ଲକ୍ଷ୍ନୌ: ଉତ୍ତରପ୍ରଦେଶ ମନ୍ତ୍ରୀ ତଥା ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସବିଏସପି) ମୁଖ୍ୟ ଓମ ପ୍ରକାଶ ରାଜଭର ରାଜ୍ୟରେ ଜାତି ଜନଗଣନା ହେବ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଜାତି ଜନଗଣନା ପରେ ରାଜ୍ୟକୁ ୪ ଭାଗରେ ବିଭାଜିତ କରାଯିବ। ଏସବିଏସପିର ସମାଜିକ ସମରସତା ରାଲିକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ଏହି ଅବସରରେ ରାଜଭର ୨୭ପ୍ରତିଶତ ସଂରକ୍ଷଣ ସମ୍ପର୍କରେ ମଧ୍ୟ କହିଛନ୍ତି ଓ ସମର୍ଥକଙ୍କୁ ସମାଜବାଦୀ ପାର୍ଟି, ବହୁଜନ ସମାଜପାର୍ଟି ଅଥବା କଂଗ୍ରେସ ଦ୍ୱାରା ପ୍ରଭାବିତ ନ ହେବାକୁ କହିଛନ୍ତି। ତେବେ ତାଙ୍କର ଏହି ବୟାନ ଉତ୍ତରପ୍ରଦେଶ ବିଭାଜନକୁ ନେଇ ଜାରି ଚର୍ଚ୍ଚାକୁ ଆଞ୍ଚ ଦେଇଛି, ଯାହା ପିଛିଲା ଦୁଇ ଦଶନ୍ଧୀରେ ଅନେକବାର ସାମ୍ନାକୁ ଆସିଲାଣି। ଏପରିକି ପୂର୍ବତନ ବିଧାନସଭା ନିର୍ବାଚନରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

ଦେବରିଆରେ ରାଲିକୁ ସମ୍ବୋଧିତ କରି ରାଜଭର କହିଛନ୍ତି ଯେ ଆମେ ଆପଣଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ସମ୍ପର୍କରେ ଆଶ୍ୱସ୍ତ କରିବାକୁ ଚାହୁଁଛୁ। ଏ ବାବଦେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛି। ରାଜଭର ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ତାଙ୍କ ଆଲୋଚନା ସମ୍ପର୍କରେ ସୂଚିତ କରି କହିଛନ୍ତି ଯେ ଓମପ୍ରକାଶଜୀ ଆପଣଙ୍କ କଥା ଉଚିତ, ହେଲେ କିଛି ଲୋକେ ଏହାକୁ ବିରୋଧ କରୁଛନ୍ତି। ତେବେ ଆମେ ଅଗକୁ କିପରି ବଢିବୁ ବୋଲି ପ୍ରଶ୍ନ କରିବାରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ଏଥି ପାଇଁ ମୁଁ ଜାତି ଜନଗଣନା କରାଇବି, ଥରେ ଜାତି ଗଣନା ସରିଗଲେ ଉତ୍ତର ପ୍ରଦେଶକୁ ଭାଗଭାଗ କରିବା କଷ୍ଟକର ହେବନି। ଆମେ ଜାତି ଜନଗଣନା ପରେ ବିଭାଜନ କରିବୁ ’। ରାଜଭର କହିଛନ୍ତି ଯେ ଏବେ ଆପଣମାନେ କୁହନ୍ତୁ ଆମେ ପ୍ରଧାନମନ୍ତ୍ରୀଙ୍କ କଥାରେ ଭରସା କରିବା ନା ସପା,ବସପା ଓ କଂଗ୍ରେସ କଥାରେ?

ସେହିପରି ସେ ଯୁବବର୍ଗଙ୍କୁ ନିରାଶ ନ ହେବାକୁ କହିଛନ୍ତି। ରାଜ୍ୟ ୪ ଭାଗରେ ବିଭାଜିତ ହେବ ଓ ଯେଉଁ ଦିନ ପୂର୍ବାଞ୍ଚଳ ରାଜ୍ୟ ହେବ ସେଦିନ ମୁଖ୍ୟମନ୍ତ୍ରୀ ଯିଏ ହେବେ ସେ ରାଜଭର ଜାତିର ହିଁ ହୋଇଥିବେ ବୋଲି କହିଛନ୍ତି। ଏଣୁ କାମ କରିବା ବେଳେ ଏ କଥାକୁ ଧ୍ୟାନରେ ରଖିବେ, ସପା, ବସପା ଅଥବା କଂଗ୍ରେସରେ ସାମିଲ ହେବା କଥା ଆଉ ଚିନ୍ତା କରିବେନି। ରାଜଭରଙ୍କ ପାର୍ଟି ଉତ୍ତରପ୍ରଦେଶରେ ବିଜେପି ସହିତ ମେଣ୍ଟ କରିଛି। ୨୦୨୭ ପ୍ରାରମ୍ଭରେ ରାଜ୍ୟ ବିଧାନସଭା ନିର୍ବାଚନ ହେବ।

ରାଜ୍ୟରେ ରାଜଭର ଜାତିକୁ ସବୁଠୁ ପଛୁଆ ଜାତି ଭାବେ ଗଣନା କରାଯାଏ। ତେବେ ପୂର୍ବ ଉତ୍ତପ୍ରଦେଶର ଅନେକ ଅଞ୍ଚଳରେ ଏହି ଜାତିର ଲୋକେ ବେଶ୍ ପ୍ରଭାବଶାଳୀ। ଦେଶରେ ସବୁଠୁ ଅଧିକ ଜନସଂଖ୍ୟାର ରାଜ୍ୟ ଉତ୍ତପ୍ରଦେଶ। ରାଜ୍ୟର ଜନସଂଖ୍ୟା ପାଖାପାଖି ୨୫ କୋଟି ଓ ଭୌଗଳିକ ଦୃଷ୍ଟିରୁ ଏହା ଦେଶର ଚତୁର୍ଥ ବଡ଼ ରାଜ୍ୟ। ତେବେ ୨୦ ବର୍ଷ ପୂର୍ବେ ଉତ୍ତରପ୍ରଦେଶ ବିଭାଜନ ଦାବି ଉଠିଥିଲା। ୨୦୧୨ ବିଧାନସଭା ନିର୍ବାଚନ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବସପା ମୁଖ୍ୟ ମାୟାବତୀ ରାଜ୍ୟ ବିଭାଜନକୁ ଗୁରୁତ୍ୱ ଦେଇଥିଲେ ଓ ବିଧାନସଭାରେ ଉତ୍ତରପ୍ରଦେଶକୁ ଅବଧ ପ୍ରଦେଶ, ପୂର୍ବାଞ୍ଚଳ, ବୁନ୍ଦେଲଖଣ୍ଡ ଓ ପଶ୍ଚିମ ପ୍ରଦେଶ ଭାବେ ବିଭାଜିତ କରିବାକୁ ମଞ୍ଜୁରି ପ୍ରାପ୍ତ କରିଥିଲେ।