ଭୋଗରାଇ ୪।୧୦: ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଉଦୟପୁର ଦେଇ ବେଧଡ଼କ ବେଆଇନ ବାଲି ଚୋରା ଚାଲାଣ ଚାଲିଛି । ମାତିଛନ୍ତି ବଙ୍ଗ ମାଫିଆ । ଉଦୟପୁରରେ ପୋଲିସ ପହରା ସତ୍ତ୍ବେ ଗୋଟିକ ପରେ ଗୋଟିଏ ବାଲି ଟ୍ରକ୍ ସୀମା ପାର ହୋଇ ଯାଉଛି । ଏଣେ ଏହାକୁ ଅଟକାଇବା ବେଳେ ସ୍ଥାନୀୟ ଲୋକଙ୍କୁ ବାଲି ମାଫିଆ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ରାତି ସାରା ଅନିଦ୍ରା ମୁଗୁରା ପଛ ମେଲା । ଦିନ ଦ୍ବିପ୍ରହରରେ ବାଲି ଚୋରା ଚାଲାଣ ହେଉଛି । ସୀମାରେ ପୋଲିସ କ୍ୟାମ୍ପ ଥିବା ସତ୍ତ୍ୱେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଖୁଲମଖୁଲା ବାଲି ବୋଝେଇ ହାଇୱାଗୁଡ଼ିକ ଦ୍ରୁତ ଗତିରେ ଚାଲାଣ ହେଉଥିବା ଅଭିଯୋଗ ହୋଇଛି ।

ଏଣେ ଏହି ବେଆଇନ ଚାଲାଣକୁ ରୋକିବା ପାଇଁ ସ୍ଥାନୀୟ କିଛି ଯୁବକ ନିଜ ଜୀବନକୁ ବାଜି ଲଗାଇ ଗାଡ଼ିଗୁଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଓଡ଼ିଶା ପଟକୁ ଆସି ଉଭୟ ରାଜ୍ୟର ବାଲି ମାଫିଆମାନେ ସ୍ଥାନୀୟ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ସୀମାରେ ତାଳସାରି ମେରାଇନ ପୋଲିସ, ଖଣି ବିଭାଗ କିମ୍ବା ରାଜସ୍ୱ ବିଭାଗର କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳୁନଥିବା ଅଭିଯୋଗ ହୋଇଛି । ପ୍ରଶାସନର ଭୂମିକା ଉପରେ ବଡ଼ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଛି । କାହା ସାହସ ଓ ସୁରକ୍ଷାରେ ଏହି ଚୋରା କାରବାର ଚାଲିଛି, ତାହାକୁ ନେଇ ପ୍ରଶ୍ନ ଉଠିଛି ।

Also Read:- ୩୫ ବର୍ଷର ଅପେକ୍ଷାର ଅନ୍ତ, ହିମାଚଳରୁ ନିଜ ଘରକୁ ଫେରିଲେ ନିଖୋଜ ପ୍ରମିଳା

ତୁରନ୍ତ ଏହାକୁ ବନ୍ଦ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏତେ ସଂଖ୍ୟକ ବେଆଇନ ବାଲି ଗାଡ଼ି ଯେତେବେଳେ ଉଦୟପୁର ସୀମା ଦେଇ ପଶ୍ଚିମବଙ୍ଗକୁ ପଳାଇ ଯାଉଛି ସେତେବେଳେ କ’ଣ କରୁଛି ବାଲେଶ୍ବର ଜିଲ୍ଲା ଖଣି ବିଭାଗ ? କ’ଣ କରୁଛି ବାଲେଶ୍ବର ଜିଲ୍ଲା ପୋଲିସ ? କ’ଣ କରୁଛି ବାଲେଶ୍ବର ଜିଲ୍ଲା ପ୍ରଶାସନ ?