ନୂଆଦିଲ୍ଲୀ: ଆମେରିକାର ଆକାଶମାର୍ଗରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ପାଇଲଟ୍‌ ଆକାଶରେ ଲିଓନାର୍ଡୋ ଦା ଭିଞ୍ଚିଙ୍କ ବିଶ୍ୱପ୍ରସିଦ୍ଧ ଚିତ୍ରକଳା 'ମୋନାଲିସା'ର ଆକୃତି ପ୍ରସ୍ତୁତ କରିଛନ୍ତି। ଆର୍କାନସାସ୍ ଏବଂ ଓକ୍ଲାହୋମା ରାଜ୍ୟର ଆକାଶମାର୍ଗରେ ହୋଇଥିବା ଏହି ଉଡ଼ାଣର ଭିଜୁଆଲ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏୟାରନାଭ୍ ରାଡାର୍ ଏବଂ ଫ୍ଲାଇଟ୍-ଟ୍ରାକିଂ ଆପ୍ ଗୁଡ଼ିକର 3D ଭିଜୁଆଲାଇଜେସନ୍ ଅନୁଯାୟୀ, ବିମାନଟି ଆର୍କାନସାସର ବେଣ୍ଟନଭିଲ୍ରୁ ଉଡ଼ାଣ ଭରିଥିଲା। 'Cessna R182 Skylane RG' ମଡେଲର ଏକ କ୍ଷୁଦ୍ର ବିମାନ ସାହାଯ୍ୟରେ ପାଇଲଟ ପ୍ରାୟ ୪ ଘଣ୍ଟା ଆକାଶରେ ରହି ଏହି ସୂକ୍ଷ୍ମ ଏବଂ କଠିନ ଚିତ୍ରକଳାଟିକୁ ସମ୍ପୂର୍ଣ୍ଣ କରିଥିଲେ। ରାଡାରରେ ବିମାନର ଗତିପଥ ଧୀରେ ଧୀରେ ମୋନାଲିସାର ନିଖୁଣ ଚେହେରାରେ ପରିଣତ ହେଉଥିବାର ଭିଡିଓ ସାମ୍ନାକୁ ଆସିବା ପରେ ନେଟିଜେନମାନେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି।

କିଏ ଏହି 'ପାଇଲଟ୍ ପିକାସୋ' ?
ଏହି କାରନାମା କରିଥିବା ବିମାନର ମାଲିକ ତଥା ପାଇଲଟ ହେଉଛନ୍ତି ବେଞ୍ଜାମିନ୍ ମ୍ୟାକଡାନିଏଲ୍ । ସେ ନିଜକୁ ଜଣେ ବିମାନଚାଳକ (Pilot) ସହ ଜଣେ କଳାକାର ବୋଲି ପରିଚୟ ଦିଅନ୍ତି। ସେ ଇନ୍‌ଷ୍ଟାଗ୍ରାମରେ @thepilotpicasso ନାମକ ଆକାଉଣ୍ଟ ଚଲାନ୍ତି, ଯେଉଁଥିରେ ସେ ଆକାଶରେ ବିମାନ ସାହାଯ୍ୟରେ ଅଙ୍କାଯାଉଥିବା ଏପରି ବିଭିନ୍ନ କଳାକୃତିର ଭିଜୁଆଲ୍ ସେୟାର କରିଥାନ୍ତି।

ଫ୍ଲାଇଟ୍ ପାଥ୍ ଆର୍ଟ' କ'ଣ ?
ଏହା ଏକ ଆଧୁନିକ ଡିଜିଟାଲ୍ ଆର୍ଟ ଫର୍ମ। ପାଇଲଟମାନେ ଜିପିଏସ୍ (GPS) ଏବଂ ଫ୍ଲାଇଟ୍ ଟ୍ରାକିଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ବିମାନକୁ ଏକ ନିର୍ଦ୍ଦିଷ୍ଟ ଜ୍ୟାମିତିକ କୋଣରେ ମୋଡ଼ିଥାନ୍ତି। ଏହି ଗତିପଥଗୁଡ଼ିକ ରାଡାର୍ ସ୍କ୍ରିନ୍ ଉପରେ ଗୋଟିଏ ଗୋଟିଏ ରେଖା ଚିତ୍ର ଭାବରେ ଦୃଶ୍ୟମାନ ହୁଏ।