ଭୁବନେଶ୍ବର: ଉତ୍ତରରୁ ପଶ୍ଚିମ ଦକ୍ଷିଣରୁ ଆଭ୍ୟନ୍ତରୀଣ। ଡହ ଡହ ଖରାରେ ଶିଝୁଛି ସାରା ଓଡ଼ିଶା। ଆସନ୍ତା ୨୪ ଘଣ୍ଟା ପାଇଁ ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାକୁ ହିଟ୍ ୱେଭ୍ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର। ସେହିପରି କେଉଁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେବ। ଏନେଇ ଏସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

ସେପଟେ ଆସନ୍ତା ୨୬ ତାରିଖ ଯାଏ ଉଭୟ ଦିନ ଓ ରାତି ତାପମାତ୍ରା ବୃଦ୍ଧି ପାଇବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ ୪୪.୬ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ୩୦ରୁ ଅଧିକ ସ୍ଥାନରେ ୪୦ ଡ଼ିଗ୍ରୀ ଉପାରେ ତାପମାତ୍ରା ରେକର୍ଡ଼ ହୋଇଛି।

Also Read: ସ୍କୁଲ ଛୁଟି ନେଇ ଦିନେ ଦୁଇ ଦିନରେ ହୋଇପାରେ ଘୋଷଣା, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଅପେକ୍ଷା​​​​​​​

ସେହିପରି ଆସନ୍ତା ୨୪ ଘଣ୍ଟାରେ କାଳବୈଶାଖୀ ପ୍ରଭାବ ମଧ୍ୟ ରହିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ବିଜୁଳି ଘଡ଼ଘଡ଼ି ବର୍ଷା ସହ ଘଣ୍ଟ ପ୍ରତି ପବନର ବେଗ ୩୦ରୁ ୪୦ କିଲୋମିଟର ଯାଏ ରହିବ। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଜିଲ୍ଲା ହେବ ପ୍ରଭାବିତ । ଏନେଇ ଏହି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସମୁଦ୍ର ଅଶାନ୍ତ ରହିବା କାରଣରୁ ଆସନ୍ତା ୨୬ ଏବଂ ୨୭ ଏପ୍ରିଲରେ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର ଉପକୂଳ ଓଡ଼ିଶା ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି କାଳବୈଶାଖୀ ପ୍ରଭାବ ଆସନ୍ତା ୩୦ ତାରିଖ ଯାଏ ରହିବ ।