ନୂଆଦିଲ୍ଲୀ: ମିଳିତ ଜାତିସଂଘର ମାନବାଧିକାର ରିପୋର୍ଟରେ ୟୁକ୍ରେନ ଯୁଦ୍ଧ ସମୟରେ ଯୌନ ସିଂହର  ୧,୦୦୪ଟି ମାମଲା ସ୍ପଷ୍ଟ ହୋଇଛି । ଏଥିମଧ୍ୟରୁ ୮୯ ପ୍ରତିଶତ ମାମଲା ପାଇଁ ରୁଷ ପକ୍ଷ ଏବଂ ୧୧ ପ୍ରତିଶତ ମାମଲା ପାଇଁ ୟୁକ୍ରେନୀୟ ପକ୍ଷକୁ ଦାୟୀ କରାଯାଇଛି । ରିପୋର୍ଟରେ ଗଣଦୁଷ୍କର୍ମ, ଗୁପ୍ତାଙ୍ଗରେ ବିଜୁଳି ଆଘାତ ଏବଂ ଯୌନ ନିର୍ଯାତନା ଭଳି ଗମ୍ଭୀର ମାମଲାର ଉଲ୍ଲେଖ ରହିଛି । ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଫେବ୍ରୁଆରୀ ୨୦୨୨ରୁ ୨୦୨୬ ଜୁଲାଇ ମଧ୍ୟରେ ଘଟିଥିବା ଯୌନ ହିଂସା ଘଟଣାଗୁଡ଼ିକର ଦସ୍ତାବିଜ୍ ପ୍ରସ୍ତୁତ କରାଯାଇଛି ।

ରିପୋର୍ଟ ଅନୁଯାୟୀ, ୮୯ ପ୍ରତିଶତ ମାମଲାରେ ରୁଷ ସେନା, ଜେଲ୍ ସେବା ଏବଂ ସୁରକ୍ଷା ଏଜେନ୍ସି ସହ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ରହିଛି । ଅନ୍ୟପଟେ, ୧୧ ପ୍ରତିଶତ ମାମଲା ୟୁକ୍ରେନୀୟ ଅଧିକାରୀଙ୍କ ସହ ଜଡ଼ିତ । ରୁଷର ଜେନେଭାସ୍ଥିତ ସ୍ଥାୟୀ କୂଟନୈତିକ ମିଶନ୍ ଏହି ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛି । ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ ଏହି ରିପୋର୍ଟକୁ ସ୍ୱାଗତ କରି କହିଛି ଯେ, ଏହା ରୁଷ ପକ୍ଷରୁ କରାଯାଇଥିବା ମାନବାଧିକାର ଉଲ୍ଲଂଘନ ଚିତ୍ରକୁ ସାମ୍ନାକୁ ଆଣୁଛି । ତେବେ ମନ୍ତ୍ରଣାଳୟ ୟୁକ୍ରେନୀୟ ସେନା ସହ ଜଡ଼ିତ ମାମଲାଗୁଡ଼ିକ ଉପରେ ସିଧାସଳଖ କୌଣସି ପ୍ରତିକ୍ରିୟା ଦେଇନାହିଁ ।

ରୁଷ ଅଧିକୃତ ଅଞ୍ଚଳ ଏବଂ ଜେଲଗୁଡ଼ିକରେ ଯୌନ ନିର୍ଯାତନା

ରିପୋର୍ଟ ଅନୁସାରେ, ରୁଷ ଦଖଲରେ ଥିବା ଅଞ୍ଚଳ ଏବଂ ରୁଷ ଭିତରେ ଥିବା ୟୁକ୍ରେନୀୟ ଯୁଦ୍ଧବନ୍ଦୀ ଓ ଗିରଫ ନାଗରିକଙ୍କୁ ସ୍ଥାନାନ୍ତର, ପଚରାଉଚରା ଏବଂ ବନ୍ଦୀ ସମୟରେ ଯୌନ ହିଂସାର ସାମ୍ନା କରିବାକୁ ପଡ଼ିଛି । ପୀଡ଼ିତଙ୍କ ବୟାନ ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟରେ ଗଣଦୁଷ୍କର୍ମ, ଦୁଷ୍କର୍ମ, ଗୁପ୍ତାଙ୍ଗ କ୍ଷତିଗ୍ରସ୍ତ କରିବା ଏବଂ ବିଜୁଳି ଆଘାତ ଦେବା ଭଳି ଘଟଣାର ଉଲ୍ଲେଖ ରହିଛି । କେତେକ ମାମଲାରେ ପୁରୁଷଙ୍କ ଗୁପ୍ତାଙ୍ଗରେ ସୋଭିଏତ୍ ସମୟର ଫିଲ୍ଡ ଟେଲିଫୋନ୍ 'ଟାପିକ୍' ମାଧ୍ୟମରେ କରେଣ୍ଟ ଦିଆଯାଉଥିବା କଥା ସାମ୍ନାକୁ ଆସିଛି ।

ପୁରୁଷ, ମହିଳା ଓ ଶିଶୁ ବି ପ୍ରଭାବିତ

ଜାତିସଂଘର ତଦନ୍ତରୁ ଜଣାପଡ଼ିଛି ଯେ, ବନ୍ଦୀ ଅବସ୍ଥାରେ ଯୌନ ହିଂସାର ଶିକାର ହୋଇଥିବା ଅଧିକାଂଶ ବ୍ୟକ୍ତି ହେଉଛନ୍ତି ପୁରୁଷ । ଏଥିରେ ଯୁଦ୍ଧବନ୍ଦୀ ଏବଂ ସାଧାରଣ ନାଗରିକ ସାମିଲ ଅଛନ୍ତି । ସେହିପରି ମହିଳା ଏବଂ ଶିଶୁମାନଙ୍କୁ ମଧ୍ୟ ଏପରି ହିଂସାର ସାମ୍ନା କରିବାକୁ ପଡ଼ିଛି, ବିଶେଷ କରି ରୁଷ ଅଧିକୃତ ୟୁକ୍ରେନୀୟ ଅଞ୍ଚଳଗୁଡ଼ିକରେ । ୟୁକ୍ରେନରେ ଜାତିସଂଘ ମାନବାଧିକାର ନିରୀକ୍ଷଣ ମିଶନର ମୁଖ୍ୟ ଡାନିଏଲ୍ ବେଲ୍ କହିଛନ୍ତି ଯେ, ଯୁଦ୍ଧ ସମୟରେ ଯୌନ ହିଂସାକୁ ସାଧାରଣତଃ ମହିଳା ଓ ଝିଅମାନଙ୍କ ସହ ଯୋଡ଼ି ଦେଖାଯାଏ । କିନ୍ତୁ ୟୁକ୍ରେନ ମାମଲାରେ ପୁରୁଷଙ୍କ ସଂଖ୍ୟା ଅଧିକ ରହିଛି । ପୁରୁଷ ଓ ମହିଳାମାନଙ୍କ ପୁନର୍ବାସ ପାଇଁ ଅଲଗା ଅଲଗା ସମାଧାନ ଓ ଉପାୟର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।

ଜାତିସଂଘ ମାନବାଧିକାର ହାଇକମିଶନର ଭୋଲକର୍ ତୁର୍କ ରିପୋର୍ଟରେ ଉଲ୍ଲେଖ ଘଟଣାଗୁଡ଼ିକ ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ରିପୋର୍ଟରେ ସାମ୍ନାକୁ ଆସିଥିବା ଘୃଣ୍ୟ କାର୍ଯ୍ୟ ଚିନ୍ତାଜନକ । ୟୁକ୍ରେନରେ ଜାରି ରହିଥିବା ହିଂସା ମଧ୍ୟରେ ଏହିସବୁ ଘଟଣା ଏବେ ବି ଘଟୁଥାଇପାରେ । ଜାତିସଂଘ ଅନୁଯାୟୀ, ଅନେକ ଘଟଣା ରିପୋର୍ଟ ହୋଇନଥିବାରୁ ଏବଂ ତଦନ୍ତ ପାଇଁ ସୀମିତ ପହଞ୍ଚ ଯୋଗୁଁ ରେକର୍ଡ ହୋଇଥିବା ମାମଲାର ସଂଖ୍ୟା ପ୍ରକୃତ ସ୍ଥିତିଠାରୁ କମ୍ ହୋଇପାରେ ।