ଭୁବନେଶ୍ବର ୧୨।୪: ଏପ୍ରିଲ ମାସ ଆରମ୍ଭରୁ ଡହଡହ ଖରା । ସତେ ଯେମିତି ଆକାଶରୁ ଏବେ ନିଆଁ ବର୍ଷୁଛି । ସକାଳ ୮ଟା ବାଜିଲେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ପଶ୍ଚିମରୁ ଉପକୂଳ ସବୁଠି ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ କଲବଲ କରୁଛି । ଅନେକ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଆଗାମୀ କିଛି ଦିନ ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ହେଲେ ନିଜର କାମ ପାଇଁ ବାଧ୍ୟ ହୋଇ ଘରୁ ବାହାରି ଟାଇଁ ଟାଇଁ ଖରାରେ ଭାଜି ହେଉଛନ୍ତି ଲୋକେ ।

ସୂର୍ଯ୍ୟଙ୍କ ପ୍ରଚଣ୍ଡ ରୌଦ୍ରତାପରେ ସତେ ଯେମିତି କଲବଲ ହେଉଛି ସମଗ୍ର ଓଡ଼ିଶା । ପ୍ରଖର ସୂର୍ଯ୍ୟ କିରଣରେ ଜଳୁଛି ସାରା ଓଡ଼ିଶା । ଆକାଶରୁ ଯେମିତି ନିଆଁର ବର୍ଷା ହେଉଛି । ପ୍ରବଳ ଖରା ସାଙ୍ଗକୁ ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଉଥିବାରୁ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଛନ୍ତି । ବିଶେଷ କରି ସହରୀ ଅଞ୍ଚଳରେ କଂକ୍ରିଟ୍ ଜଙ୍ଗଲ ଯୋଗୁଁ ତାତିର ପ୍ରଭାବ ଅଧିକ ଅନୁଭୂତ ହେଉଛି ।

ପଶ୍ଚିମରୁ ଉପକୂଳ, ସବୁଠି ସମାନ ସ୍ଥିତି । ଟିଟିଲାଗଡ ୩୯.୫ ଡିଗ୍ରୀ ସହ ସବୁଠାରୁ ଉତପ୍ତ ସହର ରେକର୍ଡ କରାଯାଇଛି ୧୨ ଓ ୧୩ ତରିଖରେ ପାଗ ଶୁଖିଲା ରହିବ ୧୪ ଏବଂ ୧୫ ତାରିଖରେ ଗଂଜାମ ଗଜପତି ରାୟଗଡାର କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷ ହେବାର ସମ୍ଭାବନା ରହିଛି । ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ଆଗାମୀ ୫ ଦିନ ମଧ୍ୟରେ ତାପମାତ୍ରା ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି । ୧୨ ରୁ ୧୮ ଏପ୍ରିଲ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାକୁ ସତର୍କ ଜାରି କରାଯାଇଛି । ସେହିଭଳି ୧୪ ରୁ ୧୬ ଏପ୍ରିଲ ପର୍ଯ୍ୟନ୍ତ ହିଟ୍ ୱେଭ ଚେତବାନୀ ଦିଆଯାଇଛି । ୧୪ ଏପ୍ରିଲରେ ବଲାଙ୍ଗିର ଓ ବରଗଡ଼ କୁ ହିଟୱେଭ ଚେତବାନୀ ଦିଆଯାଇଛି । ସେହିଭଳି ୧୫ ରୁ ୧୬ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ବରଗଡ଼ ସମ୍ବଲପୁର ଓ ଝାରସୁଗୁଡ଼ାକୁ ହିଟ୍ ୱେଭ ନେଇ ସତର୍କ କରିଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଗାମୀ ୩ ରୁ ୪ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଅନେକ ଜିଲ୍ଲା ପାଇଁ 'ୟେଲୋ ଓ୍ୱାର୍ଣ୍ଣିଂ' ଜାରି କରାଯାଇଛି । ଏହି ବର୍ଷ ତାପମାତ୍ରା ୪୫ ଡିଗ୍ରୀ ରୁ ଅଧିକ ମଧ୍ୟ ବଢ଼ିବ । ଦିନ ହେଉ ଅବା ରାତି ଘର ଭିତରେ ମଧ୍ୟ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହୁଥିବାର ଅନୁଭୂତ ହେଉଛି । ଶ୍ରମିକ ଓ ଦିନ ମଜୁରିଆଙ୍କ ପାଇଁ ଏହି ତାତି ଅଭିଶାପ ସାଜିଛି । ନିଜର ରୋଜଗାର ପାଇଁ ବାଧ୍ୟ ହୋଇ ସେମାନେ ଖରାରେ ମୂଲ ଲାଗିବାକୁ ଆସୁଛନ୍ତି ।

ସେହିଭଳି ଅତି ଜରୁରୀ କାମ ଥିବାରୁ ବାଧ୍ୟ ହୋଇ ଲୋକେ ନିଜର କାର୍ଯ୍ୟସ୍ଥଳୀ ଓ ଗନ୍ତବ୍ୟସ୍ଥଳୀକୁ ବାହାରୁଛନ୍ତି । କେଉଁଠି ଖରା ତ ଆଉ କେଉଁଠି ଅସହ୍ୟ ଗୁଳୁଗୁଳି । ତାପମାତ୍ରା ୪୦ ଡିଗ୍ରୀ ଡେଇଁ ୪୫ ମୁହାଁ ହେଲାଣି । ବର୍ଷକୁ ବର୍ଷ ନିଜର ରେକର୍ଡ ନିଜେ ଭାଙ୍ଗୁଛି ଏହି ତାତି । ସତେ ଯେମିତି ସୂର୍ଯ୍ୟ ଦେବତାଙ୍କ ପ୍ରଖର କିରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ଆଉ ଲୋକଙ୍କ କହିବା କଥା ଏହାର କାରଣ ନିଜେ ମଣିଷ । ସହର ହେଉ ଅବା ଗାଁ ସବୁଆଡେ ଗଛ କାଟିବା ଦ୍ୱାରା ଏଭଳି ତାତି ଅନୁଭୂତ ହେଉଛି ।