କୋଇଡ଼ା, ୦୬/୦୯ : ପ୍ରକୃତି ଯେତେବେଳେ ନିଜ ହାତରେ ସୌନ୍ଦର୍ଯ୍ୟର କାବ୍ୟ ଲେଖେ, ସେତେବେଳେ ମାଟିରେ ଝରିପଡ଼େ ସ୍ୱର୍ଗର ଅମୃତ। ଗତ ମାସ ସାରା କୋଇଡ଼ା ବ୍ଲକ୍ର କୋଣ ଅନୁକୋଣରେ ଲାଗିରହିଥିବା ଅବିରାମ ବର୍ଷାର ଧାରା, ଆକାଶଛୁଆଁ ଉଚ୍ଚତାରେ ହସୁଥିବା ଟେନ୍ସା ପଞ୍ଚାୟତକୁ ଏକ ମାଦକତାପୂର୍ଣ୍ଣ ସ୍ୱପ୍ନିଲ ରୂପ ଦେଇଛି। ଯାହାକି ସମୁଦ୍ର ପତନ ଠାରୁ ୨୭୬୦ ଫୁଟ ଉଚ୍ଚତାରେ ଅବସ୍ଥିତ ।

ଟେନ୍ସା ସହର ସାରା ମାସ ସାରା ଘନ କୁହୁଡ଼ିର ଏକ ରୋମାଞ୍ଚକର ସାୟାରେ ଢାଙ୍କି ହୋଇ ରହିଥାଏ । ଆକାଶରୁ ଝରୁଥିବା ନିରନ୍ତର ବର୍ଷା ଟୋପା ଆଉ ତା’ ସାଙ୍ଗକୁ ଚାରିଆଡ଼େ ଖେଳିବୁଲୁଥିବା ନରମ କୁହୁଡ଼ିର ଲୁଚକାଳି, ଟେନ୍ସାକୁ କରିତୋଳିଥିଲା ଶୀତଳ ଓ ଅସୀମ ଶାନ୍ତ। ପାହାଡ଼ର ଘଞ୍ଚ ସବୁଜିମା ଭିତରୁ ବାହାରୁଥିବା କୁହୁଡ଼ିର ଓଢ଼ଣୀ, ବାଙ୍କପଟା ରାସ୍ତାରେ ନାଚିଉଠୁଥିବା କୁହୁଡ଼ିଆ ପବନ,ଝରଣାର ସଙ୍ଗୀତ ଏସବୁ ମିଶି ଏକ ଅପୂର୍ବ ସୌନ୍ଦର୍ଯ୍ୟ ସୃଷ୍ଟି କରିଥିଲା, ଯାହାକୁ କୌଣସି କବିର କବିତା ଦ୍ୱାରା ଶବ୍ଦରେ ବାନ୍ଧିବା ଆଦୌ ସମ୍ଭବ ନୁହେଁ।

Also Read :- ରକେଟ୍ ତିଆରି ବନ୍ଦ କରିଦେବ ଇସ୍ରୋ ! ଘରୋଇକରଣକୁ ନେଇ ଚିଠି ଲେଖିଲେ କର୍ମଚାରୀ ସଙ୍ଗଠନ

ଏହି ସ୍ୱର୍ଗୀୟ ପରିବେଶରେ ବଞ୍ଚୁଥିବା ସ୍ଥାନୀୟ ଲୋକଙ୍କ ଆଖିରେ ଏବେ କେବଳ ଭାବବିହ୍ୱଳତା ଓ ଅପାର ଆନନ୍ଦ। ସକାଳୁ ଉଠୁ ଉଠୁ ନିଜ ଘର ଦୁଆର ମୁହଁରେ ମେଘ ଓ କୁହୁଡ଼ିର ଆଲିଙ୍ଗନ ପାଉଥିବା ଏହି ବାସିନ୍ଦାମାନେ ଗର୍ବର ସହ କହୁଛନ୍ତି ଯେ, ଏତେ ସୁନ୍ଦର ସ୍ଥାନରେ ଜନ୍ମ ନେଇ ସେମାନେ ସତରେ ଖୁବ୍ ଭାଗ୍ୟବାନ୍। ଯେଉଁ ଦୃଶ୍ୟ ଓ ସାନ୍ନିଧ୍ୟ ଖୋଜିବାକୁ ଲୋକେ ଦୂର ସ୍ୱିଜରଲ୍ୟାଣ୍ଡ କି ଶିମଲା ଦୌଡ଼ନ୍ତି, ସେହି ସ୍ୱର୍ଗୀୟ ଅନୁଭୂତି ଆଜି ସେମାନଙ୍କ ଘର ଆଗରେ ନାଚିଉଠୁଛି। ପାହାଡ଼ ଉପରେ ଜଳୁଥିବା ଆଲୋକର ମୃଦୁ ଶିଖା, କୁହୁଡ଼ି ଭିତରେ ହଜିଯାଉଥିବା ସବୁଜ ଗଛବୃକ୍ଷ, ଆଉ ସନ୍ଧ୍ୟାର ମାଦକମୟ ଥଣ୍ଡା ପବନ — ପ୍ରକୃତିର ଏହି ବରଦାନ ଟେନ୍ସାକୁ ମାଟିର ସବୁଠୁ ସୁନ୍ଦର କାହାଣୀରେ ପରିଣତ କରିଦେଇଛି।