ନୂଆଦିଲ୍ଲୀ: ଦୁବାଇ ଶାସକ ଶେଖ୍ ମହମ୍ମଦ ବିନ୍ ରଶିଦ୍ ଅଲ୍ ମାକତୁମଙ୍କ ସାନଭାଇ ଶେଖ୍ ଅହମ୍ମଦ ବିନ୍ ରଶିଦ୍ ଅଲ୍ ମାକତୁମଙ୍କର ୭୬ ବର୍ଷ ବୟସରେ ପରଲୋକ ହୋଇଛି। ସୋମବାର (ସେପ୍ଟେମ୍ବର ୨୧) ଦୁବାଇ ଶାସକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଦୁଃଖଦ ଖବର ପ୍ରକାଶ କରାଯାଇଛି। ସମଗ୍ର ଦୁବାଇରେ ୧୦ ଦିନିଆ ସରକାରୀ ଶୋକ ପାଳନ କରାଯିବା ନେଇ ଘୋଷଣା କରାଯାଇଛି ଏବଂ ସମସ୍ତ ସରକାରୀ ପ୍ରତିଷ୍ଠାନରେ ପତାକା ଅର୍ଦ୍ଧନମିତ ରଖାଯାଇଛି । 

ସଂଯୁକ୍ତ ଆରବ ଏମିରେଟ୍ସ (UAE) ର ଉପ-ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଦୁବାଇ ଶାସକ ଶେଖ୍ ମହମ୍ମଦ ବିନ୍ ରଶିଦ୍ ଅଲ୍ ମାକତୁମ୍ ସୋସିଆଲ ମିଡିଆ 'X' ରେ ନିଜ ଭାଇଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।   ସେ ଲେଖିଛନ୍ତି, ‘ଆଲ୍ଲା ଶେଖ୍ ଅହମ୍ମଦ ବିନ୍ ରଶିଦ୍ ଅଲ୍ ମାକତୁମ୍‌ଙ୍କ ଉପରେ ଦୟା କରନ୍ତୁ। ହେ ମୋର ଭାଇ, ଈଶ୍ୱର ଆପଣଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।’ ସେ ଆହୁରି କହିଛନ୍ତି ଯେ, ଶେଖ୍ ଅହମ୍ମଦ ଆଜି ଆମ ଗହଣରେ ନଥିଲେ ସୁଦ୍ଧା ସେ ସଦାସର୍ବଦା ସମସ୍ତଙ୍କ ପ୍ରାର୍ଥନା ଏବଂ ହୃଦୟରେ ଜୀବିତ ରହିବେ। ଈଶ୍ୱର ତାଙ୍କୁ ସ୍ୱର୍ଗରେ ସ୍ଥାନ ଦିଅନ୍ତୁ ଏବଂ ପରିବାରବର୍ଗଙ୍କୁ ଏହି ଅସହ୍ୟ ଦୁଃଖ ସହିବାକୁ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି।

UAE ର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ ମଧ୍ୟ ଏହି ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଦେଶ ଗଠନ ସମୟରୁ UAE ର ବିକାଶରେ ଶେଖ୍ ଅହମ୍ମଦଙ୍କ ଅବଦାନ ସଦାସର୍ବଦା ଆମ ଜାତିର ପ୍ରଗତି ପାଇଁ ପ୍ରେରଣା ଦାୟକ ହୋଇରହିବ। ଦୁବାଇର ଯୁବରାଜ, ଉପ-ପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ଶେଖ୍ ହମଦାନ୍ ବିନ୍ ମହମ୍ମଦ ବିନ୍ ରଶିଦ୍ ଅଲ୍ ମାକତୁମ୍ ନିଜ ଦାଦାଙ୍କ ଅମର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୋକ ସନ୍ଦେଶ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଖ୍ ଅହମ୍ମଦ ବିନ୍ ରଶିଦ୍‌ଙ୍କ ପରଲୋକରେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସେ 'X' ଆକାଉଣ୍ଟରେ ଲେଖିଛନ୍ତି, ‘ହିଜ୍ ହାଇନେସ୍ ଶେଖ୍ ଅହମ୍ମଦ ବିନ୍ ରଶିଦ୍ ଅଲ୍ ମାକତୁମ୍‌ଙ୍କ ପରଲୋକ ଖବର ଶୁଣି ମୁଁ ଗଭୀର ଭାବରେ ଦୁଃଖିତ। ସମାଜ ସେବା ପାଇଁ ତାଙ୍କର ନିରବଚ୍ଛିନ୍ନ ଉଦ୍ୟମ ଆଗାମୀ ପିଢ଼ି ପାଇଁ ଚିରସ୍ମରଣୀୟ ହୋଇରହିବ। ମୁଁ ରାଜପରିବାର ଏବଂ ଦୁବାଇବାସୀଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ତାଙ୍କ ଅମର ଆତ୍ମାକୁ ଈଶ୍ୱର ଶାନ୍ତି ପ୍ରଦାନ କରନ୍ତୁ।’

ସୁରକ୍ଷା ଓ ସାମରିକ କ୍ଷେତ୍ରରେ ଅବଦାନ
୧୯୫୦ ମସିହାରେ ଜନ୍ମଗ୍ରହଣ କରିଥିବା ଶେଖ୍ ଅହମ୍ମଦ, ପ୍ରସିଦ୍ଧ ବ୍ରିଟେନ୍ ସାମରିକ ଏକାଡେମୀ 'ସ୍ୟାଣ୍ଡହର୍ଷ୍ଟ' ରୁ ସ୍ନାତକ ହାସଲ କରିଥିଲେ। ସେ ଦୁବାଇ ପୋଲିସ ଓ ସାଧାରଣ ସୁରକ୍ଷା ବିଭାଗର ଉପ-ଅଧ୍ୟକ୍ଷ ଭାବରେ ଦାୟିତ୍ୱ ତୁଲାଇବା ସହ ସେନା ଓ ପ୍ରଶାସନିକ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।