ମିନିଟ୍ ଗଣତି ମଧ୍ୟରେ ୯ଟି ଯାକ ଅଳଙ୍କାରର ଗଣତି, ଓଜନ, ଭିଡିଓ ଗ୍ରାଫି, ଥ୍ରୀଡି ମ୍ୟାପିଙ୍ଗ କାର୍ଯ୍ୟ ଶେଷ ହୋଇଥିଲା । ତେବେ ରତ୍ନ ଭଣ୍ଡାର ଗଣତି କାର୍ଯ୍ୟ ଆରମ୍ଭ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୭୮ ଘଣ୍ଟା ୩ ମିନିଟ୍ର ଗଣତି କାର୍ଯ୍ୟ ହୋଇଛି । ଆଜି ଗଣତି ମଣତି କାର୍ଯ୍ୟ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ, ଜେମୋଲୋଜିଷ୍ଟ, ଛତିଶା ନିଯୋଗ ନାୟକ, ଦେଉଳକରଣ, ତଢଉକରଣ, ଭଣ୍ଡାର ମେକାପଙ୍କ ସହିତ ପ୍ରାଧିକୃତ ସେବାୟତ ଉପସ୍ଥିତ ଥିଲେ ।